ଦୁବାଇ: ଭାରତୀୟ ଯୁବ ଦଳ ୧୯ ବର୍ଷରୁ କମ୍‌ ଏସିଆ କପ୍‌ରେ ନିଜ ଦବ୍‌ଦବା ଜାରି ରଖିଛି। ଶୁକ୍ରବାର ବର୍ଷା ବାଧାପ୍ରାପ୍ତ ଫାଇନାଲ୍‌ରେ ଭାରତ ୯ ୱିକେଟ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରି ଲଗାତାର ତୃତୀୟ ଥର ବିଜତା ହୋଇ ହ୍ୟାଟ୍ରିକ୍‌ ମଧ୍ୟ ଅର୍ଜନ କରିଛି। ‌ଖାଲି ସେତିକି ନୁହେଁ ୯ ଥର ଏହି ପ୍ରତିଯୋଗିତା ଆୟୋଜନ ହୋଇଥିଲା ବେଳେ ଭାରତ ଅଷ୍ଟମ ଥର ଏହି ଟ୍ରଫି ଧରିବାର ଗୌରବ ଅର୍ଜନ କରିଛି। କେବଳ ୨୦୧୭ (ମାଲେସିଆ)ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ନିକଟରୁ ହାରି ଭାରତ ସେମିଫାଇନାଲ୍‌ରୁ ବିଦାୟ ନେଇଥିଲା। ସେହିବର୍ଷ ପାକିସ୍ତାନକୁ ୧୮୫ ରନ୍‌ରେ ହରାଇ ଆଫ୍‌ଗାନିସ୍ତାନ ବିଜେତା ହୋଇଥିଲା। ଏହାପୂର୍ବରୁ ମାଲେସିଆରେ ଆୟୋଜିତ ୨୦୧୨ ସଂସ୍କରଣ ଫାଇନାଲ୍‌ ମ୍ୟାଚ୍‌ ଟାଇ ରହିବାରୁ ଭାରତ ଓ ପାକିସ୍ତାନ ଯୁଗ୍ମ ବିଜେତା ହୋଇଥିଲେ।

Advertisment

ଶୁକ୍ରବାର ୟୁଏଇର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ନବମ ସଂସ୍କରଣର ଫାଇନାଲ୍‌ରେ ବର୍ଷା ବାଧକ ସାଜିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟି ନିଷ୍ପତ୍ତି ନେଇଥିବା ଶ୍ରୀଲଙ୍କା ୩୩ ଓଭରରେ ୭ ୱିକେଟ୍‌ ହରାଇ ୭୪ ରନ୍‌ କରିଥିଲା ବେଳେ ବର୍ଷା ହେବାରୁ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଖେଳ ସମ୍ଭବ ହୋଇନଥିଲା।

ବର୍ଷା ଛାଡ଼ିବାରୁ ମ୍ୟାଚ୍‌ ୩୮ ଓଭର ‌ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା। ୩୮ ଓଭରରେ ଶ୍ରୀଲଙ୍କା ୯ ୱିକେଟ୍‌ ହରାଇ ୧୦୬ ରନ୍‌ କରିଥିଲା। ତେବେ ଡିଏଲ୍‌ଏସ୍‌ ନିୟମ ଅନୁଯାୟୀ ଭାରତ ସମ୍ମୁଖରେ ୩୮ ଓଭରରେ ୧୦୨ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଶ୍ରୀଲଙ୍କାର ୟାସିରୁ ରୋଦ୍ରିଗୋ ୧୯*, ରବିନ ଡି’ସିଲ୍‌ଭା ୧୫, ସେଭନ ଡାନିଏଲ୍‌ ୧୪ ଓ ମାଥିସା ପଥିରାନା ୧୪ ରନ୍‌ଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟର୍‌ ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇନଥିଲେ। ଭାରତ ପକ୍ଷରୁ ଭିକି ଓସ୍ବାଲ ୩, କୁସାଲ ତାମ୍ବେ ୨ ଏବଂ ରାଜ ବାୱା, ରବି କୁମାର ଓ ରାଜବର୍ଦ୍ଧନ ହାଙ୍ଗରଗେକାର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲା। ଜବାବରେ ଭାରତ ମାତ୍ର ଗୋଟିଏ ୱିକେଟ୍‌ ହରାଇ ୨୧.୩ ଓଭରରେ ମ୍ୟାଚ୍‌ ଜିତି ନେଇଥିଲା।

ପ୍ରତିଯୋଗିତାର ଅଗ୍ରଣୀ ସ୍କୋରର୍‌ ହନୁର ସିଂହ (୫ ରନ୍‌)ଙ୍କୁ ସଅଳ ହରାଇଥିଲା ଭାରତ। ହେଲେ ପ୍ରାରମ୍ଭିକ ବ୍ୟାଟର୍‌ ଅଙ୍ଗକ୍ରିସ ରଘୁବଂଶୀ ଓ ସେକ୍‌ ରସିଦ ଅପରାଜିତ ରହି ଦଳକୁ ବିଜୟ ଭେଟି ଦେଇଥିଲେ। ରଘୁବଂଶୀ (୫୬*, ୬୭ ବଲ୍‌) ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ରସିଦ ୩୧ (୪୯ ବଲ୍‌) ରନ୍‌ କରିଥିଲେ। ଭାରତ ପକ୍ଷରୁ ଏକମାତ୍ର ୱିକେଟ୍‌ଟି ୟାସୁର ରୁସ୍ରିଗୋ ନେଇଥିଲେ। ଏହି ବିଜୟ ପରେ ୟଶ୍‌ ଧୁଲ୍‌ଙ୍କ ନେତୃତ୍ବରେ ଭାରତ ଜାନୁଆରି ୧୪ରୁ ଆରମ୍ଭ ହେବାକୁ ଥିବା ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଲାଗି ୱେଷ୍ଟ୍‌ଇଣ୍ଡିଜ୍‌ ଗସ୍ତ କରିବ।