ସେହି ବର୍ଷ, ଆଜିର ତାରିଖ: ପାକିସ୍ତାନକୁ ହରାଇ ଭାରତ ଜିତିଥିଲା ଏସିଆ କପ୍‌

ନୂଆଦିଲ୍ଲୀ: ୧୯୮୪ ମସିହାର ଆଜିର ତାରିଖରେ ଭାରତ ପ୍ରଥମ ଥର ପାଇଁ ଏସିଆ କପ୍‌ ବିଜେତା ହୋଇଥିଲା। ସାରଜା କ୍ରିକେଟ୍ ଷ୍ଟାଡିୟମ୍‌ରେ ପାକିସ୍ତାନକୁ ୫୪ ରନ୍‌ରେ ହରାଇ ଏହି ଗୌରବ ଅର୍ଜନ କରିଥିଲା ଭାରତ। ସୋମବାର ଭାରତ ଏହି ସମ୍ମାନର ୩୬ ବର୍ଷ ପୂର୍ତ୍ତି ପାଳନ କରିଛି।

ମାତ୍ର ତିନୋଟି ଦେଶକୁ ନେଇ ସେଥର ପ୍ରତିଯୋଗିତା ହୋଇଥିଲା- ଭାରତ, ପାକିସ୍ତାନ ଏବଂ ଶ୍ରୀଲଙ୍କା। ଏହି ପ୍ରଥମ ସଂସ୍କରଣର ଲିଗ୍‌ ପର୍ଯ୍ୟାୟରେ ଭାରତ ୮ ପଏଣ୍ଟ୍ ସହ ଶୀର୍ଷରେ ରହିଥିଲା। ଫଳରେ ଦ୍ବିତୀୟ ସ୍ଥାନରେ ରହିଥିବା ପାକିସ୍ତାନ ସହିତ ଫାଇନାଲ୍ ଖେଳିଥିଲା। ‌ସୁନିଲ ଗାଭାସ୍କରଙ୍କ ନେତୃତ୍ବାଧିନ ଭାରତ ପ୍ରଥମେ ବ୍ୟାଟିଂ କରି ୪୬ ଓଭରରେ ୪ ୱିକେଟ୍ ବିନିମୟରେ ୧୮୮ ରନ୍ କରିଥିଲା। ସୁରିନ୍ଦର ଖାନ୍ନା ସର୍ବାଧିକ ୫୬ ରନ୍‌ କରିଥିଲେ। ଗାଭାସ୍କର ୩୬ ରନ୍‌ରେ ଅପରାଜିତ ରହିଥିଲେ। ୧୮୮ ରନ୍‌କୁ ପଶ୍ଚାତ୍‌ଧାବନ କରି ପାକିସ୍ତାନ ୪୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୪ ରନ୍ କରିଥିଲା। ରୋଜର ବିନ୍ନି ଓ ରବି ଶାସ୍ତ୍ରୀ ପ୍ରତ୍ୟେକ ୩ ଲେଖାଏଁ ୱିକେଟ୍ ନେଇ ଭାରତକୁ ବିଜୟ ମଣ୍ଡିତ କରିଥିଲେ। ଅଦ୍ୟାବଧି ଏସିଆ କପ୍‌ର ୧୪ଟି ସଂସ୍କରଣ ଅନୁଷ୍ଠିତ ହୋଇଛି। ଭାରତ ସର୍ବାଧିକ ୭ ଥର ବିଜେତା ମୁକୁଟ ହାସଲ କରିଛି। ଶେଷ ଥର ପାଇଁ ୨୦୧୮ରେ ଭାରତ ଫାଇନାଲରେ ବାଂଲାଦେଶକୁ ହରାଇ ବିଜେତା ହୋଇଥିଲା। ଶ୍ରୀଲଙ୍କା ଦ୍ବିତୀୟ ସର୍ବାଧିକ ୫ ଥର ବିଜେତା ହୋଇଥିବାବେଳେ ପାକିସ୍ତାନ ୨ ଥର ସଫଳ ହୋଇଛି। ଚଳିତ ବ‌ର୍ଷ ଏହି ପ୍ରତିଯୋଗିତା ଖେଳାଯିବାର ଥିଲେ ମଧ୍ୟ ସାମ୍ପ୍ରତିକ ପରିସ୍ଥିତି କାରଣରୁ ଭବିଷ୍ୟତ ଅନିଶ୍ଚିତତାରେ ରହିଛି।

ସମ୍ବନ୍ଧିତ ଖବର