ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ: ଭାରତର ଚତୁର୍ଥ ଶେଷ ବଲ୍‌ ବିଜୟ

ମେଲ୍‌ବର୍ଣ୍ଣ: ପାକିସ୍ତାନ ବିପକ୍ଷରେ ଶେଷ ବଲ୍‌ ବିଜୟ ସହିତ ଭାରତ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଚତୁର୍ଥ ଥର ପାଇଁ ଏଭଳି ଫିନିସ୍ କରିଛି। ପୂର୍ବରୁ ୨୦୧୬ରେ ସିଡନିରେ ଅଷ୍ଟ୍ରେଲିଆକୁ, ୨୦୧୮ରେ କଲମ୍ବୋରେ ବାଂଲାଦେଶକୁ ଏବଂ ସେହିବର୍ଷ ଚେନ୍ନାଇରେ ୱେଷ୍ଟଇଣ୍ଡିଜ୍‌କୁ ମଧ ଭାରତ ଶେଷ ବଲ୍‌ରେ ହରାଇଥିଲା।

-ବିରାଟ କୋହଲି ଏବଂ ହାର୍ଦିକ ପାଣ୍ଡ୍ୟା ପଞ୍ଚମ ୱିକେଟ୍ ପାଇଁ ୧୧୩ ରନ୍‌ ଯୋଡ଼ିବା ଭାରତ ବିଜୟର ଟର୍ଣ୍ଣିଂ ପଏଣ୍ଟ ଥିଲା। ଏହି ଭାଗୀଦାରି ଏବେ ଭାରତ ପାଇଁ ଏକ ରେକର୍ଡ ଆଣି ଦେଇଛି। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ପାକିସ୍ତାନ ବିପକ୍ଷରେ ଭାରତ ପାଇଁ ଯେ କୌଣସି ୱିକେଟ୍‌ ଲାଗି ଏହା ସର୍ବୋଚ୍ଚ ଭାଗୀଦାରି ହୋଇଛି।

-ଶେଷ ୩ ଓଭରରୁ ୪୮ ରନ୍‌ ଆବଶ୍ୟକ ବେଳେ ସଫଳ ପଶ୍ଚାତଧାବନରେ ମଧ୍ୟ ଭାରତ ଏକ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ରେକର୍ଡର ସମକକ୍ଷ ହୋଇଛି।

୨୦୧୦ରେ ଗ୍ରସ୍‌ ଆଇସଲେଟ୍‌ରେ ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ୩ ଓଭରରୁ ସମାନ ୪୮ ରନ୍‌ କରି ବିଜୟୀ ହୋଇଥିଲା। ୨୦୧୪ରେ ମୀରପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ ୪୨ ରନ୍‌ ଏବଂ ୨୦୧୦ରେ ଗ୍ରସ୍‌ ଆଇସଲେଟ୍‌ରେ ଭାରତ ବିପକ୍ଷରେ ଶ୍ରୀଲଙ୍କା ୪୧ ରନ୍‌ କରି ମଧ୍ୟ ବିଜୟୀ ହୋଇଥିଲା।

-ବିରାଟ କୋହଲିଙ୍କ ପାକିସ୍ତାନ ବିପକ୍ଷ ଚମତ୍କାର ପ୍ରଦର୍ଶନ ଜାରି ରହିଛି। କେବଳ ବିଶ୍ବକପ୍‌ରେ କୋହଲି ଏହି ପଡ଼ୋଶୀ ଦେଶ ବିପକ୍ଷରେ ୫ ପାଳି ଖେଳି ୪ ଥର ଅପରାଜିତ ରହିଛନ୍ତି। ୨୦୧୨ରେ କଲମ୍ବୋରେ ୭୮*, ୨୦୧୪ରେ ମୀରପୁରରେ ୩୬*, ୨୦୧୬ରେ କୋଲକାତାରେ ୫୫* (୩୭ ବଲ୍‌), ୨୦୨୧ରେ ଦୁବାଇରେ ୫୭ (୪୯ ରନ୍‌) କରିଥିବା କୋହଲି ରବିବାର ମେଲ୍‌ବର୍ଣ୍ଣରେ ୫୩ ବଲ୍‌ରୁ ୮୨* ରନ୍‌ କରିଥିଲେ। ଏପରି ମୋଟ ଉପରେ ୫ ପାଳିରୁ ମୋଟ ୩୦୮ ରନ୍‌ ସଂଗ୍ରହ କରିଛନ୍ତି। ଏ ସମ୍ପର୍କରେ କୋହଲିଙ୍କୁ ପଚାରାଯିବାରୁ କହିଥିଲେ ‘ମୋ ପାଇଁ ସୌଭାଗ୍ୟର ବିଷୟ ହେଉଛି ମୁଁ ଏଭିଳ ବଡ଼ ମ୍ୟାଚ୍‌ ଖେଳିବାର ସୁଯୋଗ ପାଉଛି। ୯୦ ହଜାରରୁ ଊର୍ଧ୍ବ ଦର୍ଶକଙ୍କ ସମ୍ମୁଖରେ ପାକିସ୍ତାନ ବିପକ୍ଷରେ ଖେଳିବା ବଡ଼ କଥା ଥିଲା। ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳିବାକୁ ମୁଁ ଭଲ ପାଏ। ଏହା ମଧ୍ୟ ନିଜକୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରବର୍ତ୍ତାଇଥାଏ ବୋଲି କୋହଲି କହିଥିଲେ।

