ଲୌଡରହିଲ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ଭାରତ ୪ ୱିକେଟ୍ରେ ଜିତି ନେଇଛି। ବିଶ୍ବକପ୍ ପରେ ଉଭୟ ଦଳ ଖେଳିଥିବା ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଶନିବାର ୯୬ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାକୁ ଭାରତ ୧୭.୨ ଓଭରରେ ୬ ୱିକେଟ୍ ହରାଇ ହାସଲ କରି ନେଇଥିଲା। ତା’ ସହ ତିନି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଥିଲା। ଶୃଙ୍ଖଳାର ଏହି ଆମେରିକୀୟ ଚରଣରେ ଭାରତୀୟ ବୋଲର ଆଜି ୱେଷ୍ଟଇଣ୍ଡିଜ୍କୁ ପୂରା ଘାଇଲା କରି ଦେଇଥିଲେ। ଫଳରେ ୱେଷ୍ଟଇଣ୍ଡିଜ୍ ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୯୫ ରନ୍ କରିଥିଲା। ଜବାବରେ ଭାରତ ମଧ୍ୟ ଦକ୍ଷତା ମୁତାବକ ବ୍ୟାଟିଂ କରି ପାରି ନଥିଲା। ତେବେ ଛୋଟ ବିଜୟ ଲକ୍ଷ୍ୟ ହୋଇଥିବାରୁ କଷ୍ଟେମଷ୍ଟେ ୨.୪ ଓଭର ପୂର୍ବରୁ ଏହାକୁ ହାସଲ କରି ନେଇଥିଲା। ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ପଦାର୍ପଣରେ ନଭଦୀପ ସାଇନି (୪-୧-୧୭-୩) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ରବିବାର ଖେଳାଯିବ। ସୂଚନାଯୋଗ୍ୟ ଯେ ଏହି ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ଆମେରିକାରେ ଖେଳାଯିବ। ତୃତୀୟ ତଥା ଶେଷ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ର ଗୟନାରେ ମଙ୍ଗଳବାର ଅନୁଷ୍ଠିତ ହେବ।
ରୋହିତଙ୍କ ପାଇଁ ବର୍ତିଲା
ୱେଷ୍ଟଇଣ୍ଡିଜ୍ ଭଳି ଭାରତ ମଧ୍ୟ ଦୁର୍ବଳ ଆରମ୍ଭ କରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ମାତ୍ର ୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ଆହତ ହୋଇ ମାତ୍ର ଦୁଇଟି ମ୍ୟାଚ୍ ପରେ ବିଶ୍ବକପ୍ରୁ ବାଦ୍ ପଡ଼ିଥିବା ଧାୱନ ପୁରୁଣା ଲୟ ପାଇବାକୁ ସଂଘର୍ଷ କରିଥିଲେ। ୭ ବଲ୍ ଖେଳି ମାତ୍ର ଗୋଟିଏ ରନ୍ କରିଥିଲେ। ତାଙ୍କୁ ସେଲଡନ୍ କଟ୍ରେଲ ଦ୍ବିତୀୟ ଓଭରର ଶେଷ ବଲ୍ରେ ଏଲବିଡବ୍ଲ୍ୟୁ କରି ନେଇଥିଲେ। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (୨୪ ରନ୍ , ୨୫ ବଲ୍, ୨ ଚୌକା, ୨ ଛକା) କେତେକ ଦର୍ଶନୀୟ ସଟ୍ ଖେଳିଥିଲେ ମଧ୍ୟ ସୁନୀଲ ନରିନଙ୍କ ସ୍ପିନ୍ ଜାଲରେ ଫଶି ନିଜ ୱିକେଟ୍ ହରାଇଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ଉତ୍ତରାଧିକାରୀ ଋଷବ ପନ୍ତ (୦) ପୁଣି ଥରେ ଦାୟିତ୍ବହୀନ ସଟ୍ ଖେଳି ଖାତା ଖୋଲିବା ପୂର୍ବରୁ ପ୍ରଥମ ବଲରେ ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ବିରାଟ କୋହଲି (୧୯) ଜମି ଆସୁଥିଲା ବେଳେ କଟ୍ରେଲଙ୍କ ବାଉନ୍ସରେ ଚକମା ଖାଇ ପୋଲାର୍ଡଙ୍କୁ କ୍ୟାଚ୍ ଦେଇଥିଲେ। ମନୀଷ ପଣ୍ଡେ (୧୯) ଓ କ୍ରୁନାଲ ପାଣ୍ଡ୍ୟା (୧୨) କିମୋ ପଲଙ୍କ ଦ୍ବାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ୮୮ ରନ୍ରେ ୬ ୱିକେଟ୍ ହରାଇଥିଲା ବେଳେ ରବୀନ୍ଦ୍ର ଜାଦେଜା (୧୦* ରନ୍, ୯ ବଲ୍) ଓ ୱାସିଂଟନ୍ ସୁନ୍ଦର (୮* ରନ୍, ୫ ବଲ୍, ୧ ଚୌକା) ଭାରତକୁ ବିଜୟୀ କରାଇଥିଲେ।
