ଭାରତ ବିଜୟୀ: ୱେଷ୍ଟଇଣ୍ଡିଜ୍‌ ୧୪୧ ରନ୍‌ରେ ପରାସ୍ତ, ଅଶ୍ବିନଙ୍କୁ ୧୨ ୱିକେଟ୍‌

ରୋସେୟୁ: ପ୍ରଥମ ପାଳିରେ ୫ ୱିକେଟ୍‌ ସଫଳତା ପାଇଥିବା ରବିଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ପାଳିରେ ୭ ୱିକେଟ୍‌ ଅକ୍ତିଆର କରି ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତକୁ ପ୍ରଥମ ବିଜୟ ଭେଟି ଦେଇଛନ୍ତି। ଭାରତ ୪୨୧/୫ ରେ ଦ୍ବିତୀୟ ପାଳି ଘୋଷଣା କରିବା ପରେ ୱେଷ୍ଟଇଣ୍ଡିଜ ଦ୍ବିତୀୟ ପାଳି ୧୩୦ ରନ୍‌ରେ ସୀମିତ ରହିଥିଲା। ଏହାଫଳରେ ଭାରତ ଏକ ପାଳି ଓ ୧୪୧ ରନ୍‌ରେ ବିଜୟୀ ହେବା ସହ ମାତ୍ର ୩ ଦିନରେ ପ୍ରଥମ ମ୍ୟାଚ୍‌ ଶେଷ ହୋଇଯାଇଛି। ଏଥିସହିତ ଅଶ୍ବିନ ଟେଷ୍ଟରେ ଅଷ୍ଟମ ଥର ୧୦ ୱିକେଟ୍‌ ସଫଳତା ଅର୍ଜନ କରିଛନ୍ତି। ଅଶ୍ବିନଙ୍କ ବ୍ୟତୀତ ରବିନ୍ଦ୍ର ଜାଦେଜା (୨/୩୮) ଓ ମହମ୍ମଦ ସିରାଜ (୧/୧୬) ଅନ୍ୟ ୱିକେଟ୍‌ଗୁଡ଼ିକୁ ଝଡ଼ାଇଥିଲେ। ୱେଷ୍ଟଇଣ୍ଡିଜ୍‌ ପାଇଁ ଆଲିକ୍‌ ଆଥାନେଜ୍‌ ସର୍ବାଧିକ ୨୮ ରନ୍‌ କରିଥିଲେ। ପଦାର୍ପଣରେ ଶତକ ମାରିଥିବା ଯଶସ୍ବୀ ଜୟସ୍ବାଲ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା।

ଏଥିପୂର୍ବରୁ ଭାରତ ଶୁକ୍ରବାର ୩୧୨/୨ ରୁ ଖେଳିବା ଆରମ୍ଭ କରିଥିଲା। ଯୁବ ବ୍ୟାଟର୍‌ ଜୟସ୍ବାଲ୍‌ ପ୍ରଥମେ ୧୫୦ ରନ୍‌ ପୂରଣ କରିବା ପରେ ଆକ୍ରମଣାତ୍ମକ ଖେଳିବାକୁ ଆରମ୍ଭ କରିଥିଲେ। ବିରାଟ କୋହଲିଙ୍କ ସହ ୧୧୦ ରନ୍‌ର ଭାଗୀଦାରି ମଧ୍ୟ କରିଥିଲେ। କିନ୍ତୁ ଆଲଜାରି ଜୋସେଫ୍‌ଙ୍କ ଲେନ୍ଥ ବଲ୍‌କୁ କଭର୍‌ ଅଞ୍ଚଳକୁ ଖେଳିବାକୁ ଯାଇ ୱିକେଟ୍‌ପଛରେ ଧରାପଡ଼ିଥିଲେ। ଆଉଟ୍‌ ହେବା ବେଳକୁ ୩୮୭ ବଲ୍‌ର ସମ୍ମୁଖୀନ ହୋଇ ୧୬ ଚୌକା ଓ ୧ ଛକା ସହାୟତାରେ ୧୭୧ ରନ୍‌ ସଂଗ୍ରହ କରିଥିଲେ। କେମାର ରୋଚ୍‌ଙ୍କ ଅତିରିକ୍ତ ବାଉନ୍ସକୁ ବୁଝିନପାରି ଉପଅଧିନାୟକ ଅଜିଙ୍କ୍ୟ ରାହାଣେ କଭର୍‌ରେ ଜର୍ମାଇନ୍‌ ବ୍ଲାକଉଡ୍‌ଙ୍କୁ କ୍ୟାଚ୍‌ ଦେଇ ଫେରିଥିଲେ। ମଧ୍ୟାହ୍ନଭୋଜନ ପରେ କୋହଲିଙ୍କୁ ଅଫସ୍ପିନର୍‌ ରାଖିମ କର୍ଣ୍ଣୱାଲ୍‌ ଲେଗ୍‌ ସ୍ଲିପ୍‌ରେ ଆଥାନେଜଙ୍କ ହାତରେ ଧରାପଡ଼ିଥି‌ଲେ। ୭୬ ରନ୍ କରିଥିଲେ ମଧ୍ୟ ୭୬ତମ ଅନ୍ତର୍ଜାତୀୟ ଶତକର ସୁବର୍ଣ୍ଣ ସୁଯୋଗ ଛାଡ଼ି ‌ଦେଇଥିଲେ। ଭାରତ ୪୨୧/୫ ରେ ପାଳି ଘୋଷଣା କରିଥିଲା। ଏହାଫଳରେ ପ୍ରଥମ ପାଳିରେ ଭାରତ ୨୭୧ ରନ୍ ଅଗ୍ରଣୀ ପାଇଛି।

