ଆଡିଲେଡ୍ : ଭାରତୀୟ ମହିଳା ହକି ଦଳ ବିଜୟ ସହ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଛି। ଏହି ଗସ୍ତରେ ଅଷ୍ଟ୍ରେଲିଆ ବରିଷ୍ଠ ଦଳ ବିପକ୍ଷରେ ୩ ମ୍ୟାଚ୍ ଖେଳି ୨ ପରାଜୟ ଓ ଗୋଟିଏ ଅମୀମାଂସିତ ରଖିଥିଲା। ଏହାପରେ ଅଷ୍ଟ୍ରେଲିଆ-ଏ ବିପକ୍ଷରେ ୨ଟି ମ୍ୟାଚ୍ ଖେଳି ଗୋଟିଏ ଲେଖାଏଁ ପରାଜୟ ଓ ବିଜୟ ପାଇଥିଲା। ଶନିବାର ଗସ୍ତର ଶେଷ ତଥା ପଞ୍ଚମ ମ୍ୟାଚ୍ରେ ସବିତାଙ୍କ ନେତୃତ୍ବାଧୀନ ଭାରତ ୨-୧ ଗୋଲ୍ରେ ଅଷ୍ଟ୍ରେଲିଆ-ଏ ଦଳକୁ ହରାଇ ସମ୍ମାନର ସହ ଗସ୍ତ ଶେଷ କରିଛି।
ମ୍ୟାଚ୍ର ଦଶମ ମିନିଟ୍ରେ ନଭନୀତ କୌରଙ୍କ ଗୋଲ୍ରେ ଭ୍ରମଣକାରୀ ଦଳ ଅଗ୍ରଣୀ ନେଇ ଘରୋଇ ଦଳକୁ ଚାପରେ ରଖିଥିଲା।ହେଲେ ୨୨ତମ ମିନିଟ୍ରେ ଘରୋଇ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଆବିଗେଲ ୱିଲ୍ସନ୍ ଗୋଲ୍ ଦେଇ ସ୍ଥିତି ୧-୧ କରିଥିଲେ। ଏହାର କିଛି ମିନିଟ୍ ପରେ ଡ୍ରାଗ୍ ଫ୍ଲିକର ଓଡ଼ିଆ ଝିଅ ଦୀପ ଗ୍ରେସ ଏକ୍କା (୨୫ ମିନିଟ୍) ପେନାଲ୍ଟି କର୍ଣ୍ଣର ଗୋଲ୍ରେ ଭାରତକୁ ୨-୧ରେ ଆଗୁଆ ରଖିଥିଲେ। ଶେଷ ଦୁଇ କ୍ବାର୍ଟର ଗୋଲ୍ ଶୂନ୍ୟରେ ଶେଷ ହେବାରୁ ଭାରତ ୨-୧ ଗୋଲ୍ ବ୍ୟବଧାନରେ ବିଜୟୀ ହୋଇଥିଲା।