ୱେଷ୍ଟଇଣ୍ଡିଜ୍ର ପଞ୍ଚମ ସର୍ବନିମ୍ନ ସ୍କୋର
ଫ୍ଲୋରିଡ଼ାର ଲୌଡରହିଲରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ୱେଷ୍ଟଇଣ୍ଡିଜ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଇଣ୍ଡିଜ୍ ୮ ରନ୍ରେ ଉଭୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ଙ୍କୁ ହରାଇ ଚାପରେ ରହିଥିଲା। ଜନ୍ କ୍ୟାମ୍ପବେଲ୍ ଓ ଏଭିନ ଲୁଇସ୍ ଖାତା ଖୋଲି ପାରି ନଥିଲେ। ଇଣ୍ଡିଜ୍ର ବିପର୍ଯ୍ୟୟ ଧାରା କିନ୍ତୁ ସେତିକିରେ ଅଟକି ନଥିଲା। ଷଷ୍ଠ ଓଭରରେ ପଦାର୍ପଣକାରୀ ସାଇନି ଦୁଇଟି ୱିକେଟ୍ ନେବା ସହ ପରବର୍ତୀ ଓଭରରେ ଖଲିଲ ଅହମ୍ମଦ ସଫଳ ହୋଇଥିଲେ। ଫଳରେ ଇଣ୍ଡିଜ୍ ୩୩ ରନ୍ରେ ଅଧାଦଳ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ନିକୋଲାସ ପୂରନ (୨୦) ଓ କିରଣ ପୋଲାର୍ଡ (୪୯) କିଛି କିଛି ସମୟ ଲଢ଼ିଥିଲେ। ହେଲେ ଇଣ୍ଡିଜ୍ର ସଙ୍କଟ ଦୂର ହୋଇ ନଥିଲା। ପୂରନ ଓ ପୋଲାର୍ଡଙ୍କ ଛଡ଼ା ଅନ୍ୟ କୌଣସି ଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ସେପଟେ ଭାରତ ଆଜି ୬ ଜଣ ବୋଲର ଉପଯୋଗ କରିଥିଲା। ଆଉ ସମସ୍ତେ ୱିକେଟ୍ ନେଇ ଅଧିନାୟକଙ୍କ ଆଶାକୁ ପୂରଣ କରିଥିଲେ। ଯୁବ ତାରକା ସାଇନି ତିନିଟି ଓ ଭୁବନେଶ୍ବର କୁମାର ଦୁଇଟି ୱିକେଟ୍ ପାଇଥିଲେ। ଅନ୍ୟପକ୍ଷରେ ସୁନ୍ଦର, ଖଲିଲ, କ୍ରୁନାଲ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଦେଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା। ଇଣ୍ଡିଜ୍ର ୯୫/୯ ଟ୍ବେଣ୍ଟି-୨୦ରେ ତା’ର ପଞ୍ଚମ ସର୍ବନିମ୍ନ ସ୍କୋର ହୋଇଥିଲା। ସୁନ୍ଦର, ଭୁବନେଶ୍ବର, ସଇନି ଓ ଖଲିଲ୍ ନିଜ ନିଜ ପ୍ରଥମ ଓଭରରେ ୱିକେଟ୍ ନେବାର ବିରଳ ସଂଯୋଗ ବି ଦେଖିବାକୁ ମିଳିଥିଲା।
ପ୍ରଜ୍ଞାନଙ୍କ ସଫଳତା ଦୋହରାଇଲେ ସାଇନି
ଦିଲ୍ଲୀ ଦ୍ରୁତ ବୋଲର ନଭଦୀପ ସାଇନି ଶନିବାର ୮୦ତମ ଭାରତୀୟ ଭାବେ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳିଥିଲେ। ନିଜ ପ୍ରଥମ ଓଭରରେ ହିଁ ସେ ଦୁଇଟି ୱିକେଟ୍ ନେଇଥିଲେ। ନିକୋଲାସ ପୂରନଙ୍କୁ ଆଉଟ୍ କରିବାର ପର ବଲ୍ରେ ସିମରନ୍ ହେଟମେୟରଙ୍କୁ କ୍ଲିନ୍ ବୋଲ୍ଡ କରି ଦେଇଥିଲେ। ଏପରି କରି ସାଇନି ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝାଙ୍କ ସମକକ୍ଷ ହୋଇଥିଲେ। ବାମହାତୀ ସ୍ପିନର ପ୍ରଜ୍ଞାନ ୨୦୦୯ରେ ନିଜ ପଦାର୍ପଣ ଟ୍ବେଣ୍ଟି-୨୦ରେ ଗୋଟିଏ ଓଭରରେ ଦୁଇଟି ୱିକେଟ୍ କରାୟତ କରିଥିଲେ। ପ୍ରଥମ ଓଭରର ପ୍ରଥମ ବଲ୍ରେ ସେ ବାଂଲାଦେଶ ଅଲରାଉଣ୍ଡର ସକିବ-ଅଲ-ହାସନଙ୍କୁ ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ବାରା କ୍ୟାଚ୍ କରାଇ ନେଇଥିଲେ। ସେହିଭଳି ପଞ୍ଚମ ବଲ୍ରେ ଜୁନୈଦ ସିଦ୍ଦିକଙ୍କୁ ଆଉଟ୍ କରି ଗୋଟିଏ ଓଭରରେ ଯୁଗଳ ସଫଳତା ଲାଭ କରିଥିଲେ। ମୋଟ ୪ ୱିକେଟ୍ ନେଇ ପ୍ରଜ୍ଞାନ ସେହି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ସଂଯୋଗ ବଶତଃ ସାଇନି ମଧ୍ୟ ପଦାର୍ପଣ ଟ୍ବେଣ୍ଟି-୨୦ରେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଛନ୍ତି।