ସଂକ୍ଷିପ୍ତ ସ୍କୋର: ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୧୫୦/୧୦। ଭାରତ ପ୍ରଥମ ପାଳି: ୧୫୨.୨ ଓଭରରେ ୪୨୧/୫, ଘୋଷିତ (ଯଶସ୍ବୀ ଜୟସ୍ବାଲ୍‌-୧୭୧, ରୋହିତ ଶର୍ମା-୧୦୩, ବିରାଟ କୋହଲି-୭୬, ରବୀନ୍ଦ୍ର ଜାଦେଜା-୩୭*, ରାଖିମ କର୍ଣ୍ଣୱାଲ୍‌-୧/୩୨, କେମାର ରୋଚ୍‌-୧/୫୦, ଆଲିକ୍‌ ଆଥା‌ନେଜ୍‌-୧/୫୩, ଅଲଜାରି ଯୋସେଫ-୧/୮୦, ଜୋମେଲ୍ ୱାରିକାନ୍‌-୧/୧୦୬)। ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳି: ୫୦.୩ ଓଭରରେ ୧୩୦/୧୦ (ଆଲିକ୍‌ ଆଥାନେଜ୍‌-୨୮, ଜାସନ୍‌ ହୋଲ୍ଡର ୨୦*, ରବିଚନ୍ଦ୍ରନ ଅଶ୍ବିନ-୭/୭୧, ରବୀନ୍ଦ୍ର ଜାଦେଜା-୨/୩୮)।

