ପ୍ରଥମ ଟ୍ବେଣ୍ଟି-୨୦ ଭାରତକୁ ଜିତାଇଲେ ସୂର୍ଯ୍ୟ, ଭୁବି

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ଭାରତ ୩୮ ରନ୍‌ରେ ଜିତି ନେଇଛି। ତା ସହିତ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ରବିବାର ରାତିର ଏହି ମ୍ୟାଚ୍‌ରେ ଭାରତ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା‌। ତେବେ ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ବର କୁମାର (୪/୨୨)ଙ୍କ ନେତୃତ୍ବରେ ଗଠିତ ଭାରତୀୟ ବୋଲିଂ ବାହିନୀର ଶାଣିତ ଓ ମାପଚୁପ ବୋଲିଂ ଆଗରେ ଆତ୍ମସମର୍ପଣ କରି ଘରୋଇ ଶ୍ରୀଲଙ୍କା ଦେଢ଼ ଓଭର ପୂର୍ବରୁ ମାତ୍ର ୧୨୬ ରନ୍‌ରେ ଅଲଆଉଟ୍ ‌ହୋଇଯାଇଥିଲା। ଭାରତ ପାଇଁ ଭୁବନେଶ୍ବରଙ୍କ ଛଡ଼ା ଦୀପକ ଚହର (୨/୨୪) ବି ବହୁତ ଭଲ ବୋଲିଂ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଚରିଥ ଅସଲଙ୍କା ସର୍ବାଧିକ ୪୪ ରନ୍ କରିଥିଲେ। ଭୁବି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଦିନିକିଆ ଶୃଙ୍ଖଳା ହାରି ଟ୍ବେଣ୍ଟି-୨୦କୁ ଆସିଥିବା ଶ୍ରୀଲଙ୍କା ରବିବାର ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ହେଲେ ପଦାର୍ପଣକାରୀ ପୃଥ୍ବୀ ସ’ ପ୍ରଥମ ବଲ୍‌ରେ ହିଁ ଆଉଟ୍ ହୋଇ ଯାଇଥିଲେ। ଫଳରେ ଅଧିନାୟକ ଶିଖର ଧାୱନ (୪୬) ଓ ସଞ୍ଜୁ ସାମସନ୍ (୨୭) ଏହି ଧକ୍କାରୁ ବାହାରି ପାଳି ଗଢ଼ିବା ଆରମ୍ଭ କରିଥିଲେ। ଉଭୟ ଦ୍ବିତୀୟ ୱିକେଟ୍‌ରେ ୫୧ ରନ୍ ଯୋଡ଼ିବା ପରେ ସଞ୍ଜୁ କିନ୍ତୁ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଏହା ପରେ ସୂର୍ଯ୍ୟକୁମାର ଯାଦବ (୫୦) ଓ ଧାୱନ ପାଳିକୁ ଆଗେଇ ନେଇଥିଲେ। ଉଭୟ ତୃତୀୟ ୱିକେଟ୍‌ରେ ବହୁମୂଲ୍ୟ ୬୨ ରନ୍ ଯୋଡ଼ିଥିଲେ। ଧାୱନ ଅର୍ଦ୍ଧଶତକର ୪ ରନ୍ ପୂର୍ବରୁ ଚାମିକା କରୁଣାରତ୍ନେଙ୍କ ଶିକାର ହୋଇଥିଲେ।

ସୂର୍ଯ୍ୟକୁମାର କିନ୍ତୁ ନିଜ ତେଜ ଜାରି ରଖି ଟ୍ବେଣ୍ଟି-୨୦ରେ ଦ୍ବିତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ୩୪ ବଲ୍‌ରୁ ସେହି ୫୦ ସ୍କୋରରେ ହିଁ ପ୍ୟାଭିଲିୟନ ଫେରି ଯାଇଥିଲେ। ଶେଷ ଆଡ଼କୁ ଈଶାନ କିଶନ ମାତ୍ର ୧୪ ବଲ୍‌ରୁ ୨୦* ରନ୍ ଯୋଡ଼ିବାରୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ରେ ୧୬୪ ରନ୍ କରିଥିଲା। ହାର୍ଦିକ ପାଣ୍ଡ୍ୟା (୧୦) ପୁଣି ଥରେ ବିଫଳ ହୋଇଥିଲେ। ଅନ୍ୟତମ ପଦାର୍ପଣକାରୀ ବରୁଣ ଚକ୍ରବର୍ତ୍ତୀ ଶ୍ରୀଲଙ୍କା ପାଳିରେ ଗୋଟିଏ ୱିକେଟ୍ ନେଇ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଖାତା ଖୋଲିଥିଲେ।

ସମ୍ବନ୍ଧିତ ଖବର