ଭାରତକୁ ସପ୍ତମ ଏସିଆ କପ୍

ଦୁବାଇ: ଶେଷ ଓଭର ରୋମାଞ୍ଚ ସହ ଶେଷ ବଲ୍‌ରେ ବାଂଲାଦେଶକୁ ୩ ୱିକେଟ୍‌ରେ ପରାସ୍ତ କରି ଭାରତ ସପ୍ତମ ଥର ପାଇଁ ଏସିଆ କପ୍ ଜିତି ନେଇଛି। ବାଂଲାଦେଶ ଶୁକ୍ରବାର ୨୨୩ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟ ଦେଇଥିଲେ ମଧ୍ୟ ବଡ଼ ଭାଗୀଦାରି ଅଭାବରୁ ଭାରତ ଶେଷ ଓଭର ପର୍ଯ୍ୟନ୍ତ ଲଢ଼ିବାକୁ ବାଧ୍ୟ ହୋଇଥିଲା। ବିଜୟ ପାଇଁ ଶେଷ ଓଭରର ୬ ବଲ୍‌ରୁ ୬ ରନ୍‌ର ଦରକାର ବେଳେ ଆହତ ଅବସର ହୋଇଥିବା କେଦାର ଯାଦବ (୨୩*)ଙ୍କୁ ଶେଷରେ କ୍ରିଜ୍‌କୁ ଆସିବାକୁ ପଡ଼ିଥିଲା। କୁଲଦୀପ ଯାଦବ (୫*)ଙ୍କୁ ସାଥୀ କରି ସେ ହିଁ ଭାରତକୁ ଉତ୍କଣ୍ଠପୂର୍ଣ୍ଣ ବିଜୟ ଉପହାର ଦେଇଥିଲେ। ଭାରତ ଠିକ୍ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୨୩ ରନ୍ କରି ଲଗାତର ଦ୍ବିତୀୟ ଥର ପାଇଁ ଏସିଆ କପ୍ ବିଜୟୀ ହୋଇଥିଲା। ସେପଟେ ତୃତୀୟ ଥର ପାଇଁ ଫାଇନାଲ୍ ଖେଳିଥିବା ବାଂଲାଦେଶ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବା ସତ୍ତ୍ବେ ପୁଣି ଥରେ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ୨୦୧୬ରେ ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ଖେଳା ଯାଇଥିବା ତ୍ରୟୋଦଶ ଏସିଆ କପ୍‌ରେ ମଧ୍ୟ ଭାରତ ସେହି ବାଂଲା‌େଦଶକୁ ହରାଇ ବିଜେତା ଆଖ୍ୟା ଅର୍ଜନ କରିଥିଲା। ଶିଖର ଧାୱନ ପ୍ରତିଯୋଗିତା ଓ ‌ଲିଟନ ଦାସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଭାରତୀୟ ବୋଲରମାନେ ଦୃଢ଼ ମୂଳଦୁଆ ପକାଇଥିବା ବାଂଲାଦେଶକୁ ପ୍ରଥ‌େମ ମାତ୍ର ୨୨୨ ରନ୍‌ରେ ଅଟକାଇ ଦେଇଥିଲେ। ହେଲେ ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା (୪୮) ଓ ଶିଖର ଧାୱନ (୧୫) ଆଜି ବେଶୀ ସମୟ କ୍ରିଜ୍‌ରେ ରହି ପାରି ନଥିଲେ। ତେବେ ଛୋଟ ବିଜୟ ଲକ୍ଷ୍ୟ ହୋଇଥିବାରୁ ଦୀନେଶ କାର୍ତିକଙ୍କ ୩୭ ସହ ମହେନ୍ଦ୍ର ସିଂହ ଧୋନିଙ୍କ ୩୬ ରନ୍‌ ବଳରେ ଭାରତ ବିଜୟ ଆଡ଼କୁ ଧିରେଧିରେ ଅଗ୍ରସର ‌େହାଇଥିଲା। ଏହା ପରେ ରବୀନ୍ଦ୍ର ଜାଦେଜା (୨୩) ଏବଂ ଭୁବନେଶ୍ବର କୁମାର (୨୧) ଷଷ୍ଠ ୱିକେଟରେ ୪୫ ରନ୍ ‌ଯୋଡ଼ି ଭାରତକୁ ବିଜୟ ଦ୍ବାର ଦେଶରେ ପହଞ୍ଚାଇ ଦେଇଥିଲେ। ହେଲେ ଉଭୟଙ୍କୁ ୨ ରନ୍ ଭିତରେ ପାଭିଲିୟନ ଫେରାଇ ବାଂଲାଦେଶ ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲେ। ଫଳରେ ଆହତ ଅବସର ହୋଇ କିଛି ସମୟ ପାଇଁ ପାଭିଲିୟନ ଫେରି ପୁନର୍ବାର ବ୍ୟାଟିଂ ପାଇଁ ଆସିଥିବା କେଦାର ଯାଦବ ସ୍ପିନର କୁଲଦୀପ ଯାଦବଙ୍କ ସହ ମିଶି ଭାରତକୁ ଶେଷ ବଲ୍‌ରେ ବିଜୟୀ କରାଇଥିଲେ।

ପୂର୍ବରୁ ଭାରତ ଟସ୍ ଜିତି ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ବାଂଲାଦେଶ ଭଲ ଆରମ୍ଭ କରିଥିଲେ ମଧ୍ୟ ପରବର୍ତୀ ସମୟରେ ଦିଗ ହରା ହୋଇ ୪୮.୩ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୨୨ ରନ୍ କରିଥିଲା। ବାଂଲାଦେଶ ଆଜି ବିନା କ୍ଷତିରେ ୧୨୦ ରନ୍ କରିନେବା ସହ ଲିଟନ ଦାସ (୧୨୧) ନିଜ ଖେଳ ଜୀବନର ପ୍ରଥମ ଶତକ ପୂରଣ କରିଥିଲେ। ହେଲେ ଶେଷ ୩୦ ଓଭରରେ ୧୦ ୱିକେଟ୍ ହରାଇ ମାତ୍ର ୧୦୦ ରନ୍ କରିଥିଲା। ଭାରତୀୟ ବୋଲର ତାକୁ ଆଉ ବେଶୀ ରନ୍ କରିବାର ସୁଯୋଗ ଦେଇ ନଥିଲେ।

ସମ୍ବନ୍ଧିତ ଖବର