ଭୁବନେଶ୍ବର: ଏଫ୍ଆଇଏଚ୍ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତ ବିଜେତା ହୋଇଛି। ଶନିବାର ଫାଇନାଲ୍ରେ ଭାରତ ୫-୧ ଗୋଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରି ଭାରତ ପୂର୍ବରୁ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟିକେଟ୍ ହାସଲ କରି ନେଇଥିଲା।
ଶୀର୍ଷମାନ୍ୟତା ପ୍ରାପ୍ତ ଭାରତ ଆରମ୍ଭରୁ ଦକ୍ଷିଣ ଆଫ୍ରିକା ଗୋଲ୍ ପୋଷ୍ଟ୍କୁ ଘନଘନ ଆକ୍ରମଣ କରିଥିଲା। ଦ୍ବିତୀୟ ମିନିଟ୍ରେ ହିଁ ଏହାର ଶୁଭଫଳ ମିଳିଯାଇଥିଲା। ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ବରୁଣ କୁମାର ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଏକାଦଶ ମିନିଟ୍ରେ ଭାରତକୁ ମିଳିଥିବା ଆଉ ଏକ ପେନାଲ୍ଟି କର୍ନରକୁ ହରମନ୍ପ୍ରୀତ ସିଂହ ଦକ୍ଷିଣ ଆଫ୍ରିକା ଗୋଲ୍ପୋଷ୍ଟ୍କୁ ପଠାଇ ପ୍ରଥମ କ୍ବାର୍ଟର୍ରେ ସ୍ଥିତି ୨-୦ କରି ନେଇଥିଲେ। ୨୫ତମ ମିନିଟ୍ରେ ଦକ୍ଷିଣ ଆଫ୍ରିକା ଖେଳାଳି ନିଜ ଡି’ଏରିଆରେ ଭାରତୀୟ ଖେଳାଳିଙ୍କୁ ଅଟକାଇବାରୁ ଦଳକୁ ମହଙ୍ଗା ପଡ଼ିଥିଲା। ଏହା ବଦଳରେ ଭାରତକୁ ପେନାଲ୍ଟି ସୁଟ୍ ମିଳିଥିଲା। ଯାହାକୁ ହରମନ୍ପ୍ରୀତ ଗୋଲ୍ରେ ପରିଣତ କରି ବ୍ୟକ୍ତିଗତ ଯୁଗଳ ସଫଳତା ପାଇବା ସହ ଭାରତକୁ ପ୍ରଥମାର୍ଧରେ ୩-୦ରେ ଅଗ୍ରଣୀ କରାଇଥିଲେ। ଦ୍ବିତୀୟାର୍ଧରେ ବିବେକ ପ୍ରସାଦ ଭାରତକୁ ଚତୁର୍ଥ ଗୋଲ୍ ଭେଟି ଦେଇଥିଲେ। ତୃତୀୟ କ୍ବାର୍ଟର୍ ଶେଷ ସୁଦ୍ଧା ଘରୋଇ ଦଳ ୪-୦ରେ ଆଗୁଆ ରହିବା ସହ ଦକ୍ଷିଣ ଆଫ୍ରିକାକୁ କୌଣସି ସୁଯୋଗ ଦେଇନଥିଲା। ଶେଷ କ୍ବାର୍ଟର୍ରେ ବରୁଣ କୁମାର ପୁଣି ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣିତ କରି ବ୍ୟକ୍ତିଗତ ଯୁଗଳ ସଫଳତା ପାଇବା ସହ ଦଳକୁ ୫-୦ରେ ଆଗୁଆ କରିଥିଲେ। ତେବେ ୫୩ତମ ମିନିଟ୍ରେ ଦକ୍ଷିଣ ଆଫ୍ରିକାର ରିକାର୍ଡ ପୌଜ ସେଥିରୁ ଗୋଟିଏ ଗୋଲ୍ ଶୁଝିବାକୁ ସକ୍ଷମ ହୋଇଥିଲା। ଶନିବାରର ଫାଇନାଲ୍ ପୂର୍ବରୁ ଖେଳାଯାଇଥିବା ତୃତୀୟ ସ୍ଥାନ ଲାଗି ମ୍ୟାଚ୍ରେ ଜାପାନ୍ ୪-୨ ଗୋଲ୍ରେ ଆମେରିକାକୁ ପରାସ୍ତ କରି ତୃତୀୟ ସ୍ଥାନରେ ରହିଥିଲା। ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରିନ୍ଦର ଧ୍ରୁବ ବାତ୍ରା, ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର କୁମାର ଦାସ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ।
ପୂରା ଷ୍ଟାଡିୟମ ଦର୍ଶକମୟ
ଏଫ୍ଆଇଏଚ୍ ସିରିଜ୍ ଫାଇନାଲ୍ ପ୍ରତି ଦର୍ଶକଙ୍କ ଅଗ୍ରହ ଆରମ୍ଭରୁ ଦେଖାଯାଇନଥିଲା। ସକାଳ ମ୍ୟାଚ୍ ଲାଗି ମାଗଣା ପ୍ରବେଶ ବ୍ୟବସ୍ଥା ଥିଲେ ମଧ୍ୟ ଦର୍ଶକଙ୍କ ଦେଖା ନଥିଲା। ରାତିରେ ଖେଳାଯାଇଥିବା ଭାରତର ମ୍ୟାଚ୍ ବେଳେ କିନ୍ତୁ କିଛି ଦର୍ଶକ ଦେଖିବାକୁ ମିଳିଥିଲା। କିନ୍ତୁ ପ୍ରତ୍ୟେକ ଦିନ ଷ୍ଟାଡିୟମର ୭୫ ଭାଗ ସିଟ୍ ଖାଲି ପଡ଼ୁଥିଲା। ଶନିବାରର ଫାଇନାଲ୍ରେ ଷ୍ଟାଡିୟମ ପୂର୍ଣ୍ଣ ରହିଥିଲା। ଦର୍ଶକମୟ ଷ୍ଟାଡିୟମ ପୁଣି ଥରେ ପ୍ରମାଣିତ କରିଥିଲା ଓଡ଼ିଶା ଦର୍ଶକଙ୍କ ହକି ସହ ଥିବା ଭଲପାଇବା।
ଓଲି କଲା ମନୋରଞ୍ଜନ
ଓଡ଼ିଶା କ୍ରୀଡ଼ାର ମାସ୍କଟ୍ ଓଲି ଏଫ୍ଆଇଏଚ୍ ସରିଜ୍ ଫାଇନାଲ୍ରେ ମଧ୍ୟ ଦର୍ଶକ ମନୋରଂଜନ କରୁଥିଲା। ସାରା ଷ୍ଟାଡିୟମ ବୁଲି ଦର୍ଶକଙ୍କ ଅଭିନନ୍ଦନ ଗ୍ରହଣ କରିବା ସହ ଗୀତର ତାଳରେ ନାଚୁଥିଲା। ଓଲି ସହ ଦର୍ଶକମାନେ ମଧ୍ୟ ସେଲ୍ଫି ନେବାକୁ ଭୁଲି ନଥିଲେ।