କୋହଲି-କିଷନ କମାଲ: ଇଂଲଣ୍ଡକୁ ୭ ୱିକେଟ୍‌ରେ ହରାଇଲେ, ଶୃଙ୍ଖଳା ୧-୧

ଅହମଦାବାଦ: ପରାକ୍ରମୀ ପଶ୍ଚାତଧାବକ ତଥା ଅଧିନାୟକ ବିରାଟ କୋହଲି (୭୩* ରନ୍, ୪୯ ବଲ୍, ୫ ଚୌକା, ୩ ଛକା) ଏବଂ ପଦାର୍ପଣକାରୀ ଈଶାନ କିଷନ (୫୬ ରନ୍, ୩୨ ବଲ୍, ୫ ଚୌକା, ୪ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ଦ୍ବିତୀୟ ମ୍ୟାଚ୍‌ରେ ୧୩ ବଲ୍ ପୂର୍ବରୁ ୭ ୱିକେଟ୍‌ର ସହଜ ବିଜୟ ହାସଲ କରି ଇଂଲଣ୍ଡ ବିପକ୍ଷ ପାଞ୍ଚ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୧-୧ ସ୍ତରକୁ ଆଣିଛି। ଇଂଲଣ୍ଡ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ କୋହଲି ସେନା ଏହାକୁ ୧୭.୫ ଓଭରରେ ହାସଲ କରି ନେଇ ବିଜୟ ଧାରାକୁ ଫେରିଛି। ତା’ ସହ ପ୍ରଥମ ମ୍ୟାଚ୍ ପରାଜୟର ପ୍ରତିଶୋଧ ବି ନେଇଛି। କିଷନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ।

ରବିବାରର ଏହି ପ୍ରତୀକ୍ଷିତ ମୁକାବିଲାରେ ଖାତା ଖୋଲିବା ପୂର୍ବରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କେଏଲ୍‌ ରାହୁଲଙ୍କୁ ହରାଇଥିଲା ଭାରତ। ତେବେ କୋହଲି ଓ କିଷନ ଦ୍ବିତୀୟ ୱିକେଟ୍‌ରେ ଦ୍ରୁତ ୯୪ ରନ୍ ଯୋଡ଼ି ଭାରତର ବିଜୟକୁ ଏକପ୍ରକାର ସୁନିଶ୍ଚିତ କରି ଦେଇଥିଲେ। ବିଶେଷ କରି ନିଜ ପ୍ରଥମ ଅନ୍ତର୍ଜାତୀୟ ମୁକାବିଲା ଖେଳୁଥିବା କିଷନ ସାହସିକ ବ୍ୟାଟିଂର ବଳିଷ୍ଠ ନମୁନା ଦେଖାଇ ୨୮ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରି ସମସ୍ତଙ୍କ ମନ ଜିତି ନେଇଥିଲେ। ରିଭର୍ସ ସଟ୍ ପ୍ରୟାସରେ ନିଜ ୱିକେଟ୍ ହରାଇବା ପୂର୍ବରୁ କେତେକ ଦର୍ଶନୀୟ ସଟ୍ ଖେଳି ନିଜ ପଦାର୍ପଣକୁ ମଧ୍ୟ ସ୍ମରଣୀୟ କରି ନେଇଥିଲେ ସେ। ମାତ୍ର ୩୫ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିବା ଚେଜ୍ ମାଷ୍ଟର କୋହଲି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଏକ ଦର୍ଶନୀୟ ଛକାରେ ଭାରତ ବିଜୟକୁ ମୁଣ୍ଡି ମାରିଥିଲେ। କୋହଲି ମଧ୍ୟ ଆଜି ଏକ ବିରାଟ ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁଥିଲେ। ବିଶ୍ବର ପ୍ରଥମ ଖେଳାଳି ଭା‌ବେ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ୩,୦୦୦ ରନ୍ ପୂରଣ କରିବାର ଗୌରବ ହାସଲ କରିଥିଲେ ସେ। ଆଜିର ମ୍ୟାଚ୍‌ରେ ଅନ୍ୟତମ ଭାରତୀୟ ଯୁବ ତାରକା ସୂର୍ଯ୍ୟକୁମାର ଯାଦବ ମଧ୍ୟ ନିଜ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ହେଲେ ବ୍ୟାଟିଂ ସୁଯୋଗ ପାଇ ନଥିଲେ।

ସମ୍ବନ୍ଧିତ ଖବର