ପୁନେ, ୧୩|୧୦: ଆଶା ମୁତାବକ ଭାରତ ରବିବାର ସକାଳେ ଫଲୋଅନ୍ ଡାକିବା ପରେ ବୋଲରମାନେ ଏହାକୁ ସଫଳ ରୂପାୟନ କରିଦେଲେ। ପ୍ରଥମ ପାଳିରେ ୩୨୬ ରନ୍ ପଛରେ ରହିଥିବା ଦକ୍ଷିଣ ଆଫ୍ରିକାର ଦ୍ବିତୀୟ ପାଳିକୁ ଭାରତୀୟ ବୋଲରମାନେ ୧୮୯ ରନ୍ରେ ଶେଷ କରି ଦେଇଥିଲେ। ଏଥି ସହିତ ଭାରତ ଏକ ପାଳି ଓ ୧୩୭ ରନ୍ରେ ବିଜୟୀ ହୋଇ ୩ ମ୍ୟାଚ୍ ଶୃଙ୍ଖଳାକୁ ମଧ୍ୟ ଆଗୁଆ ୨-୦ରେ କବ୍ଜା କରି ନେଇଛି। ରବିବାରର ବିଜୟ ସହିତ ଭାରତ ମଧ୍ୟ ଘରୋଇ ମାଟିରେ ଲଗାତାର ଏକାଦଶ ଟେଷ୍ଟ୍ ଶୃଙ୍ଖଳା ବିଜୟ ହାସଲ କରି ବିଶ୍ବ କୀର୍ତ୍ତିମାନର ଅଧିକାରୀ ହୋଇଛି। ଭାରତ ୨୦୧୨-୧୩ ପରଠାରୁ ଘରୋଇ ମାଟିରେ ଟେଷ୍ଟ୍ ଶୃଙ୍ଖଳା ହାରିନାହିଁ। ଅଷ୍ଟ୍ରେଲିଆ ଦୁଇ ଥର ଲଗାତାର ୧୦ ଲେଖାଏଁ ଘରୋଇ ଟେଷ୍ଟ୍ ଶୃଙ୍ଖଳା ଜିତିଥିଲା। କଙ୍ଗାରୁ ଦଳ ୧୯୯୪-୯୫ରୁ ୨୦୦୦-୦୧ ଏବଂ ୨୦୦୪ରୁ ୨୦୦୮-୦୯ ଋତୁ ମଧ୍ୟରେ ଏହି ଦୁଇ ଥର ସଫଳତା ପାଇଥିଲା। ଏବେ ଧୋନି-କୋହଲି ବାହିନୀ ସେମାନଙ୍କୁ ପଛରେ ପକାଇ ଦେଇଛନ୍ତି।
ରବିବାର ଭାରତ ଚତୁର୍ଥ ଦିନ ସକାଳେ ଦ୍ବିତୀୟ ପାଳି ନ ଖେଳି ଫଲୋଅନ୍ ଡାକରା ଦେଇଥିଲା। ପ୍ରଥମ ଓଭରର ଦ୍ବିତୀୟ ବଲରେ ହିଁ ଈଶାନ୍ତ ଶର୍ମା ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଏଦେନ ମର୍କରାମଙ୍କୁ ଖାତା ଖୋଲିବାକୁ ଦେଇନଥିଲେ। ଏହା ପରେ ଡି ବ୍ରୁଇନ୍ଙ୍କୁ ଉମେଶ ଯାଦବ ପ୍ୟାଭିଲିଅନ୍ ଫେରିବାକୁ ବାଧ୍ୟ କରିଥିଲେ। ଅଧିନାୟକ ଫାପ୍ ଡୁ ପ୍ଲେସିସଙ୍କୁ ୱିକେଟ୍ ପଛପଟେ କ୍ୟାଚ୍ କରାଇ ଅଶ୍ବିନ୍ ନିଜ ପ୍ରଥମ ସଫଳତା କାଢ଼ିଥିଲେ। