ବୁମ୍‌ରା ବିସ୍ଫୋରଣରେ ୧୦ ୱିକେଟ୍‌ ବିଜୟ

ଲଣ୍ଡନ୍‌: ଯଶପ୍ରୀତ ବୁମ୍‌ରାଙ୍କ ଘାତକ ବୋଲିଂ ପରେ ରୋହିତ ଶର୍ମାଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଭାରତ ଦିନିକିଆ ଶୃଙ୍ଖଳାକୁ ମଧ୍ୟ ଚମତ୍କାର ଢଙ୍ଗରେ ଆରମ୍ଭ କରିଛି। ମଙ୍ଗଳବାର ଭାରତ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୧୦ ୱିକେଟ୍‌ରେ ପରାସ୍ତ କରି ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ବୁମ୍‌ରାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୬/୧୯) କାରଣରୁ କେନିଂଟନ୍‌ ଓଭାଲରେ ଇଂଲଣ୍ଡ ମାତ୍ର ୨୫.୨ ଓଭରରେ ୧୧୦ ରନ୍‌ କରି ସମସ୍ତ ୱିକେଟ୍ ହରାଇଥିଲା। ରୋହିତ ଶର୍ମାଙ୍କ ଅପରାଜିତ ୭୬ ରନ୍‌ (୫୮ ବଲ୍, ୬ ଚୌକା, ୫ ଛକା) ବଳରେ ଭାରତ ମାତ୍ର ୧୮.୪ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ବୁମ୍‌ରାଙ୍କୁ ମିଳିଥିଲା।

ବୁମ୍‌ରା ତୃତୀୟ ଶ୍ରେଷ୍ଠ
ଯଶପ୍ରୀତ ବୁମ୍‌ରା ଦିନିକିଆ କ୍ରିକେଟ୍‌ରେ ନିଜ ଶ୍ରେଷ୍ଠ ବୋଲିଂ ଚିତ୍ର (୭.୨-୩-୧୯-୬) ପାଇଥିଲେ। ଦ୍ବିତୀୟ ଥର ପାଇଁ ୫ ୱିକେଟ୍ ସଫଳତା ପାଇଥିବା ବୁମରା ନିଜର ଶ୍ରେଷ୍ଠ ପୂର୍ବ ୫/୨୭ (ବନାମ ଶ୍ରୀଲଙ୍କା, ପାଲେକଲ, ୨୦୧୭)କୁ ପଛରେ ପକାଇଥିଲେ। ତେବେ ଭାରତ ପାଇଁ ଶ୍ରେଷ୍ଠ ଦିନିକିଆ ବୋଲିଂ ଚିତ୍ର ପାଇବାରେ ତୃତୀୟ ସ୍ଥାନକୁ ଉଠିଥିଲେ। ଷ୍ଟୁଆର୍ଟ ବିନ୍ନି (୬/୪) ଓ ଅନିଲ କୁମ୍ବଲେ (୬/୧୨) କେବଳ ତାଙ୍କଠାରୁ ଆଗରେ ରହିଛନ୍ତି। ମଙ୍ଗଳବାର ବୁମ୍‌ରାଙ୍କ ସହ ତାଳ ଦେଇ ମହମ୍ମଦ ସାମି ମଧ୍ୟ ୩ ୱିକେଟ୍‌ ଅକ୍ତିଆର କରିଥିଲେ। ପ୍ରସିଦ୍ଧ କୃଷ୍ଣ ଅନ୍ୟ ୱିକେଟ୍‌ଟି ନେବାରୁ ଇଂଲଣ୍ଡର ସମସ୍ତ ୧୦ ୱିକେଟ୍ ପେସ୍‌ ବୋଲରଙ୍କ ଖାତାକୁ ଯାଇଥିଲା। ୮ ବର୍ଷ ପରେ ଭାରତ ପାଇଁ ପେସ୍ ବୋଲରମାନେ ଏଭଳି କରିଥିଲେ। ୨୦୧୪ରେ ବାଂଲାଦେଶ ବିପକ୍ଷରେ ମଧ୍ୟ ଭାରତୀୟ ଦ୍ରୁତ ବୋଲରମାନେ ମୀରପୁରଠାରେ ସମସ୍ତ ୧୦ ୱିକେଟ୍ ନେଇଥିଲେ।

ପ୍ରଥମ ଭାରତୀୟ ପେସର୍‌
ବୁମ୍‌ରାଙ୍କ ୬/୧୯ ଇଂଲଣ୍ଡ ମାଟିରେ ଶ୍ରେଷ୍ଠ ଭାରତୀୟ ବୋଲିଂ ଚିତ୍ର। ପ୍ରଥମ ଭାରତୀୟ ପେସ୍‌ ବୋଲର ଭାବେ ମଧ୍ୟ ବୁମ୍‌ରା ୬ ୱିକେଟ୍ ସଫଳତା ପାଇଲେ। ବୁମ୍‌ରାଙ୍କ ପ୍ରଦର୍ଶନ ବଳରେ ଇଂଲଣ୍ଡ ମଧ୍ୟ ଭାରତ ବିପକ୍ଷରେ ନିଜ ସର୍ବନିମ୍ନ ସ୍କୋର୍‌ କରିଥିଲା। ପୂର୍ବରୁ ଦିନିକିଆରେ ଭାରତୀୟ ବୋଲର କେବେ ବି ଇଂଲଣ୍ଡକୁ ୧୧୦ ରନ୍‌ ପୂର୍ବରୁ ଆଉଟ୍ କରିନଥିଲେ। ଇଂଲଣ୍ଡ ମଧ୍ୟ ପ୍ରଥମ ଥର ପାଇଁ ଘରୋଇ ମାଟିରେ ୧୦ ୱିକେଟ୍‌ରେ ହାରିଥିଲା। ଏପରିକି ୨୦୧୧ ବିଶ୍ବକପ୍‌ କ୍ବାର୍ଟରଫାଇନାଲ୍ (ଶ୍ରୀଲଙ୍କା, କଲମ୍ବୋ) ପରେ ଇଂଲଣ୍ଡ ଏପରି ଲଜ୍ଜାଜନକ ପରାଜୟ ବରଣ କରିଛି।

ଚତୁର୍ଥ ଶତକୀୟ ଭାଗୀଦାରି
କେନିଂଟନ୍‌ ଓଭାଲ୍‌ରେ ରୋହିତ ଶର୍ମା-ଶିଖର ଧାୱନ ଚତୁର୍ଥ ଶତକୀୟ (୧୧୪*) ଭାଗୀଦାରି କରିବାରେ ତୃତୀୟ ଯୋଡ଼ି ହୋଇଥିଲେ। ନିର୍ଦ୍ଧିଷ୍ଟ ଏକ ପଡ଼ିଆରେ ପୂର୍ବରୁ କେବଳ ଦୁଇ ଯୋଡ଼ି ଏଭଳି କରିଥିଲେ। ବୁଲାୱାୟୋରେ ଜିମ୍ବାୱେର ହାମିଲଟନ୍‌ ମାସାକାଜା-ବ୍ରେଣ୍ଟନ୍ ଟେଲର୍‌ ଏବଂ ପାକିସ୍ତାନର ଫକର ଜମାନ-ଇମାମ୍ ଉଲ୍ ହକ୍‌ ମଧ୍ୟ ୪ ଲେଖାଏଁ ଶତକୀୟ ଭାଗୀଦାରି କରିଥିଲେ।

ସମ୍ବନ୍ଧିତ ଖବର