କାନବେରା,: ଅଷ୍ଟ୍ରେଲିଆରେ ଆୟୋଜିତ ତ୍ରି-ରାଷ୍ଟ୍ରୀୟ କନିଷ୍ଠ ମହିଳା ହକି ପ୍ରତିଯୋଗିତାରେ ଭାରତ ବିଜେତା ଆଖ୍ୟା ଅର୍ଜନ କରିଛି। ଭାରତୀୟ ଦଳ ରବିବାର ଖେଳିଥିବା ନିଜ ଚତୁର୍ଥ ତଥା ଶେଷ ଲିଗ୍ ମ୍ୟାଚ୍ରେ ଆୟୋଜକ ଅଷ୍ଟ୍ରେଲିଆଠାରୁ ୧-୨ ଗୋଲ୍ରେ ହାରିବା ସତ୍ତ୍ବେ ପଏଣ୍ଟ୍ ତାଲିକାର ଶୀର୍ଷରେ ରହି ଏହି ଅନନ୍ୟ ସଫଳତା ଲାଭ କରିଛି। ପ୍ରତିଯୋଗିତାରେ ଏହା ମଧ୍ୟ ଭାରତର ପ୍ରଥମ ପରାଜୟ ଥିଲା। ଭାରତ ତା’ର ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୨-୦ରେ ପରାସ୍ତ କରିଥିଲା। ଏହା ପରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ମ୍ୟାଚ୍କୁ ୧-୧ରେ ଅମୀମାଂସିତ ରଖିଥିଲା। ସେହିଭଳି ତୃତୀୟ ଲଢ଼େଇରେ ନ୍ୟୁଜିଲାଣ୍ଡକୁ ପୁଣି ଥରେ ୪-୧ରେ ଧୂଳି ଚଟାଇଥିଲା। ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ୭ ପଏଣ୍ଟ୍ ଲେଖାଏଁ ଅର୍ଜନ କରିଥିଲେ। ହେଲେ ଗୋଲ୍ ବ୍ୟବଧାନରେ ଆଗୁଆ ରହି ଭାରତ ବିଜେତା ହୋଇଥିଲା ବେଳେ ଅଷ୍ଟ୍ରେଲିଆ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ମାତ୍ର ୩ ପଏଣ୍ଟ୍ ସହ ନ୍ୟୁଜିଲାଣ୍ଡ ସବାଶେଷ ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲା।
ରବିବାର ମ୍ୟାଚ୍ର ପ୍ରଥମ କ୍ବାର୍ଟରରେ ଭାରତ ଏକାଧିକ ସୁଯୋଗକୁ ହାତଛଡ଼ା କରିଥିଲା। ଅନ୍ୟପକ୍ଷରେ ଏହି କ୍ବାର୍ଟରର ଶେଷ ମିନିଟ୍ରେ ମିଳିଥିବା ପେନାଲ୍ଟି କର୍ନରକୁ ସଫଳତାର ସହ ଗୋଲ୍ରେ ରୂପାନ୍ତର କରି ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ହୋଇ ଯାଇଥିଲା। ଏହି ଗୋଲ୍ଟିକୁ ଘରୋଇ ତାରକା ଆବିଗେଲ ୱିଲସନ ଦେଇଥିଲେ। ଦ୍ବିତୀୟ କ୍ବାର୍ଟରରେ ଭାରତ ସ୍ଥିତି ସମାନ ସ୍ତରକୁ ଆଣିବା ଲାଗି ବହୁ ଚେଷ୍ଟା କରିଥିଲା। ହେଲେ ସଜାଗ ଅଷ୍ଟ୍ରେଲୀୟ ରକ୍ଷଣଭାଗ ଭାରତର ପ୍ରତି ପ୍ରୟାସକୁ ଅକାମି କରି ଦେଇଥିଲା। ଫଳରେ ପ୍ରଥାମାର୍ଧ ସୁଦ୍ଧା କଙ୍ଗାରୁ ଦଳ ୧-୦ର ଅଗ୍ରଣୀକୁ ବଜାୟ ରଖିବାକୁ ସକ୍ଷମ ହୋଇଥିଲା। ତୃତୀୟ କ୍ବାର୍ଟରରେ ମଧ୍ୟ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେବାକୁ ସକ୍ଷମ ହୋଇ ନଥିଲେ। ଚତୁର୍ଥ କ୍ବାର୍ଟରରେ ଭାରତୀୟ ଖେଳାଳିମାନେ ଅଷ୍ଟ୍ରେଲିଆ ଉପରେ ଚାପ ସୃଷ୍ଟି କରି ୫୩ ମିନିଟରେ ଏକ ପେନାଲ୍ଟି କର୍ନର ଅର୍ଜନ କରି ନେଇଥିଲେ। ଗଗନଦୀପ କୌର ଏହାକୁ ଗୋଲରେ ପରିଣତ କରିବା ପରେ ସ୍ଥିତି ୧-୧ ହୋଇ ଯାଇଥିଲା। ତେବେ ମାତ୍ର ୩ ମିନିଟ୍ ଭିତରେ ଆଉ ଏକ ଗୋଲ୍ ଦେଇ ଅଷ୍ଟ୍ରେଲିଆ ପୁଣି ଥରେ ୨-୧ରେ ଆଗୁଆ ରହିଥିଲା। ଏହି ଗୋଲଟିକୁ ମଧ୍ୟ ୱିଲସନ୍ ଦେଇଥିଲେ। ବଳକା ୪ ମିନିଟ୍ ଖେଳରେ ଭାରତ ଆଉ ଗୋଲ୍ କରି ନପାରିବାରୁ ଗୋଟିଏ ଗୋଲ୍ ବ୍ୟବଧାନରେ ପ୍ରତିଯୋଗିତାର ପ୍ରଥମ ପରାଜୟ ବରଣ କରିଥିଲା।