ଆୟର୍ଲାଣ୍ଡକୁ ୭ ୱିକେଟ୍‌ରେ ହରାଇଲା ଭାରତ

ଟେକ୍ଟରଙ୍କ ଅର୍ଦ୍ଧଶତକ, ଉମ୍ରାନଙ୍କ ପଦାର୍ପଣ

ଡବଲିନ୍: ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ଭାରତ ୭ ୱିକେଟ୍‌ରେ ଜିତି ନେଇଛି। ତା ସହ ୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୪ ୱିକେଟ୍ ହରାଇ ୧୦୮ ରନ୍ କରିଥିଲା। ୧୦୯ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୩ ୱିକେଟ୍ ହରାଇ ୯.୨ ଓଭରରେ ହାସଲ କରି ନେଇଥିଲା। ଭାରତ ପକ୍ଷରୁ ଦୀପକ ହୁଦା ୪୭*, ଈଶାନ କିଶନ ୨୬ ଏବଂ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଦ୍ରୁତ ୨୪ ରନ୍ କରିଥିଲେ। ଶୃଙ୍ଖଳାର ଦ୍ବିତୀୟ ତଥା ‌ଶେଷ ମ୍ୟାଚ୍ ମଙ୍ଗଳବାର ଖେଳାଯିବ।

ଟେକ୍ଟରଙ୍କ ଅର୍ଦ୍ଧଶତକ, ଉମ୍ରାନଙ୍କ ପଦାର୍ପଣ
ଲଗାଣ ବର୍ଷା ସହ କୋହଲା ପାଗ ପାଇଁ ପାଖାପାଖି ୨ ଘଣ୍ଟା ୨୦ ମିନିଟ୍‌ ବିଳମ୍ବରେ ଆରମ୍ଭ ‌ହୋଇଥିବା ଏହି ୧୨ ଓଭରିଆ ମ୍ୟାଚ୍‌ରେ ଆୟର୍ଲାଣ୍ଡ ଭାରତ ସମ୍ମୁଖରେ ୧୦୯ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ତେବେ ଏହି ଦଳର ପ୍ରଥମ ଦୁଇ ଓଭରରେ ଆୟର୍ଲାଣ୍ଡ ତାର ଦୁଇ ଓପନର ଆଣ୍ଡି ବଲବରିନ୍ (୦) ଏବଂ ପଲ୍ ଷ୍ଟ୍ରିଙ୍ଗ୍ (୪)ଙ୍କୁ ହରାଇଥିଲା। ସେହିଭଳି ତୃତୀୟ ୱିକେଟ୍ ମାତ୍ର ୨୨ ରନ୍‌ରେ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ଏହା ପରେ ମଧ୍ୟକ୍ରମ ବ୍ୟାଟର୍ ହାରି ଟେକ୍ଟର (୬୪*) ବିସ୍ଫୋରକ ବ୍ୟାଟିଂ କରି ନିଜ ଦଳର ସ୍କୋରକୁ ୧୦୦ ରନ୍ ପାର କରାଇ ଦେଇଥିଲେ। ଲୋର୍କାନ୍ ଟକ୍କର ୧୮ ରନ୍‌ର ଉପଯୋଗୀ ଯୋଗଦାନ ଦେଇଥିଲେ। ଭାରତର ପ୍ରଥମ ତିନି ବୋଲର ଭୁବନେଶ୍ବର କୁମାର (୧/୧୬), ହାର୍ଦିକ ପାଣ୍ଡ୍ୟା (୧/୨୬) ଏବଂ ଆୱେଶ ଖାନ୍ (୧/୨୨) ଅପେକ୍ଷାକୃତ ଭଲ ବୋଲିଂ କରିଥିଲେ। ତେବେ ଏହି ମ୍ୟାଚ୍‌ରେ ନିଜ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିବା ଜମ୍ମୁ କାଶ୍ମୀର ଦ୍ରୁତ ବୋଲର ଉମ୍ରାନ ମଲ୍ଲିକ ନିଜ ବିଜୁଳି ଭଳି ଗତିକୁ ବଜାୟ ରଖିଥିଲେ ମଧ୍ୟ ଅପେକ୍ଷାକୃତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ମାତ୍ର ଗୋଟିଏ ଓଭର ବୋଲିଂ କରି ବିନା ୱିକେଟ୍‌ରେ ୧୪ ରନ୍ ବ୍ୟୟ କରିଥିଲେ ସେ। ସଫଳତମ ଭାରତୀୟ ବୋଲର ଭାବେ ସ୍ପିନର ୟୁଝବେନ୍ଦ୍ର ଚହଲ ୩ ଓଭରରେ କେବଳ ୧୧ ରନ୍ ଦେଇ ଗୋଟିଏ ୱିକେଟ୍ କରାୟତ୍ତ କରିଥିଲେ।

ସଂକ୍ଷିପ୍ତ ସ୍କୋର: ଆୟର୍ଲାଣ୍ଡ ୧୨ ଓଭରରେ ୧୦୮/୪ (ହାରି ଟେକ୍ଟର ୬୪*, ଲୋର୍କାନ ଟକ୍କର ୧୮, ୟୁଝବେନ୍ଦ୍ର ଚହଲ ୧/୧୧, ଭୁବନେଶ୍ବର କୁମାର ୧/୧୬, ହାର୍ଦିକ୍‌ ପାଣ୍ଡ୍ୟା-୧/୨୬, ଆୱେସ ଖାନ୍‌-୧/୨୨, ଉମ୍ରାନ ମଲ୍ଲିକ ୦/୧୪)। ଭାରତ ୯.୨ ଓଭରରେ ୧୧୧/୩ (ଦୀପକ ହୁଦା-୪୭*, ଈଶାନ କିଶନ-୨୬, ହାର୍ଦିକ୍‌ ପାଣ୍ଡ୍ୟା-୨୪, ଦୀନେଶ କାର୍ତିକ-୫*, ସୂର୍ଯ୍ୟକୁମାର ଯାଦବ-୦, କ୍ରେଗ୍‌ ୟଙ୍ଗ୍‌-୨/୧୮, ଗୋସୁଆ ଲିଟଲ-୧/୩୧)।

ସମ୍ବନ୍ଧିତ ଖବର