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଡିନ୍ ଏଲଗାର (୪୮, ୭୨ ବଲ, ୮ ଚୌକା) କ୍ରିଜ୍ରେ ଜମି ସାରିଥିଲେ ମଧ୍ୟ ଅଶ୍ବିନ୍ଙ୍କ ଦ୍ବିତୀୟ ଶିକାର ହୋଇଯାଇଥିଲେ। ଏଥି ସହିତ ମଧ୍ୟାହ୍ନ ଭୋଜନ ବିରତି ବେଳକୁ ୭୪ ରନ୍ରେ ୪ ୱିକେଟ୍ ହରାଇ ଦକ୍ଷିଣ ଆଫ୍ରିକା ପରାଜୟ ମୁହାଁ ହୋଇଥିଲା। ଏହା ପରେ ମଧ୍ୟକ୍ରମରେ ତେମ୍ବା ବଭୁମା (୩୮, ୬୩ ବଲ, ୪ ଚୌକା, ୧ ଛକା) ଏବଂ ନିମ୍ନକ୍ରମରେ ଭର୍ନାନ୍ ଫିଲାଣ୍ଡର୍ (୩୭, ୭୨ ବଲ, ୨ ଚୌକା, ୨ ଛକା) ଓ କେଶବ ମହାରାଜ (୨୨, ୬୫ ବଲ, ୩ ଚୌକା) ସାମୟିକ ଲଢ଼ିଥିଲେ। ଭାରତର ସ୍ପିନ୍-ପେସ୍ ବୋଲିଂ ୟୁନିଟ୍ କିନ୍ତୁ ଭ୍ରମଣକାରୀ ଦଳକୁ ପ୍ରତ୍ୟାବର୍ତନର କୌଣସି ସୁଯୋଗ ଦେଇନଥିଲା। ସେମାନେ ୫-୫ ୱିକେଟ୍ ବାଣ୍ଟି ନେଇଥିଲେ। ଉମେଶ ଯାଦବ, ରବୀନ୍ଦ୍ର ଜାଦେଜା ୩-୩ ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ବିନ୍ ୨ ଏବଂ ଈଶାନ୍ତ ଶର୍ମା ଓ ମହମ୍ମଦ ସାମି ୧-୧ ୱିକେଟ୍ ଦଖଲ କରିଥିଲେ। ଆହତ କେଶବ ମହାରାଜଙ୍କ ୱିକେଟ୍ ସହିତ ରବୀନ୍ଦ୍ର ଜାଦେଜା ଚା’ପାନ ବିରତି ପରେ ପରେ ଦକ୍ଷିଣ ଆଫ୍ରିକା ପାଳିର ଅନ୍ତ ଘଟାଇଥିଲେ।
ଚତୁର୍ଥ ଦିନରେ ଶେଷ ହୋଇଥିବା ଏହି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି। ବିରାଟଙ୍କ ଶ୍ରେଷ୍ଠ ବ୍ୟକ୍ତିଗତ ପାଳି (୨୫୪* ରନ୍) ବଳରେ ଭାରତ ୬୦୧/୫ରେ ପାଳି ଘୋଷଣା କରିଥିଲା। ଦକ୍ଷିଣ ଆଫ୍ରିକା କିନ୍ତୁ ନିଜର ଉଭୟ ପାଳିରେ ଯଥାକ୍ରମେ ୨୭୫ ଓ ୧୮୯ ରନ୍ କରି ପାଳି ବ୍ୟବଧାନରେ ଆତ୍ମସମର୍ପଣ କରିଦେଲା। ରାଞ୍ଚିରେ ତୃତୀୟ ତଥା ଶେଷ ଟେଷ୍ଟ୍ ୧୯ ତାରିଖରୁ ଖେଳାଯିବ।
