ଧାଓ୍ଵନ ଦେଲେ ପ୍ରଥମ ବିଜୟ: ବାଂଲାଦେଶ ୬ ଓ୍ଵିକେଟ୍‌ରେ ପରାସ୍ତ

କଲମ୍ବୋ : ନିଦହାସ୍‌ ଟ୍ରଫି ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରେ ଭାରତ ପ୍ରଥମ ବିଜୟ ହାସଲ କରିଛି। ଏହି ତ୍ରି-ରାଷ୍ଟ୍ରୀୟ ଶୃଙ୍ଖଳାର ଉଦଘାଟନୀ ମୁକାବିଲାରେ ଗତ ମଙ୍ଗଳବାର ଆୟୋଜକ ଶ୍ରୀଲଙ୍କାଠାରୁ ଅପ୍ରତ୍ୟାଶିତ ଭାବେ ପରାଜିତ ହୋଇଥିବା ଭାରତୀୟ ଯୁବ ଦଳ ଗୁରୁବାର ବାଂଲାଦେଶକୁ ୬ ଓ୍ଵିକେଟ୍‌ରେ ହରାଇ ବିଜୟ ଖାତା ଖୋଲିଛି। ଆଜିର ଏହି ମହତ୍ୱପୂର୍ଣ୍ଣ ବିଜୟରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ଵନ ( ୫୫ ରନ୍‌, ୪୩ ବଲ, ୫ ଚୌକା, ୨ ଛକା) ପ୍ରମୁଖ ଭୂମିକା ତୁଲାଇଥିଲେ। ଲଗାତାର ଦ୍ୱିତୀୟ ଅର୍ଧଶତକ ଅର୍ଜନ କରି ସେ ଭାରତକୁ ପ୍ରଥମ ଓ ଏକମାତ୍ର ବିଜୟ ଉପହାର ଦେଇଥିଲେ। ତେବେ ବାଂଲାଦେଶ ବ୍ୟାଟିଂରୁ ମେରୁଦଣ୍ଡ ମୁସଫିକର ରହିମ (୧୮) ଓ ଅଧିନାୟକ ମହମ୍ମଦୁଲ୍ଲା (୧)ଙ୍କ ଓ୍ଵିକେଟ୍‌ ଅକ୍ତିଆର କରିଥିବା ବିଜୟ ଶଙ୍କର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅଧିନାୟକ ବିରାଟ କୋହଲିଙ୍କ ସହ ୬ ଜଣ ବରିଷ୍ଠଙ୍କୁ ବିଶ୍ରାମ ଦେଇ ନବାଗତଙ୍କୁ ନେଇ ଶ୍ରୀଲଙ୍କା ଯାଇଥିବା ଭାରତୀୟ କ୍ରିକେଟ୍‌ ଦଳ ଆଜି ପ୍ରଥମେ ବାଂଲାଦେଶକୁ ମାତ୍ର ୧୩୯ ରନ୍‌ରେ ଅଟକାଇ ଦେଇଥିଲା। ତା ପରେ ଧାଓ୍ଵନଙ୍କ ଦ୍ରୁତ ଅର୍ଧଶତକ ସହ ସୁରେଶ ରାଇନାଙ୍କ ୨୮ ଏବଂ ମନୀଷ ପାଣ୍ଡେଙ୍କ ଅପରାଜିତ ୨୭ ରନ୍‌ ବଳରେ ୧୮.୪ ଓଭରରେ ୪ ଓ୍ଵିକେଟ୍‌ ହରାଇ ୧୪୦ ରନ୍‌ କରିନେବା ସହ ସହଜ ବିଜୟ ହାସଲ କରିଥିଲା। ଜୟଦେବ ଉନାଦକଟଙ୍କ ଶାଣିତ ବୋଲିଂରେ ଘାଇଲା ହେବା ପରେ ଧାଓ୍ଵନଙ୍କ ଧୂଲେଇରେ ହିଁ ବାଂଲାଦେଶ ଧୂଳି ଚାଟିଥିଲା। ବିଜୟ ମ୍ୟାଚ୍‌ରୁ ଭାରତ ୩ ପଏଣ୍ଟ ଅର୍ଜନ କରିଥିଲା। ଶ୍ରୀଲଙ୍କା ପରାଜୟର ଦୁଃଖକୁ ମଧ୍ୟ ଭୁଲି ଥିଲା। ଭାରତ ପୂରା ମ୍ୟାଚ୍‌ରେ ବାଂଲାଦେଶକୁ ଚାପରେ ରଖିବା ଗୁରୁବାର ଭାରତୀୟ ପ୍ରଶଂସକଙ୍କୁ ଉଲ୍ଲସିତ କରିଥିଲା। ଶୃଙ୍ଖଳାର ପରବର୍ତୀ ମୁକାବିଲାରେ ଶନିବାର ବାଂଲାଦେଶ ଆୟୋଜକ ଶ୍ରୀଲଙ୍କାକୁ ଭେଟିବ।