ଜୟସ୍ବାଲ୍‌-ରୋହିତଙ୍କ କୀର୍ତ୍ତିମାନ

-ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲ୍‌ଙ୍କ ମଧ୍ୟରେ ପ୍ରଥମ ୱିକେଟ୍‌ରେ ହୋଇଥିବା ୨୨୯ ରନ୍‌ର ଭାଗୀଦାରି ଭାରତ ପାଇଁ ଏସିଆ ବାହାରେ ସର୍ବୋଚ୍ଚ। ପୂର୍ବରୁ ଚେତନ ଚୌହାନ୍‌ ଓ ସୁନୀଲ ଗାଭାସ୍କରଙ୍କ ମଧ୍ୟରେ ୧୯୭୯ ରେ ଦ ଓଭାଲ୍‌ଠାରେ ୨୧୩ ରନ୍‌ର ଭାଗୀଦାରି ହୋଇଥିଲା। ୨୨୯ ରନ୍‌ ଭାଗୀଦାରି ବିଦେଶରେ ପ୍ରଥମ ୱିକେଟ୍‌ରେ ତୃତୀୟ ସର୍ବାଧିକ।
-ଜୟସ୍ବାଲ୍‌ ପଦାର୍ପଣ ଟେଷ୍ଟ୍‌ରେ ୩୮୭ ବଲ୍‌ ଖେଳି ଭାରତୀୟଙ୍କ ମଧ୍ୟରେ ‌ଶୀର୍ଷକୁ ଉଠିଛନ୍ତି। ମହମ୍ମଦ ଆଝାରୁଦ୍ଦିନ୍‌ ୧୯୮୪ରେ ଇଡେନ୍‌ ଗାର୍ଡେନ୍ସରେ ଇଂଲଣ୍ଡ ବିପକ୍ଷରେ ୧୧୦ ରନ୍‌ ପାଇଁ ୩୨୨ ବଲ୍‌ ଖେଳିଥିଲେ।
-ଜୟସ୍ବାଲ୍‌ଙ୍କ ବ୍ୟତୀତ ଆଉ ୨ ଭାରତୀୟ ଟେଷ୍ଟ ପଦାର୍ପଣରେ ବଡ଼ ସ୍କୋର କରିପାରିଥିଲେ। ୨୦୧୩ରେ ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ଶିଖର ଧାୱନ ୧୮୭ ଏବଂ ସେହିବର୍ଷ ଇଡେନ୍‌ ଗାର୍ଡେନ୍ସରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ରୋହିତ ଶର୍ମା ୧୭୭ ରନ୍‌ କରିଥିଲେ। ଜୟସ୍ବାଲ୍ (୧୭୧ ରନ୍‌) ଏବେ ତୃତୀୟରେ ରହିଲେ।
-ଟେଷ୍ଟ ପଦାର୍ପଣରେ ପ୍ରାରମ୍ଭିକ ବ୍ୟାଟର୍‌ ଭାବେ ଶତକ ମାରିବାରେ ଜୟସ୍ବାଲ୍‌ ତୃତୀୟ ଭାରତୀୟ ବ୍ୟାଟର ହୋଇପାରିଛନ୍ତି। ତାଙ୍କ ପୂର୍ବରୁ ଧାୱନ ୧୮୭ ରନ୍‌ କରିଥିଲା ବେଳେ ପୃଥ୍ବୀ ସ’ ୨୦୧୮ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୧୩୪ ରନ୍‌ ସଂଗ୍ରହ କରିଥିଲେ।
-ଜୟସ୍ବାଲ୍‌ଙ୍କ ଶତକ ପୂର୍ବରୁ ସୌରଭ ଗାଙ୍ଗୁଲିଙ୍କ ୧୩୧ ରନ୍‌ ବିଦେଶ ମାଟିରେ କୌଣସି ଭାରତୀୟ ଟେଷ୍ଟ ପଦାର୍ପଣକାରୀଙ୍କ ସର୍ବାଧିକ ରନ୍‌ ଥିଲା। ସୌରଭ ୧୯୯୬ରେ ଲର୍ଡ୍ସରେ ଏହି କୀର୍ତ୍ତିମାନ କରିଥିଲେ। ଜୟସ୍ବାଲ ଏହାକୁ ଅତିକ୍ରମ କରିଯାଇଛନ୍ତି।
-ଟେଷ୍ଟରେ କୌଣସି ୱିକେଟ୍‌ ନ ହରାଇ ଭାରତ ଅଗ୍ରଣୀ ନେବାରେ ଏହା ପ୍ରଥମ ଘଟଣା। ଏଥିପୂର୍ବରୁ ନିକଟତମ ଅଗ୍ରଣୀ ଭିତରେ ୧୯୭୮ ସିଡ୍‌ନି ଟେଷ୍ଟ ରହିଥିଲା। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ୧୩୧ ରନ୍‌ ଜବାବରେ ଗାଭାସ୍କର ଓ ଚେତନ ଚୌହାନ ୯୭ ରନ୍‌ର ପ୍ରଥମ ୱିକେଟ୍‌ ଭାଗୀଦାରି କରିଥିଲେ।
-ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨୦୦୮ରେ ଶେଷ ଥର ପାଇଁ ଉଭୟ ପ୍ରାରମ୍ଭିକ ବ୍ୟାଟର ଗୋଟିଏ ପାଳିରେ ଶତକ ଅର୍ଜନ କରିଥିଲେ। ବ୍ରିଜଟାଉନ୍‌ ଟେଷ୍ଟରେ ଅଷ୍ଟ୍ରେଲିଆ ପାଇଁ ଦ୍ବିତୀୟ ପାଳିରେ ଫିଲ୍‌ ଜାକ୍ସ ଓ ସାଇମନ୍‌ କାଟିଚ୍‌ ଶତକ ଜମାଇଥିଲେ।

ସମ୍ବନ୍ଧିତ ଖବର