ପୁନେ, ୧୩|୧୦: ଭାରତ ଘରୋଇ ମାଟିରେ ଲଗାତାର ଭାବେ ଏକାଦଶ ଟେଷ୍ଟ୍ ଶୃଙ୍ଖଳା ବିଜୟ ହାସଲ କରିଛି। କୌଣସି ଦଳ ମଧ୍ୟରେ ଏହା ଦୀର୍ଘତମ ବିଜୟଧାରା। ଅଷ୍ଟ୍ରେଲିଆ (୧୯୯୪-୨୦୦୧ ଏବଂ ୨୦୦୪-୨୦୦୮) ଦୁଇ ଥର ୧୦ ଲେଖାଏଁ ଟେଷ୍ଟ୍ ଶୃଙ୍ଖଳା ଘରୋଇ ମାଟିରେ ଜିତିଥିଲା। ଭାରତର ଧାରା ୨୦୧୨-୧୩ରେ ସେହି ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ୪-୦ ବିଜୟରୁ ଆରମ୍ଭ ହୋଇଥିଲା।
୦: ଭାରତ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏତେ ବଡ଼ ବ୍ୟବଧାନରେ କେବେ ଜିତିନଥିଲା। ଦ୍ବିତୀୟ ଥର ପାଇଁ ମଧ୍ୟ ପାଳି ବ୍ୟବଧାନରେ ହରାଇଛି। ପୂର୍ବରୁ ଥରେମାତ୍ର କୋଲକାତା ଟେଷ୍ଟ୍କୁ ଭାରତ ଏକ ପାଳି ଓ ୫୭ ରନ୍ରେ ଜିତିଥିଲା। ଫଳରେ ଚଳିତ ଦଶନ୍ଧିରେ ଦକ୍ଷିଣ ଆଫ୍ରିକା ବରଣ କରିଥିବା ଉଭୟ ପାଳି ବ୍ୟବଧାନ ପରାଜୟ ଭାରତ ନିକଟରୁ ବରଣ କରିଛି।
୩୦: ବିରାଟ କୋଲିଙ୍କ ନେତୃତ୍ବରେ ଭାରତ ୫୦ତମ ଟେଷ୍ଟ୍ରୁ ୩୦ ବିଜୟ ପାଇଛି। କୋହଲିଙ୍କଠାରୁ ମାତ୍ର ୨ ଜଣ ଅଧିନାୟକ ପ୍ରଥମ ୫୦ ଟେଷ୍ଟ୍ ନେତୃତ୍ବ ଭିତରେ ଅଧିକ ଜିତିଛନ୍ତି। ଦୁଇ ଅଷ୍ଟ୍ରେଲୀୟ ଷ୍ଟିଭ୍ ୱ ୩୭ ଏବଂ ରିକି ପଣ୍ଟିଂ ୩୫ ଜିତିଥିଲେ। କୋହଲି (୩୦)ଙ୍କ ତଳକୁ ରହିଛନ୍ତି ୱେଷ୍ଟଇଣ୍ଡିଜ୍ର ଭିଭିଆନ୍ ରିଚାର୍ଡସ (୨୭)। କୋହଲିଙ୍କ ଅଧୀନରେ ଭାରତ ଖେଳିଥିବା ଏହି ୫୦ ଟେଷ୍ଟ୍ ମଧ୍ୟରୁ ବିଦେଶରେ ୨୭ରୁ ୧୩ ଏବଂ ଘରୋଇ ମାଟିରେ ୨୩ରୁ ୧୭ ବିଜୟ ମିଳିଛି।
୯.୮୩: ଉମେଶ ଯାଦବ ଏହି ଟେଷ୍ଟ୍ରେ ୯.୮୩ ହାରରେ ୫୯ ରନ୍ ବ୍ୟୟ କରି ୬ ୱିକେଟ୍ ନେଇଛନ୍ତି। ପୂର୍ବରୁ ମାତ୍ର ୩ ଥର ଜଣେ ଭାରତୀୟ ଦ୍ରୁତ ବୋଲର ଘରୋଇ ଟେଷ୍ଟ୍ରେ ତାଙ୍କଠାରୁ ଉନ୍ନତ ହାରରେ ଅନ୍ୟୁନ ୬ ୱିକେଟ୍ ଅକ୍ତିଆର କରିଛନ୍ତି। ସେମାନେ ହେଲେ-ମଦନ ଲାଲ୍ (୭.୮୩ ବନାମ ଇଂଲଣ୍ଡ, ୱାଙ୍ଖଡେ ଷ୍ଟାଡିୟମ୍, ୧୯୮୧), ଈଶାନ୍ତ ଶର୍ମା (୮.୨୮ ବନାମ ନ୍ୟୁଜିଲାଣ୍ଡ୍, ନାଗପୁର, ୨୦୧୦) ଏବଂ ଜଭାଗାଲ ଶ୍ରୀନାଥ (୮.୫୦ ବନାମ ଦକ୍ଷିଣ ଆଫ୍ରିକା, ଅହମ୍ମଦାବାଦ, ୧୯୯୬)।
