ଭାରତ ଅନ୍ୟୂନ ୧୫ ପଦକ ଜିତିବ: ଚିଫ୍‌ ଡି ମିସନ

ନୂଆଦିଲ୍ଲୀ, ୨୦ା୮ : ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ପାରାଲିମ୍ପିକ୍ସରେ ଭାରତ ତା’ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବ। ଏପରିକି ଟୋକିଓରୁ ୧୫ ପଦକ ଜିତି ଫେରିବ ବୋଲି ଦୃଢ଼ ଆଶା ବାନ୍ଧିଛନ୍ତି ଭାରତର ଚିଫ୍‌ ଡି ମିସନ ଗୁରଶରନ ସିଂହ। ଟୋକିଓ ପାରାଲିମ୍ପିକ୍ସ ପାଇଁ ଭାରତ ୫୪ ଜଣିଆ ବୃହତ୍‌ ଆଥ୍‌ଲେଟ୍‌ ଦଳ ପଠାଇଛି। ଏହି ଆଥ୍‌ଲେଟ୍‌ମାନେ ୯ କ୍ରୀଡ଼ା ଶୃଙ୍ଖଳ (ପାରା ତୀରନ୍ଦାଜି, ପାରା ଆଥ୍‌ଲେଟିକ୍ସ, ପାରା ବ୍ୟାଡ୍‌ମିଣ୍ଟନ, ପାରା କାନୋଇଂ, ସୁଟିଂ ପାରା ସ୍ପୋର୍ଟସ, ପାରା ସନ୍ତରଣ, ପାରା ଶକ୍ତିଉତ୍ତୋଳନ, ପାରା ଟେବୁଲ ଟେନିସ୍‌ ଓ ପାରା ତାଇକୋଣ୍ଡୋ)ରେ ପ୍ରତିଦ୍ବନ୍ଦ୍ବିତା କରିବେ। ଟୋକିଓ ଆମପାଇଁ ସର୍ବଶ୍ରେଷ୍ଠ ପାରାଲିମ୍ପିକ୍ସ କ୍ରୀଡ଼ା ରହିବ ବୋଲି ମୋର ବିଶ୍ବାସ। ଆମ ପାରା ଆଥ୍‌ଲେଟ୍‌ମାନେ କିଛି ବର୍ଷ ଧରି କଠିନ ପରିଶ୍ରମ କରିଛନ୍ତି ଏବଂ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକରେ ଚମତ୍କାର ଫଳ ପାଇଛନ୍ତି। ସେମାନେ ସମସ୍ତେ ଟୋକିଓ କ୍ରୀଡ଼ାକୁ ବ୍ୟାକୁଳତାର ସହ ଚାହିଁବସିଛନ୍ତି ବୋଲି ଭାରତୀୟ ପାରାଲିମ୍ପିକ୍‌ କମିଟିର ମହାସଚିବ ଥିବା ଗୁରଶରନ କହିଛନ୍ତି। ଆମେ ଅନ୍ୟୂନ ୫ ସ୍ବର୍ଣ୍ଣ ସମେତ ୧୫ ପଦକ ଆଣି ଆସିବାର ଦୃଢ଼ ଆଶା ରଖିଛୁ। ବିଶେଷକରି ଆଥ୍‌ଲେଟିକ୍ସ, ବ୍ୟାଡ୍‌ମିଣ୍ଟନ, ବନ୍ଧୁକଚାଳନା ଏବଂ ତୀରନ୍ଦାଜୀରୁ ଆମେ ଅଧିକ ପଦକ ଆଶା ରଖିଛୁ।

