ସୂର୍ଯ୍ୟ ତେଜରେ ଜିତିଲା ଭାରତ: ଇଣ୍ଡିଜ୍ ୭ ୱିକେଟ୍‌ରେ ପରାସ୍ତ, ଭାରତ ୨-୧ରେ ଆଗୁଆ

ବାସେଟେରେ (ସେଣ୍ଟ୍ କିଟ୍ସ): ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦କୁ ଭାରତ ୭ ୱିକେଟ୍‌ରେ ଜିତି ନେଇଛି। ତା’ସହ ୫ ଟିକିଆ ଶୃଙ୍ଖଳାରେ ୨-୧ରେ ଆଗୁଆ ହୋଇଯାଇଛି। ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ଭାରତ ୬୮ ରନ୍‌ରେ ଜିତିଥିଲା। ଘରୋଇ ଇଣ୍ଡିଜ୍ ଦ୍ବିତୀୟ ମୁକାବିଲାକୁ ୫ ୱିକେଟ୍‌ରେ ଜିତି ସ୍ଥିତି ୧-୧କୁ ଆଣିଥିଲା। ହେଲେ ମଙ୍ଗଳବାରର ତୃତୀୟ ଲଢ଼େଇକୁ ସହଜରେ ଜିତି ଭାରତ ପୁଣି ଥରେ ଆଗୁଆ ହୋଇଛି। ଶୃଙ୍ଖଳାର ପରବର୍ତ୍ତୀ ଦୁଇ ମ୍ୟାଚ୍‌ ଆମେରିକାର ଫ୍ଲୋରିଡାସ୍ଥିତ ଲୌଡରହିଲ୍‌ରେ ଆସନ୍ତା ଶନିବାର ଓ ରବିବାର ଦୁଇ ଦିନ ଧରି ଖେଳାଯିବ। ୱେଷ୍ଟଇଣ୍ଡିଜ୍ ଆଜି ଭାରତ ସମ୍ମୁଖରେ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଭାରତ ଏହାକୁ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ୭୬ ଏବଂ ଋଷଭ ପନ୍ତଙ୍କ ଅପରାଜିତ ୩୩ ରନ୍ ବଳରେ ଗୋଟିଏ ଓଭର ପୂର୍ବରୁ ମାତ୍ର ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଅଧିନାୟକ ରୋହିତ ଶର୍ମା ୧୧ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆହତ ଅବସର ହେବା ପରେ ସୂର୍ଯ୍ୟକୁମାର ଭାରତ ବିଜୟକୁ ପକ୍କା କରିଥିଲେ। ଓବେଦ ମ୍ୟାକୟଙ୍କୁ ଚୌକା ମାରି ପନ୍ତ ବିଜୟ ମୁଣ୍ଡି ମାରିଥିଲେ। ସୂର୍ଯ୍ୟକୁମାର ତାଙ୍କ ମ୍ୟାଚ୍ ବିଜୟୀ ପାଳି ପାଇଁ ‌ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଆୱେଶ ପୁଣି ମହଙ୍ଗା
ସୋମବାରର ଦ୍ବିତୀୟ ଟ୍ବେଣ୍ଟି-୨୦ ଖେଳାଳିଙ୍କ କିଟ୍ ପହଞ୍ଚି ନପାରିବାରୁ ୩ ଘଣ୍ଟା ବିଳମ୍ବିତ ହେବାର ପ୍ରଭାବ ମଙ୍ଗଳବାରର ତୃତୀୟ ମୁକାବିଲା ଉପରେ ପଡ଼ିଥିଲା। ଖେଳାଳିଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ଦେବା ଲାଗି ଆଜିର ମ୍ୟାଚ୍‌ ମଧ୍ୟ ଦେଢ଼ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଏଥିରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ୱେଷ୍ଟଇଣ୍ଡିଜ୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥ‌ିଲେ। ଦୁଇ ଓପନର ବ୍ରାଣ୍ଡନ୍ କିଙ୍ଗ୍ ଓ କାଇଲ ମାୟର୍ସଙ୍କ ପାଇଁ ଇଣ୍ଡିଜ୍ ପ୍ରଥମ ୬ ଓଭରର ପାୱାର ପ୍ଲେ’ରୁ ବିନା କ୍ଷତିରେ ୪୫ ରନ୍ ସଂଗ୍ରହ କରି ନେଇଥିଲା। କିଙ୍ଗ୍‌ଙ୍କୁ କ୍ଲିନ୍ ବୋଲ୍ଡ କରି ହାର୍ଦିକ ପାଣ୍ଡ୍ୟା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ତେବେ ମାୟର୍ସ ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖି ୩୮ ବଲ୍‌ରୁ ଦ୍ବିତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ। ତଥାପି ଇଣ୍ଡିଜ୍ ୧୪.୧ ଓଭରରେ ୧୦୦ ରନ୍ ଛୁଇଁଥିଲା। ରୋଭମନ ପାୱେଲ (୨୩) ଏବଂ ନିକୋଲାସ ପୂରନ (୨୦) ଶେଷ ୪.୫ ଓଭରରୁ ଇଣ୍ଡିଜ୍ ୬୩ ରନ୍ ଅମଳ କରି ନେଇଥିଲା। ସେହିଭଳି ଶେଷ ଦୁଇ ଓଭରରୁ ୨୭ ରନ୍ ନେଇ ଏକଦା ଦେଢ଼ ଶହ ରନ୍ ଛୁଇଁବାକୁ ସଂଘର୍ଷ କରୁଥିବା‌ ଇଣ୍ଡିଜ୍ ୧୬୪/୫ରେ ପହଞ୍ଚିଥିଲା। ଭାରତୀୟ ଯୁବ ଦ୍ରୁତ ବୋଲର ଆୱେଶ ଖାନ୍ ମଙ୍ଗଳବାର ବି ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଊନ୍ନବିଂଶ ଓଭରରେ ୧୭ ରନ୍ ଦେବା ସହ ନିଜ ୩ ଓଭରରେ ବିନା ୱିକେଟ୍‌ରେ ୪୭ ରନ୍ ଖର୍ଚ୍ଚ କରିଥିଲେ ସେ।

ସମ୍ବନ୍ଧିତ ଖବର