୮: ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ୮ ଥର ପାଳି ବିଜୟ ପାଇଛି। ଯାହାକି ତାଙ୍କୁ ମହମ୍ମଦ ଆଝାରୁଦ୍ଦିନଙ୍କ ସହିତ ମିଳିତ ଦ୍ବିତୀୟ ସ୍ଥାନରେ ପହଞ୍ଚାଇଛି। ମହେନ୍ଦ୍ର ସିଂହ ଧୋନି (୯) ଏକ୍ଷେତ୍ରରେ ଆଗରେ ରହିଛନ୍ତି।
୬: ଦକ୍ଷିଣ ଆଫ୍ରିକା ବିଦେଶ ମାଟିରେ ନିଜର ଲଗାତାର ଷଷ୍ଠ ପରାଜୟ ବରଣ କରିଛି। ଯାହାକି ଦଳର ଦ୍ବିତୀୟ ସର୍ବାଧିକ। ୧୯୧୧ରୁ ୧୯୨୪ ମଧ୍ୟରେ ଦେଶ ସର୍ବାଧିକ ୧୦ ପରାଜୟ ବରଣ କରିଥିଲା। ୧୯୩୧ରୁ ୧୯୩୨ ମଧ୍ୟରେ ଲଗାତାର ୫ ପରାଜୟ ବରଣ କରିଥିଲା। ଅର୍ଥାତ୍ ବିଶ୍ବ କ୍ରିକେଟ୍କୁ ପୁନଃ ପ୍ରବେଶ କରିବା ପରେ ଦକ୍ଷିଣ ଆଫ୍ରିକାର ଏହା ସବୁଠୁ ଖରାପ ବିଦେଶ ପରାଜୟ ଧାରା।
୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡକୁ ଛାଡ଼ିଦେଲେ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଥର ପାଇଁ ଏକ ପାଳି ଏବଂ ୧୦୦ରୁ ଊର୍ଧ୍ବ ରନ୍ ବ୍ୟବଧାନରେ ହାରିଲା। ୨୦୦୬ରେ ଦଳ କଲମ୍ବୋର ଏସଏସସିରେ ପାଳି ଓ ୧୫୩ ରନ୍ରେ ହାରିଥିଲା। ଭାରତ ନିକଟରୁ ମଧ୍ୟ କେବଳ ଦ୍ବିତୀୟ ଥର ପାଇଁ ପାଳି ବ୍ୟବଧାନରେ ହାରିଛି। ପୂର୍ବରୁ ୨୦୧୦ କୋଲକାତା ଟେଷ୍ଟକୁ ଭାରତ ଏକ ପାଳି ଓ ୫୭ ରନ୍ରେ ଜିତିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/fhdfh56d7gtjh98dg4j8fg9i7jfy987jkcg54nj5cb1cv564n65vxc74jh8dg97jh98gd7hd98h7f98.jpg)