ବେଙ୍ଗାଲୁରୁ: ଭାରତୀୟ ହକି ଦଳ ନ୍ୟୁଜିଲାଣ୍ଡ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ ସାଇ କ୍ୟାମ୍ପସ୍ରେ ଗୁରୁବାରଠୁ ଆରମ୍ଭ ହୋଇଥିବା ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଘରୋଇ ଭାରତୀୟ ଦଳ ୪-୨ ଗୋଲ୍ରେ ନ୍ୟୁଜିଲାଣ୍ଡ୍କୁ ପରାସ୍ତ କରିଦେଇଛି। ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିଥିବା ଡ୍ରାଗ୍ ଫ୍ଲିକର ରୂପୀନ୍ଦର ପାଲ୍ ସିଂହ ଦୁଇଟି ଏବଂ ମନ୍ଦୀପ୍ ସିଂହ ଓ ହର୍ମନ୍ପ୍ରୀତ୍ ସିଂହ ଗୋଟିଏ ଲେଖାଏଁ ଗୋଲ୍ କରି ଭାରତକୁ ବିଜୟ ଭେଟି ଦେଇଥିଲେ। ଅନ୍ୟପକ୍ଷରେ ଷ୍ଟିଫେନ୍ ଜେନେସ୍ ଏକା ନ୍ୟୁଜିଲାଣ୍ଡ୍ ପାଇଁ ଦୁଇଟିଯାକ ଗୋଲ୍ କରିଥିଲେ। ଘରୋଇ ଦଳର ଦମ୍ଦାର ଆରମ୍ଭ ବଳରେ ମ୍ୟାଚ୍ର ପ୍ରଥମ ମିନିଟ୍ରେ ହିଁ ମିଳିଥିଲା ପେନାଲ୍ଟି କର୍ନର। ଏହି ଫାଇଦାକୁ ହାତଛଡ଼ା କରିନଥିଲେ ରୂପୀନ୍ଦର। ସେ ବଲ୍କୁ ତଳୁଆ କରି ନ୍ୟୁଜିଲାଣ୍ଡ୍ ଗୋଲ୍ରକ୍ଷକ ରିଚାର୍ଡ ଜୋୟସ୍ଙ୍କ ଚକ୍ମା ଦେଇଥିଲେ। ଫଳରେ ମ୍ୟାଚ୍ର ଦ୍ୱିତୀୟ ମିନିଟ୍ରେ ହିଁ ଭାରତ ୧-୦ରେ ଆଗୁଆ ହୋଇଯାଇଥିଲା। ଅବଶ୍ୟ ସପ୍ତମ ମିନିଟ୍ରେ ସ୍ଥିତି ସମାନ କରିବାର ସୁଯୋଗ ଭ୍ରମଣକାରୀ ଦଳକୁ ମିଳିଥିଲା ବେଳେ ଏହାକୁ ଭାରତୀୟ ଗୋଲ୍ରକ୍ଷକ କୃଷ୍ଣ ପାଠକ ନିସ୍ଫଳ କରିଦେଇଥିଲେ। ତେବେ ୧୫ ମିନିଟ୍ରେ ଭାରତ ଦ୍ୱିତୀୟ ଗୋଲ୍ କରି ନ୍ୟୁଜିଲାଣ୍ଡ୍ ଉପରେ ଚାପ ପକାଇଥିଲା। ମନ୍ପ୍ରୀତ୍ ସିଂହଙ୍କ କ୍ରସ୍ ପାସ୍କୁ ଚମତ୍କାର ଭାବେ ନିୟଂତ୍ରଣକୁ ନେଇ ମନ୍ଦୀପ୍ ସିଂହ ଏହି ଗୋଲ୍ କରିଥିଲେ। ଏଥି ସହିତ ଭାରତ ୨-୦ରେ ଆଗୁଆ ରହିଥିଲା। ପ୍ରଥମ କ୍ୱାର୍ଟର ଭାରତ ସପକ୍ଷରେ ରହିବା ପରେ ଦ୍ୱିତୀୟ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ୍ ନିଜ ରକ୍ଷଣଭାଗକୁ ଅଧିକ ସୁଦୃଢ଼ କରିଥିଲା। ଫଳରେ ୨୨ ମିନିଟ୍ରେ ଭାରତକୁ ମିଳିଥିବା ଏକ ପେନାଲ୍ଟି କର୍ନରକୁ ନ୍ୟୁଜିଲାଣ୍ଡ୍ ଗୋଲ୍ ହେବାକୁ ଦେଇନଥିଲା। ତେବେ ୨୬ ମିନିଟ୍ରେ ନ୍ୟୁଜିଲାଣ୍ଡ୍ ପ୍ରଥମ ଗୋଲ୍ ପାଇଥିଲା। ଷ୍ଟିଫେନ୍ ଏକ ଆକର୍ଷଣୀୟ ଫିଲ୍ଡ ଗୋଲ୍ କରି ବ୍ୟବଧାନ ୧-୨ କରିଦେଇଥିଲେ। ତଥାପି ପ୍ରଥମାର୍ଧ ଭାରତ ସପକ୍ଷରେ ୨-୧ରେ ରହିଥିଲା। କିନ୍ତୁ ପ୍ରଥମାର୍ଧ ପରେ ଭାରତ ତା’ର ଆକ୍ରମଣକୁ ଅଧିକ ଜୋର୍ଦାର କରିଥିଲା। ଫଳରେ ଏସ୍ଭି ସୁନୀଲ ଦଳ ପାଇଁ ତୃତୀୟ ପେନାଲ୍ଟି କର୍ନର ସୃଷ୍ଟି କରିଥିଲେ। ଆଉ ରୂପୀନ୍ଦର ପୁଣି ତାଙ୍କ ଚମତ୍କାରିତା ଦେଖାଇଥିଲେ। ୩୪ ମିନିଟ୍ରେ ସେ ବଲ୍କୁ ନେଟ୍ର ପୂରା ଡାହାଣ ପାର୍ଶ୍ୱ ଦେଇ ଗୋଲ୍ କରିଥିଲେ। ଭାରତ ସହଜରେ ୩-୧ରେ ଆଗେଇ ଯାଇଥିଲା। ଏହାର ୪ ମିନିଟ୍ ପରେ ଅର୍ଥାତ୍ ୩୮ ମିନିଟ୍ରେ ଭାରତକୁ ଆଉ ଏକ ଗୋଲ୍ ଉପହାର ଦେଇଥିଲେ ହର୍ମନ୍ପ୍ରୀତ୍ ସିଂହ। ଏହି ଗୋଲ୍ରେ ମଧ୍ୟ ସୁନୀଲଙ୍କ ଅବଦାନ ରହିଥିଲା। ତାଙ୍କ ଦ୍ୱାରା ସୃଷ୍ଟ ସୁଯୋଗକୁ ହର୍ମନ୍ପ୍ରୀତ୍ ଶକ୍ତିଶାଳୀ ସଟ୍ ଦ୍ୱାରା ଭାରତ ପାଇଁ ଚତୁର୍ଥ ଗୋଲ୍ କରିଥିଲେ। ଚତୁର୍ଥ ତଥା ଶେଷ କ୍ୱାର୍ଟର ପୂର୍ବରୁ ୪-୧ରେ ଆଗୁଆ ରହିଥିବା ଭାରତକୁ ଆଉ ଗୋଲ୍ କରିବାର ସୁଯୋଗ ଦେଇନଥିଲା ବେଳେ ନ୍ୟୁଜିଲାଣ୍ଡ୍ କିନ୍ତୁ ଗୋଟିଏ ଶୁଝିବାରେ ସମର୍ଥ ହୋଇଥିଲା। ଭାରତୀୟ ଗୋଲ୍ରକ୍ଷକ ସୁରଜ କେର୍କେରାଙ୍କୁ ଚକ୍ମା ଦେଇ ୫୫ ମିନିଟ୍ରେ ଷ୍ଟିଫେନ୍ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍ କରିଥିଲେ। ଏହାପରେ ମ୍ୟାଚ୍ ଶେଷ ହେବାକୁ ୫୦ ସେକେଣ୍ଡ୍ ଥିଲା ବେଳେ ନ୍ୟୁଜିଲାଣ୍ଡ୍ ଲାଗ ଲାଗ ଦୁଇଟି ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ କେର୍କେରାଙ୍କ ଚମତ୍କାର ପ୍ରୟାସ ହିଁ ଉଭୟ ସୁଯୋଗକୁ ଭଣ୍ଡୁର କରିଦେଇଥିଲେ। ଏଥି ସହିତ ଭାରତ ୪-୨ ଗୋଲ୍ରେ ମ୍ୟାଚ୍ ଜିତି ୧-୦ରେ ଶୃଙ୍ଖଳା ଆଗୁଆ ରହିଲା। ଉଭୟ ଦଳ ମଧ୍ୟରେ ଦ୍ୱିତୀୟ ତଥା ପରବର୍ତୀ ଟେଷ୍ଟ ଆସନ୍ତା ଶନିବାର (୨୧ ତାରିଖ) ଖେଳାଯିବ।
ଭାରତ ୪-୨ରେ ବିଜୟୀ
ନ୍ୟୁଜିଲାଣ୍ଡ ବିପକ୍ଷ ହକି ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ
/sambad/media/post_attachments/wp-content/uploads/2018/07/6-Indian-Mens-Hockey-Team-beat-New-Zealand-4-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)