ଉଦଘାଟନୀ ମୁକାବିଲାରେ ଶ୍ରୀଲଙ୍କାଠାରୁ ପରାଜିତ ହେବା ସତ୍ତ୍ୱେ ଭାରତ ଅପରିବର୍ତିତ ଦଳ ନେଇ ପଡ଼ିଆକୁ ଓହ୍ଲାଇଥିଲା। ତେବେ ପ୍ରଥମ ମ୍ୟାଚ୍‌ରୁ ମିଳିଥିବା ଶିକ୍ଷା ପାଇଁ ଟସ୍‌ ଜିତି ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ମଙ୍ଗଳବାରର ପ୍ରଥମ ମୁକାବିଲାରେ କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମ୍‌ ପିଚ୍‌ ଦ୍ୱିତୀୟ ପାଳିରେ ବ୍ୟାଟିଂ ପାଇଁ ବେଶ୍‌ ସୁହାଇଥିଲା। ଅଧିନାୟକ ରୋହିତ ଶର୍ମା ନେଇଥିବା ଏହି ନିଷ୍ପତ୍ତିର ସମ୍ମାନ ବି ଭାରତୀୟ ବୋଲର ରଖିଥିଲେ। ନିୟମିତ ଓ୍ଵିକେଟ୍‌ ନେଇ ବାଂଲାଦେଶକୁ ୨୦ ନିର୍ଧାରିତ ଓଭରରେ ୮ ଓ୍ଵିକେଟ୍‌ ବିନିମୟରେ ମାତ୍ର ୧୩୯ ରନରେ ଅଟକାଇ ଦେଇଥିଲେ। ବାଂଲାଦେଶର ପାଞ୍ଚ ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁଥିଲେ। ହେଲେ ବିପଜ୍ଜନକ ହେବା ପୂର୍ବରୁ ଭାରତୀୟ ବୋଲର ସେମାନଙ୍କୁ ଚତୁରତାର ସହ ପାଭିଲିୟନ ଫେରାଇ ଦେଇଥିଲେ। ବିଶେଷ କରି ବାମହାତୀ ଦ୍ରୁତ ବୋଲର ଜୟଦେବ ଉନାଦକଟ (୪-୦-୩୮-୩) ଓ ଅଲରାଉଣ୍ଡର ବିଜୟ ଶଙ୍କର (୪-୦-୩୨-୨) ବାଂଲାଦେଶର ସବୁ ଯୋଜନାକୁ ନିଜ କୌଶଳପୂର୍ଣ୍ଣ ବୋଲିଂରେ ପଣ୍ଡ କରି ଦେଇଥିଲେ। ସାର୍ଦୁଲ ଠାକୁର (୪-୦-୨୫-୧) ଓ ୟୁଜବେନ୍ଦ୍ର ଚହଲ (୪-୦-୧୯-୧) ମଧ୍ୟ ଭଲ ବୋଲିଂ କରିଥିଲେ। ବାଂଲାଦେଶ ନିୟମିତ ଓ୍ଵିକେଟ୍‌ ହରାଇବା ସହ ରନ୍‌ ହାରକୁ କେବେବି ବଢ଼ାଇବା ପରିସ୍ଥିତିରେ ପହଞ୍ଚି ପାରି ନଥିଲା। ଲିଟନ ଦାସ ସର୍ବାଧିକ ୩୪ ରନ୍‌ କରିଥିଲା ବେଳେ ଶେଷ ଆଡ଼କୁ ସବିର ରେହମାନ ୩୦ ରନ୍‌ର ମହତ୍ୱପୂର୍ଣ୍ଣ ପାଳି ଖେଳିଥିଲେ।

ସମ୍ବନ୍ଧିତ ଖବର