ଟୋକିଓ ଅଲିମ୍ପିକ୍ସରୁ ଭାରତ ସ୍ବର୍ଣ୍ଣ ଜିତିବ: ‌ଗୋପୀଚାନ୍ଦ

ମୁମ୍ବାଇ: ପ୍ରତି ବର୍ଷ ଏବେ ପୂର୍ବ ବର୍ଷଠାରୁ ଉନ୍ନତ ହେବାରେ ଲାଗିଛି। ସେହି ଦୃଷ୍ଟିରୁ ଭାରତ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ନିଶ୍ଚିତ ପ୍ରଥମ ଥର ବ୍ୟାଡ୍‌ମିଣ୍ଟନ୍ ସ୍ବର୍ଣ୍ଣ ପଦକ ଜିତିବ ବୋଲି କହିଛନ୍ତି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ। ବିଗତ କିଛି ବର୍ଷ ଧରି ଆମେ ଦେଖି ଆସିଛୁ, ପୂର୍ବ ତୁଳନାରେ ଉନ୍ନତ କରି ଆସୁଛୁ। ୨୦୦୮ ବେଜିଂ ଅଲିମ୍ପିକ୍ସ କ୍ବାର୍ଟର ଫାଇନାଲ୍ ଫଳାଫଳ ସବୁଠାରୁ ନିର୍ଣ୍ଣାୟକ ଥିଲା। ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ସାଇନା ନେହ୍ବାଲ ଦେଶ ପାଇଁ ସର୍ବପ୍ରଥମ ବ୍ୟାଡ୍‌ମିଣ୍ଟନ୍ କାଂସ୍ୟ ଜିତିଲେ। ୨୦୧୬ ରିଓ ଅଲିମ୍ପିକ୍ସରେ ପିଭି ସିନ୍ଧୁ ଏହାକୁ ରୂପା ପଦକରେ ରୂପାନ୍ତରିତ କରିଦେଲେ। ଏବେ ୨୦୨୦ ଟୋକିଓ ଅଲିମ୍ପିକ୍ସରୁ ଆମେ ନିଶ୍ଚିତ ସ୍ବର୍ଣ୍ଣ ପଦକ ଆଶା କରିଛୁ‌ ବୋଲି ସୋମବାର ଗୋପୀଚାନ୍ଦ କହିଛନ୍ତି। ମୁମ୍ବାଇରେ ଏକ ଯୁବ ଖେଳାଳିଙ୍କ ସମ୍ବର୍ଧନା ଉତ୍ସବ ଅବସରରେ ଗୋପୀଚାନ୍ଦ ଏଭଳି କହିଛନ୍ତି। ପୂର୍ବରୁ ନନ୍ଦୁ ନାଟେକର, ସୁରେଶ ଗୋଏଲ ଏବଂ ପ୍ରକାଶ ପାଦୁକୋନଙ୍କ ଭଳି ଏକକ ବର୍ଗ ଖେଳାଳିଙ୍କ ପାଇଁ ବ୍ୟାଡ୍‌ମିଣ୍ଟନ୍ ମନେ ପଡୁଥିଲା। ସାଇନା ନେହ୍ବାଲ କିନ୍ତୁ ସବୁ ଧାରଣାକୁ ବଦଳାଇ ଦେଇଥିଲେ। ଏସବୁ କ୍ଷେତ୍ରରେ ସାଇନା ସବୁଠୁ ଗୁରୁତ୍ବପୂର୍ଣ୍ଣ। ତାଙ୍କ ଭଳି ପ୍ରସ୍ତୁତି ଓ ବିଜୟୀ ହେବାର ଭୋକ ଅନ୍ୟଠୁ ଆବଶ୍ୟକ। ପ୍ରଥମ ଥର ବିଜୟୀ ହେବା କଷ୍ଟକର ଥିଲା। ସେହିଭଳି ପିଭି ସିନ୍ଧୁଙ୍କ ନିକଟରେ ଆଉ ଦୁଇଟି ଅଲିମ୍ପିକ୍ସ ଖେଳିବାର ସୁଯୋଗ ରହିଛି ବୋଲି ମଧ୍ୟ କହିଥିଲେ ଗୋପୀଚାନ୍ଦ। ସିନ୍ଧୁ ଏ ପର୍ଯ୍ୟନ୍ତ ବିଶ୍ବ ପ୍ରତିଯୋଗିତା ଏବଂ ଅଲିମ୍ପିକ୍ସ ପଦକ ସହିତ ଅନ୍ୟ ସବୁ ଜିତି ସାରିଛନ୍ତି। ବିଜୟୀ ସୂତ୍ର ମୁଁ ପିଲାଙ୍କୁ ଦେଉଛି। ମୁଁ ନିଜେ ବିଜୟ ସୂତ୍ର ପାଇବା ବେଳକୁ‌ ଖେଳ ଜୀବନ ଶେଷ ହୋଇଯାଇଥିଲା ବୋଲି ମଧ୍ୟ ଗୋପୀଚାନ୍ଦ କହିଥିଲେ। ମୁଁ ଯଦି ୨୭ ବଦଳରେ ୨୦ ବର୍ଷ ବୟସରେ ଅଲ୍ ଇଂଲଣ୍ଡ ଟ୍ରଫି ଜିତିଥାନ୍ତି ତେବେ ଅଭିଜ୍ଞ ହେବାକୁ ସମୟ ମିଳିଯାଇଥାନ୍ତା ବୋଲି କହିଥିଲେ ଦେଶର ଏହି ସଫଳ ଦ୍ରୋଣାଚାର୍ଯ୍ୟ।

ସମ୍ବନ୍ଧିତ ଖବର