ସୁପର୍‌ ୧୨, ସୁପର୍‌ ଓଭର୍‌ ୧୨
ସୁପର୍‌ ୧୨ ପର୍ଯ୍ୟାୟର ଗ୍ରୁପ୍‌-୨ରେ ଖେଳିଥିଲେ ଭାରତ ଓ ପାକିସ୍ତାନ। ଉଭୟ ଦଳ ପାଇଁ ମଧ୍ୟ ରବିବାର ଅପୂର୍ବ ସଂଯୋଗ ସହିତ ସୁପର୍‌ ଥିଲା ୧୨ ନମ୍ବର ଓଭର। ପାକିସ୍ତାନ ନିଜ ପାଳିର ୧୨ତମ ଓଭରରୁ ୨୧ ରନ୍‌ ଆଦାୟ କରିଥିଲା। ଅକ୍ଷର ପଟେଲଙ୍କୁ ୩ ଛକା ମାରିଥିଲେ ଇଫ୍‌ତିକାର ଅହମ୍ମଦ। ଭାରତ ମଧ୍ୟ ନିଜ ପାଳିର ୧୨ତମ ଓଭରରୁ ୨୦ ରନ୍‌ ଆଦାୟ କରିଥିଲା। ଏଥିରେ ମଧ୍ୟ ୩ ଛକା ସାମିଲ ଥିଲା। ମହମ୍ମଦ ନୱାଜଙ୍କଠାରୁ ହାର୍ଦିକ ଗୋଟିଏ ଏବଂ ବିରାଟ ୨ ଛକା ମାରି ଭାରତ ସପକ୍ଷକୁ ମ୍ୟାଚ୍‌ ଟାଣିବା ଆରମ୍ଭ କରିଥିଲେ। ଉଭୟ ପାଳି ପ୍ରଥମରୁ ସଙ୍କଟରେ ପଡ଼ିଥିଲା ବେଳେ ୧୨ ନମ୍ବର ଓଭରଠାରୁ ହିଁ ଲୟ ପକଡ଼ିଥିଲା।

୪ ଓପନର୍‌ ବିଫଳ
ରୋହିତ ଶର୍ମା ଟସ୍ ଜିତିବା ପରେ ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲେ। ପାକିସ୍ତାନର ମୁଖ୍ୟ ଶକ୍ତି ରହି ଆସିଥିବା ମହମ୍ମଦ ରିଜୱାନ ଓ ବାବର ଆଜମଙ୍କ ପ୍ରାରମ୍ଭିକ ଯୋଡ଼ିଙ୍କୁ ଭାରତର ବିଶ୍ବକପ୍‌ ପଦାର୍ପଣ ପଞ୍ଜାବୀ ବୋଲର୍‌ ଅର୍ଶଦୀପ ସିଂହ ଶାନ୍ତ କରିଦେଇଥିଲେ। ନିଜର ସର୍ବପ୍ରଥମ ବିଶ୍ବକପ୍‌ ବଲ୍‌ରେ ବାବର ଆଜମଙ୍କୁ ଏବଂ ପରବର୍ତୀ ଓଭରରେ ରିଜୱାନଙ୍କୁ ପ୍ୟାଭିଲିଅନ୍‌ ପଠାଇ ଦେଇଥିଲେ। ସମାନ ଢଙ୍ଗରେ ମଧ୍ୟ ଭାରତୀୟ ପ୍ରାରମ୍ଭିକ ଯୋଡ଼ି କେଏଲ୍ ରାହୁଲ୍‌ ଓ ରୋହିତ ଶର୍ମା ସଅଳ ଆଉଟ୍ ହୋଇଯାଇଥିଲେ। ଏହି ୪ ଜଣଙ୍କ ମଧ୍ୟରୁ ୩ ଜଣ ସମାନ ୪ ରନ୍‌ରେ ଆଉଟ୍ ହୋଇଥିବା ବେଳେ ବାବର ଖାତା ଖୋଲି ପାରିନଥିଲେ। ପାକିସ୍ତାନ ପାଳିକୁ କିନ୍ତୁ ସାନ୍ ମାସୁଦ୍ (୪୨ ବଲ୍‌ରୁ ୫୨* ରନ୍‌) ଏବଂ ଇଫତିକାର ଅହମ୍ମଦ (୩୪ ବଲ୍‌ରୁ ୫୧ ରନ୍‌) ସମ୍ଭାଳିଥିଲେ। ମାସୁଦଙ୍କ ପାଳି କାରଣରୁ ହିଁ ପାକିସ୍ତାନ ୧୫୯ ରନ୍‌ କରିପାରିଥିଲା। ଭାରତ ପକ୍ଷରୁ ହାର୍ଦିକ ପାଣ୍ଡ୍ୟା (୩/୩୦), ଅର୍ଶଦୀପ ସିଂହ (୩/୩୨) ମିଳିତ ଭାବେ ୬ ୱିକେଟ୍ ନେଇଥିଲେ। ଭୁବନେଶ୍ବର କୁମାର (୪-୦-୨୨-୧) ଏକମାତ୍ର ବୋଲର ଭାବେ ଓଭର ପ୍ରତି ୬ ରନ୍‌ରୁ କମ୍ ବ୍ୟୟ କରି ନିର୍ଣ୍ଣାୟକ ହୋଇଥିଲେ।

ସମ୍ବନ୍ଧିତ ଖବର