ନ୍ୟୁଜିଲାଣ୍ଡ୍‌କୁ ୬ ୱିକେଟ୍‌ରେ ହରାଇଲା ଭାରତ, ନ୍ୟୁଜିଲାଣ୍ଡ୍‌କୁ ୬ ୱିକେଟ୍‌ରେ ହରାଇଲା ଭାରତ

ଅକଲାଣ୍ଡ୍‌: କେଏଲ୍‌ ରାହ‌ୁଲ ଓ ବିରାଟ କୋହଲିଙ୍କ ପରେ ଯୁବ ତାରକା ଶ୍ରେୟସ ଆୟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡ୍‌ ଗସ୍ତରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଟି-୨୦ରେ ୬ ବଲ୍‌ ପୂର୍ବରୁ ଭାରତ ୬ ୱିକେଟ୍‌ରେ ବିଜୟୀ ହୋଇ ୫ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ୬ ମାସ ତଳେ ବିଶ୍ବକପ୍‌ (୫୦ ଓଭରିଆ) ସେମିଫାଇନାଲରେ ହାରିବାର ତିକ୍ତତାକୁ ଦୂର କରି ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ପ୍ରତିଶୋଧ ମୂଳକ ବିଜୟ ହାସଲ କରିଛି। ଟି-୨୦ ଅନ୍ତର୍ଜାତୀୟରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଥିବା ଦୁର୍ବଳ ପ୍ରଦର୍ଶନର ଧାରାକୁ ମଧ୍ୟ କୋହଲି ବାହିନୀ କ୍ରମେ ଦୂର କରିବାରେ ଲାଗିଛି।‌ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ୧୨ ଟି-୨୦ରୁ ଭାରତର ଏହା ଚତୁର୍ଥ ଏବଂ ନ୍ୟୁଜିଲାଣ୍ଡ୍‌ ମାଟିରେ ୬ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ। ଚଳିତ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ମଧ୍ୟ ଏହି ପଡ଼ିଆରେ ରବିବାର ଖେଳାଯିବ।

ଭାରତ ସମ୍ମୁଖରେ ୨୦୪ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯିବା ପରେ ମ୍ୟାଚ୍‌ କୌଣସି ଦଳ ସପକ୍ଷରେ ଯିବା ସମ୍ଭାବନା ରହିଥିଲା। ଦ୍ବିତୀୟ ଓଭରରେ ରୋହିତ ଶର୍ମା (୭, ୬ ବଲ୍‌, ୧ ଛକା)ଙ୍କ ଆଉଟ୍ ମଧ୍ୟ ଭାରତକୁ ପ୍ରାରମ୍ଭିକ ଝଟ୍‌କା ପହଞ୍ଚାଇଥିଲା। କିନ୍ତୁ ଲୟରେ ଥିବା କେଏଲ୍‌ ରାହୁଲ୍ ଏବଂ ବିରାଟ କୋହଲି ଦ୍ବିତୀୟ ୱିକେଟ୍ ପାଇଁ ୫୦ ବଲ୍‌ରୁ ୯୯ ରନ୍‌ ଯୋଡ଼ିବା ମ୍ୟାଚ୍‌କୁ ଭାରତ ସପକ୍ଷରେ ରଖିଥିଲା। ଗୋଟିଏ ଓଭର ବ୍ୟବଧାନରେ ରାହୁଲ (୫୬, ୨୭ ବଲ୍‌) ଏବଂ କୋହଲି (୪୫, ୩୨ ବଲ୍‌) ଆଉଟ୍ ହୋଇଯିବା ପରେ ଭାରତ ଉପରେ ଚାପ ପଡ଼ିବ ବୋଲି ଆଶଙ୍କା କରାଯାଉଥିଲା। ଶିଭମ ଦୁବେ (୧୩, ୯ ବଲ୍‌, ୧ ଚୌକା, ୧ ଛକା) ଭଲ ଆରମ୍ଭ କରିଥିଲେ ମଧ୍ୟ ସୋଢ଼ିଙ୍କ ବିପକ୍ଷରେ ଛକା ଦୋହରାଇବାକୁ ଯାଇ ସୀମାରେଖା ନିକଟରେ ଧରା ପଡ଼ିଯାଇଥିଲେ। ଏହି ସମୟରେ ଏକାଠି ହୋଇଥିବା ଯୁବ ‌ଯୋଡ଼ି ଶ୍ରେୟସ ଆୟର୍ (୫୮*, ୨୯ ବଲ୍‌, ୫ ଚୌକା, ୩ ଛକା) ଏବଂ ମନୀଷ ପାଣ୍ଡେ (୧୪*, ୧୨ ବଲ୍‌, ୧ ଛକା) ଆଉ କ୍ଷତି ନପହଞ୍ଚାଇ ଗୋଟିଏ ଓଭର ପୂର୍ବରୁ ଭାରତକୁ ବିଜୟୀ କରାଇଥିଲେ। ଟିମ୍ ସାଉଦିଙ୍କ ସ୍ଲୋୟାର୍‌ ବଲ୍‌କୁ ମିଡ୍‌ ୱିକେଟ୍ ଉପରେ ବିଶାଳ ଛକା ମାରି ଶ୍ରେୟସ ଆୟର୍ ମଧ୍ୟ ମ୍ୟାଚ୍‌ ଶେଷ କରିଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ତାଙ୍କୁ ମିଳିଥିଲା।

