ଏସିଆ କପ୍ ହକିରେ ଭାରତକୁ କାଂସ୍ୟ

ପୁଣି ହାରିଲା ଜାପାନ, ‌ଦକ୍ଷିଣ କୋରିଆକୁ ସ୍ବର୍ଣ୍ଣ

ଜାକର୍ତ୍ତା : ବୁଧବାରର ତୃତୀୟ/ଚତୁର୍ଥ ସ୍ଥାନ ମ୍ୟାଚ୍‌ରେ ଲଢ଼ୁଆ ପ୍ରଦର୍ଶନ କରି ଭାରତୀୟ ଯୁବ ଦଳ ଚଳିତ ଏସିଆ କପ୍ ହକି ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିବାର ଗୌରବ ହାସଲ କରିଛି। ମଙ୍ଗଳବାର ଦକ୍ଷିଣ କୋରିଆ ବିପକ୍ଷ ମହତ୍ବପୂର୍ଣ୍ଣ ସୁପର-୪ ମ୍ୟାଚ୍‌କୁ ୪-୪ ଗୋଲ୍‌ରେ ଅମୀସାଂସିତ ରଖି ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିବା ଭାରତ ଆଜି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବଳିଷ୍ଠ ଆକ୍ରମଣ ଏବଂ ରକ୍ଷଣାତ୍ମକ ହକି କଳା କୌଶଳର ଉପଯୋଗ କରିଥିଲା। ରାଜ କୁମାର ପାଲଙ୍କ ସପ୍ତମ ମିନିଟ୍ ଫିଲ୍ଡ ଗୋଲ୍ ବଳରେ ବିଜୟୀ ହୋଇ ଜାପାନକୁ ଲଗାତାର ଦ୍ବିତୀୟ ମ୍ୟାଚ୍‌ରେ ହରାଇବା ଏବଂ କାଂସ୍ୟ ପଦକ ଜିତିବାର ଯୁଗଳ ଲକ୍ଷ୍ୟ ହାସଲ କରି ନେଇଥିଲା।

ତେବେ ଆଜି ମଧ୍ୟ ଭାରତ ଏକାଧିକ ପେନାଲ୍ଟି କର୍ଣ୍ଣରକୁ ବେକାର ଯିବାକୁ ଦେଇଥିଲା। ଫଳରେ ମାତ୍ର ଗୋଟିଏ ଗୋଲ୍ ବ୍ୟବଧାନରେ ବିଜୟୀ ହୋଇଥିଲା। ଭାରତର ସଜାଗ ରକ୍ଷଣଭାଗ ପାଇଁ ଜାପାନ ଅର୍ଜନ କରିଥିବା ଅନ୍ୟୂନ ୬ଟି ପେନାଲ୍ଟି କର୍ଣ୍ଣରକୁ ମଧ୍ୟ ଗୋଲ୍‌ରେ ରୂପାନ୍ତ କରି ପାରିନଥିଲା। ବିଶେଷ କରି ୪୮ତମ ମିନିଟ୍‌ରେ ଲଗାତାର ତିନିଟି ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ସେଥିରୁ ଗୋଟିକୁ ବି ଗୋଲ୍ କରି ପାରିନଥିଲା। ଅନ୍ୟପକ୍ଷରେ ବୁଧବାରର ଚିତ୍ତାକର୍ଷକ ଫାଇନାଲ୍‌ରେ ମାଲେସିଆକୁ ୨-୧ ଗୋଲ୍‌ରେ ପରାସ୍ତ କରି ଦକ୍ଷିଣ କୋରିଆ ବିଜେତା ହୋଇଥିଲା।

 

ସମ୍ବନ୍ଧିତ ଖବର