ମନ୍ଧାନା ଓ ସ୍ପିନର ଅଷ୍ଟ୍ରେଲିଆକୁ ହରାଇଲେ
ଭାରତ ୪/୪
ଗାଏନା: ଚଳିତ ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ଲିଗ୍ ପର୍ଯ୍ୟାୟରେ ୪ରୁ ୪ ବିଜୟ ସହିତ ଅପରାଜିତ ରହି ସେମିଫାଇନାଲ୍ ଉଠିଛି। ପୂର୍ବରୁ ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆୟର୍ଲାଣ୍ଡକୁ ହରାଇଥିବା ଭାରତ ଶନିବାର ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ସହଜରେ ହରାଇ ଦେଇଥିଲା। ଭାରତର ବିଜୟରେ ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ସ୍ପିନରଙ୍କ ପାରମ୍ପାରିକ ପ୍ରାଧାନ୍ୟ ମୁଖ୍ୟ ଭୂମିକା ନେଇଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଏଥର ଅଭିଜ୍ଞ ପୂର୍ବତନ ଅଧିନାୟିକା ମିତାଲି ରାଜଙ୍କ ବିନା ପଡ଼ିଆକୁ ଓହ୍ଲାଇଥିଲା। ଏ ପର୍ଯ୍ୟନ୍ତ ଭଲ ଖେଳିପାରିନଥିବା ସ୍ମୃତି ମନ୍ଧାନା କିନ୍ତୁ ଶନିବାର ନିଜ ଚମକ ଦେଖାଇଥିଲେ। ମାତ୍ର ୩୧ ବଲରୁ ଅର୍ଧଶତକ ପୂର୍ଣ କରିବା ସହିତ ୮୩* ରନ୍ରେ ଅପରାଜିତ ରହିଥିଲେ। ତାଙ୍କର ଏହି ୫୫ ବଲ ପାଳିରେ ୯ ଚୌକା ଏବଂ ୩ ଛକା ସାମିଲ ଥିଲା। ଅଧିନାୟିକା ହରମନପ୍ରୀତ୍ କଉର (୪୩, ୨୭ ବଲ, ୩ ଚୌକା, ୩ ଛକା) ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ଅନ୍ୟ କୌଣସି ଭାରତୀୟ ଦୁଇ ଅଙ୍କ ଛୁଇଁ ପାରିନଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଜବାବରେ ଭାରତୀୟ ସ୍ପିନରମାନେ ଅଷ୍ଟ୍ରେଲିଆ ପାଳିକୁ ପ୍ରଥମରୁ ଝଟକା ପରେ ଝଟକା ଦେଇ ୧୧୯ ରନ୍ରେ ଅଲଆଉଟ୍ କରି ଦେଇଥିଲେ। ଅଫସ୍ପିନର ଅନୂଜା ପାଟିଲ (୩.୪-୦-୧୫-୩) ସଫଳ ବୋଲର ଥିଲେ ମଧ୍ୟ ସାଥୀ ଅଫସ୍ପିନର ଦୀପ୍ତି ଶର୍ମା (୪-୦-୨୪-୨), ବାମହାତୀ ସ୍ପିନର ରାଧା ଯାଦବ (୪-୦-୧୩-୨), ଲେଗ୍ ସ୍ପିନର ପୁନମ ଯାଦବ (୪-୦-୨୮-୨) ୱିକେଟ୍ ବାଣ୍ଟି ନେଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଏକା ଲଢ଼ିଥିବା ଏଲିସ୍ ପେରି (୩୯*, ୩/୧୬)ଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ବେକାର ଯାଇଥିଲା।
ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୧୬୭/୮ (ସ୍ମୃତି ମନ୍ଧାନା-୮୩, ହରମନପ୍ରୀତ୍ କଉର-୪୩, ଏଲିସ ପେରି-୩/୧୬, ଏ ଗାର୍ଡନର-୨/୨୫, ଡିଏମ୍ କିମିନ୍ସ-୨/୪୨)। ଅଷ୍ଟ୍ରେଲିଆ ୧୯.୪ ଓଭରରେ ୧୧୯ (ଏଲିସ୍ ପେରି-୩୯*, ରାଧା ଯାଦବ-୨/୧୩, ଦୀପ୍ତି ଶର୍ମା-୨/୧୫, ପୁନମ ଯାଦବ-୨/୨୮, ଅନୂଜା ପାଟିଲ-୧/୧୪)।