ପୂର୍ବରୁ ଭାରତ ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ପ୍ରଥମ ୬ ଓଭର ପାୱାର ପ୍ଲେରେ ମାର୍ଟିନ୍ ଗପ୍ଟିଲ୍‌ (୩୦, ୧୯ ବଲ) ଏବଂ କଲିନ୍ ମୁନ୍‌ରୋ (୫୯, ୪୨ ବଲ୍‌) ୬୮ ରନ୍‌ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। ଗପ୍ଟିଲଙ୍କୁ ଆଉଟ୍ କରି ଶିବମ ଦୁବେ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। କଲିନ୍ ଗ୍ରାଣ୍ଡହୋମ୍‌ ଖାତା ଖୋଲିବା ପୂର୍ବରୁ ରବୀନ୍ଦ୍ର ଜାଦେଜାଙ୍କ ଶିକାର ହୋଇଥିଲେ। କିନ୍ତୁ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ (୫୧, ୨୬ ବଲ୍‌) ଏବଂ ରସ୍ ଟେଲର୍‌ (୫୪*, ୨୭ ବଲ୍‌) ମଧ୍ୟକ୍ରମରେ ବଢ଼ିଆ ବ୍ୟାଟିଂ କରି ଦଳକୁ ବଡ଼ ସ୍କୋର୍‌ ସୁଯୋଗ ଦେଇଥିଲେ। କିନ୍ତୁ ଶେଷ ଭାଗରେ ଭାରତ ଭଲ ବୋଲିଂ କରିବାରୁ ନ୍ୟୁଜିଲାଣ୍ଡ୍‌ ୨୦୩/୫ରେ ସୀମିତ ରହିଯାଇଥିଲା। ୱିଲିୟମସନ୍‌ ଭାରତ ବିପକ୍ଷରେ ପ୍ରଥମ ଟି-୨୦ ଅର୍ଧଶତକ ହାସଲ କରିଥିଲେ। ଟେଲର୍‌ଙ୍କ ବ୍ୟାଟ୍‌ରୁ କିନ୍ତୁ ଦୀର୍ଘ ୬ ବର୍ଷ ପରେ ପ୍ରଥମ ଟି-୨୦ ଅର୍ଧଶତକ ମିଳିଥିଲା।

