ମସ୍କଟ : ଏସିଆ କପ୍ ମହିଳା ହକି ପ୍ରତିଯୋଗିତାରେ ଭାରତ କାଂସ୍ୟ ପଦକ ଜିତିଛି। ଶୁକ୍ରବାର ଖେଳାଯାଇଥିବା ତୃତୀୟ/ଚତୁର୍ଥ ସ୍ଥାନ ମ୍ୟାଚ୍ରେ ଚୀନକୁ ଏକତରଫା ଭାବେ ୨-୦ ଗୋଲ୍ରେ ହରାଇ ସବିତା ପୁନିଆଙ୍କ ନେତୃତ୍ବାଧୀନ ଭାରତୀୟ ମହିଳା ହକି ଦଳ ଏହି ସଫଳତା ହାସଲ କରିଛି। ବୁଧବାର ଦକ୍ଷିଣ କୋରିଆ ବିପକ୍ଷ ସେମିଫାଇନାଲ୍କୁ ଅପ୍ରତ୍ୟାଶିତ ଭାବେ ହାରି ସ୍ବର୍ଣ୍ଣ ପଦକ ଦୌଡ଼ରୁ ବାଦ ପଡ଼ିଥିବା ଭାରତ ଶୁକ୍ରବାର ଏହି ଧକ୍କାକୁ ଭୁଲି ନିଜ ଦକ୍ଷତା ଉପରେ ଧ୍ୟାନ ଦେଇଥିଲା।
ମ୍ୟାଚ୍ ଆରମ୍ଭରୁ ଚୀନ ଗୋଲ୍ ପୋଷ୍ଟ ଉପରେ ଆକ୍ରମଣ କରି ସଫଳ ହୋଇଥିଲା। ତ୍ରୟୋଦଶ ମିନିଟ୍ରେ ମିଳିଥିବା ପେନାଲ୍ଟି କର୍ଣ୍ଣରରୁ ଭାରତକୁ ପ୍ରଥମ ଗୋଲ୍ ମିଳିଥିଲା। ଗୁରଜିତ କୌରଙ୍କ ଫ୍ଲିକ୍କୁ ଚୀନ ରକ୍ଷଣଭାଗ ସଫଳତା ସହ ରୋକିଥିଲେ ମଧ୍ୟ ପ୍ରତିଫଳିତ ବଲ୍କୁ ସଫଳତାର ସହ ଗୋଲ୍ ପୋଷ୍ଟ ଭିତାକୁ ପଠାଇ ଶର୍ମିଳା ଦେବୀ ଭାରତକୁ ଆଗୁଆ କରି ଦେଇଥିଲେ। ଊନ୍ନବିଂଶ ମିନିଟ୍ରେ ଗୁରଜିତ ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ରୂପାନ୍ତର କରି ଭାରତକୁ ୨-୦ରେ ଆଗୁଆ କରି ଦେଇଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ସେହି ସ୍କୋର ଲାଇନ୍ ଅପରିବର୍ତ୍ତିତ ରହିଥିଲା। ଦ୍ବିତୀୟାର୍ଦ୍ଧରେ ଭାରତ ଅବଶ୍ୟ ଆଉ ଗୋଲ୍ କରି ପାରି ନଥିଲା। ତେବେ ୨-୦ରେ ଆଗୁଆ ରହିବା ସ୍ଥିତିକୁ ଶେଷ ପର୍ଯ୍ୟନ୍ତ ବଜାୟ ରଖି ପୋଡିୟମ୍ ଫିନିସ୍ ସଫଳତା ପାଇଥିଲା। ଦ୍ବିତାୟାର୍ଦ୍ଧରେ ଚୀନର ପ୍ରତିଆକ୍ରମଣକୁ ମଧ୍ୟ ଭାରତୀୟ ରକ୍ଷଣଭାଗ ସଫଳତାର ସହ ପ୍ରତିହତ କରି ଦେଇଥିଲା। ପୂର୍ବରୁ ଏହି ପ୍ରତିଯୋଗିତାର ସେମିଫାଇନାଲ୍ ପ୍ରବେଶ ଦୃଷ୍ଟିରୁ ଭାରତ ମଧ୍ୟ ବିଶ୍ବକପ୍ ଲାଗି ଯୋଗ୍ୟତା ଅର୍ଜନ କରି ନେଇଥିଲା। ନୂଆ ପ୍ରଶିକ୍ଷକ ଜାନେକ ସ୍କପମ୍ୟାନଙ୍କ ପ୍ରଶିକ୍ଷଣରେ ମଧ୍ୟ ଏହା ଭାରତର ପ୍ରଥମ ଅନ୍ତର୍ଜାତୀୟ ପଦକ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/10-Hockey-Bronze.jpg)