ଭାରତ ଏପର୍ଯ୍ୟନ୍ତ ୧୧ ପାରାଲିମ୍ପିକ୍ସରେ ପ୍ରତିନିଧିତ୍ବ କରି ୪ ସ୍ବର୍ଣ୍ଣ ସମେତ ମୋଟ ୧୨ ପଦକ ହାସଲ କରିସାରିଛି। ଏଥର ଭାରତୀୟ ପାରାଲିମ୍ପିକ୍‌ କମିଟି (ପିସିଆଇ) ସଭାପତି ଦୀପା ମଲିକଙ୍କ ନେତୃତ୍ବରେ ପ୍ରଥମ ଦଫା ଭାରତୀୟ ଦଳ ଟୋକିଓରେ ପହଞ୍ଚିସାରିଛି। ଶୁକ୍ରବାର ଶକ୍ତିଉତ୍ତୋଳନ ଦଳ ଦେଶ ଛାଡ଼ିଛି। ଟୋକିଓରେ ଏଥର ଭାରତର ପତାକା ଧରିବାକୁ ଥିବା ଟି ମାରିୟାପ୍ପାନ ମଧ୍ୟ ଟୋକିଓରେ ପହଞ୍ଚିସାରିଛନ୍ତି। ଏହି ହାଇଜମ୍ପର୍‌ଙ୍କଠୁ ଏଥର ମଧ୍ୟ ସ୍ବର୍ଣ୍ଣ ପଦକ ଦୋହରାଇବାର ଆଶା ରହିଛି। ମାରିୟାପ୍ପାନ ଗତ ରିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଅମଳ କରିଥିଲେ। ତେଣୁ ଟୋକିଓରେ ସେ ନିଜର ଦ୍ବିତୀୟ ଅଲିମ୍ପିକ୍‌ ସ୍ବର୍ଣ୍ଣ ହାସଲ କରିବାର ବଡ଼ ଆଶା ରହିଛି। ନିକଟରେ ଜାତୀୟ ମନୋନୟନ ଟ୍ରାଏଲ୍‌ରେ ସେ ୧.୮୬ ମିଟର ଲମ୍ଫ ଦେଇ ଟୋକିଓ ଯାଇଛନ୍ତି। ମାରିୟାପ୍ପାନଙ୍କ ବ୍ୟତୀତ ଜାଭ୍‌ଲିନ୍‌ରୁ ମଧ୍ୟ ଭାରତ ପଦକ ଅମଳ ଆଶା ରଖିଛି। ଦୁଇ ଥର ପାରାଲିମ୍ପିକ୍‌ ବିଜେତା ଦେବେନ୍ଦର ଝାଝାରିଆ (ଏଫ୍‌୪୬)ଙ୍କ ନେତୃତ୍ବରେ ଭାରତୀୟ ଜାଭ୍‌ଲିନ୍‌ ଫିଙ୍ଗାଳି ଟୋକିଓରେ ଚମକ ଛାଡ଼ିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଗୁରଶରନ। ବିଶ୍ବ ବିଜେତା ସୁନ୍ଦର ସିଂହ ଗୁର୍‌ଜାର ଓ ଅଜିତ ସିଂହ (ଏଫ୍‌୪୬), ବିଶ୍ବ ବିଜେତା ତଥା ବିଶ୍ବ କୀର୍ତ୍ତିମାନଧାରୀ ସନ୍ଦୀପ ଚୌଧୁରୀ (ଏଫ୍‌୬୪) ଓ ନଭ୍‌ଦୀପ ସିଂହ (ଏଫ୍‌୪୧)ଙ୍କଠୁ ମଧ୍ୟ ପାରା ଜାଭ୍‌ଲିନ୍‌ରେ ପଦକ ଆଶା ରହିଛି।