ପ୍ରଥମ ଥର ୫ ଅର୍ଧଶତକ
ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ମ୍ୟାଚ୍‌ରେ ୫ ଅର୍ଧଶତକ ନଜରକୁ ଆସିଥିଲା। ଶୁକ୍ରବାର ମ୍ୟାଚ୍‌ରେ କଲିନ୍ ମୁନରୋ (୫୯), କେନ୍‌ ୱିଲିୟମସନ୍ (୫୧), ରସ୍ ଟେଲର୍ (୫୪*)ଙ୍କ ପରେ ଭାରତ ପକ୍ଷରୁ କେଏଲ୍ ରାହୁଲ (୫୬) ଏବଂ ଶ୍ରେୟସ ଆୟର (୫୮*) ଅର୍ଧଶତକ ହାସଲ କରିଥିଲେ। ଭାରତର ୨ ଅର୍ଧଶତକ କିନ୍ତୁ କିୱିଙ୍କ ୩ ଅର୍ଧଶତକକୁ ପଛରେ ପକାଇ ଦେଇଥିଲା।

ସର୍ବାଧିକ ୨୦୦+ ପଶ୍ଚାତ୍‌ଧାବନ
ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ମଧ୍ୟ ଭାରତ ସର୍ବାଧିକ ଥର ୨୦୦ରୁ ଅଧିକ ସ୍କୋର୍‌କୁ ପଶ୍ଚାତଧାବନ କରି ଜିତିବାରେ ଏକ କୀର୍ତ୍ତିମାନ କରିଛି। ଭାରତ ମୋଟ ୪ ଥର ୨୦୦+ ରନ୍‌ ଲକ୍ଷ୍ୟକୁ ପଛରେ ପକାଇଛି। ଅଷ୍ଟ୍ରେଲିଆ ୨ ଥର, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ୍‌, ବାଂଲାଦେଶ, କାତାର ଥରେ ଲେଖାଏଁ ଏଭଳି କରିପାରିଛନ୍ତି। ଭାରତ ମଧ୍ୟ ଚତୁର୍ଥ ଥର ଏବଂ ଚତୁର୍ଥ ପ୍ରତିଦ୍ବନ୍ଦ୍ବୀ ଦେଶ ବିପକ୍ଷରେ ୨୦୦+ ରନ୍‌ ପଶ୍ଚାତଧାବନରେ ସଫଳ ହୋଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୦୮ (ହାଇଦ୍ରାଦାବ, ୨୦୧୯), ଶ୍ରୀଲଙ୍କା ବିପକ୍ଷରେ ୨୦୭ (ମୋହାଲି, ୨୦୦୯), ନ୍ୟୁଜିଲାଣ୍ଡ୍ ବିପକ୍ଷରେ ୨୦୪ (ଅକଲାଣ୍ଡ୍‌, ୨୦୨୦) ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୨ (ରାଜକୋଟ, ୨୦୧୩) ରନ୍‌ ଲକ୍ଷ୍ୟକୁ ପଛରେ ପକାଇଥିଲା। ୨୦୧୮ରେ ବ୍ରିଷ୍ଟଲ୍‌ରେ ଇଂଲଣ୍ଡ ବିପକ୍ଷରେ ୧୯୯ ଏବଂ ୨୦୧୬ରେ ସିଡନିରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୯୮ ରନ୍‌ କରି ମଧ୍ୟ ଭାରତ ବିଜୟୀ ହୋଇଥିଲା। ସେହିଭଳି ଅକଲାଣ୍ଡ୍‌ ପଡ଼ିଆରେ ମଧ୍ୟ ଭାରତ ଦ୍ବିତୀୟ ସର୍ବାଧିକ ପଶ୍ଚାତଧାବନ ବିଜୟ ହାସଲ କରିଛି। ଏହାଠାରୁ ଅଧିକ କେବଳ ଅଷ୍ଟ୍ରେଲିଆ (୨୪୪ ବନାମ ନ୍ୟୁଜିଲାଣ୍ଡ୍‌, ୨୦୧୮) କରି ମ୍ୟାଚ୍‌ ଜିତିଥିଲା। ଭାରତ ନିଜ ପାୱାର ପ୍ଲେ ୬ ଓଭରରେ ୬୫ ରନ୍‌ ସଂଗ୍ରହ କରିବା ମଧ୍ୟ ଦେଶ ପାଇଁ ସର୍ବାଧିକ କୀର୍ତ୍ତିମାନ ଆଣିଛି।

ସମ୍ବନ୍ଧିତ ଖବର