ଅନ୍ୟପକ୍ଷରେ ଭାରତ ଟୋକିଓରେ ବ୍ୟାଡ୍‌ମିଣ୍ଟନ ଓ ବନ୍ଧୁକଚାଳନାରେ ପଦକ ଆଶା ରଖିଛି। ବିଶେଷକରି ବିଶ୍ବ ମାନ୍ୟତାର ଏକ ନମ୍ବର ତଥା ଏକାଧିକ ଥର ବିଶ୍ବ ବିଜେତା ଓଡ଼ିଆ ପୁଅ ପ୍ରମୋଦ ଭଗତ ଭାରତୀୟ ପାରା ବ୍ୟାଡ୍‌ମିଣ୍ଟନ ଦଳର ନେତୃତ୍ବ ନେବେ। ପ୍ରମୋଦଙ୍କ (ପୁରୁଷ ଏସ୍‌ଏଲ୍‌୩ ଇଭେଣ୍ଟ)ଠୁ ନିଶ୍ଚିତ ସ୍ବର୍ଣ୍ଣ ପଦକ ଆଶା ରଖିଛି ଭାରତ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ବ ମାନ୍ୟତାର ଦ୍ବିତୀୟ ବ୍ୟାଡ୍‌ମିଣ୍ଟନ ତାରକା କୃଷ୍ଣ ନାଗର (ଏସ୍‌ଏଚ୍‌୬) ଏବଂ ତରୁଣ ଧିଲନ୍‌ (ଏସ୍‌ଏଲ୍‌୪) ମଧ୍ୟ ଟୋକିଓରେ ଚମକ ଛାଡ଼ିବାର ଦାବିଦାର ରହିଛନ୍ତି। ତୀରନ୍ଦାଜିରେ ଭାରତର ରାକେଶ କୁମାର ଓ ଶ୍ୟାମ ସୁନ୍ଦର (କମ୍ପାଉଣ୍ଡ), ବିବେକ ଚିକାରା ଓ ହରବିନ୍ଦର ସିଂହ (ରିକର୍ଭ) ଏବଂ ମହିଳାରେ ଜ୍ୟୋତି ବଲିୟାନ୍‌ (କମ୍ପାଉଣ୍ଡ ବ୍ୟକ୍ତିଗତ/ମିଶ୍ରିତ ଇଭେଣ୍ଟ)ଙ୍କଠୁ ଭାରତ ପଦକ ଆଶା ବାନ୍ଧିଛି।

ଟୋକିଓ ଗଲେ ପାରାଲିମ୍ପିକ୍‌ ଶକ୍ତିଉତ୍ତୋଳକ ଦଳ
ନୂଆଦିଲ୍ଲୀ : ଟୋକିଓ ପାରାଲିମ୍ପିକ୍ସ ୨୦୨୦ ଲାଗି ଭାରତୀୟ ଶକ୍ତିଉତ୍ତୋଳକ ଦଳ ଶୁକ୍ରବାର ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଯାତ୍ରା କରିଛନ୍ତି। ଦୁଇ ଶକ୍ତିଉତ୍ତୋଳକ ଜୟଦୀପ ଦେଶୱାଲ ଓ ସକିନା ଖାତୁନଙ୍କ ସହ ପ୍ରଶିକ୍ଷକ ଏବଂ ସପୋର୍ଟ ଷ୍ଟାଫ୍‌ ଏହି ଗସ୍ତ କରିଛନ୍ତି। ଜୟଦୀପ ପୁରୁଷ ୬୫ କେଜି ଏବଂ ସକିନା ମହିଳା ୫୦ କେଜି ବର୍ଗରେ ଭାଗନେବେ। ଉଭୟଙ୍କ ଇଭେଣ୍ଟ୍‌ ୨୭ ତାରିଖରେ ଅନୁଷ୍ଠିତ ହେବ। ଜୟଦୀପଙ୍କ ଏହା ଦ୍ବିତୀୟ ଅଲିମ୍ପିକ୍ସ। ସେ ୨୦୧୨ରେ ପ୍ରଥମ ଥର ଲାଗି ଭାଗନେଇଥିଲେ। ପ୍ରଥମ ଭାରତୀୟ ମହିଳା ଶକ୍ତିଉତ୍ତୋଳିକା ଭାବେ ସକିନା ଅଲିମ୍ପିକ୍ସ ପଦାର୍ପଣ କରିବେ।

ସମ୍ବନ୍ଧିତ ଖବର