ପୁନେରେ ବିଜୟ

ପୁନେ: ଓ୍ଵାଙ୍ଖଡେ୍‌ରେ ବିରାଟ କୋହଲିଙ୍କ ଦ୍ୱିଶତକ ମ୍ୟାଚ୍‌କୁ ଦ୍ୱିଶତକ ଭାଗୀଦାରି ଜରିଆରେ ଫିକା ପକାଇ ଦେଇଥିବା ନ୍ୟୁଜିଲାଣ୍ଡ୍‌ ଦଳ ପୁନେରେ କିନ୍ତୁ ପାଣି ପିଇଛି। ପିଚ୍‌ ବିବାଦକୁ ପଛରେ ପକାଇ ପୁନେରେ ୬ ଓ୍ଵିକେଟ୍‌ ବିଜୟ ସହ ମୁମ୍ବାଇର ୬ ଓ୍ଵିକେଟ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଛି କୋହଲି ବାହିନୀ। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ୧-୧ ସ୍ଥିତିକୁ ଚାଲି ଆସିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ୍‌ ୩ ଦିନ ତଳର ବ୍ୟାଟିଂ କରିସ୍ମାକୁ ଦୋହରାଇ ପାରିନଥିଲା। ଭାରତୀୟ ଦ୍ରୁତ ବୋଲରମାନେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ବାହାର କରିନେବାରୁ ଭ୍ରମଣକାରୀ ଦଳ ୨୩୦ ରନ୍‌ରେ ସୀମିତ ରହିଥିଲା। ତା’ ପୁଣି ୫୮/୪ ଏବଂ ୧୮୮/୮ ଭଳି ଦୁଇଟି ଦୟନୀୟ ସ୍ଥିତିରୁ ବାହାରି। ବିନା ଅର୍ଧଶତକରେ ଦଳ ମଧ୍ୟ ସମ୍ମାନଜନକ ସ୍କୋର୍‌ କରିପାରିଥିଲା। ମାର୍ଟିନ ଗପ୍ଟିଲ୍‌ (୧୧), କଲିନ୍‌ ମୁନ୍‌ରୋ (୧୦)ଙ୍କୁ ଭୁବନେଶ୍ୱର କୁମାର ତାଙ୍କ ପ୍ରଥମ ସ୍ପେଲ୍‌ରେ ପ୍ୟାଭିଲିଅନ୍‌ ଫେରାଇ ଦେଇଥିଲେ। ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ (୩) ଏବଂ ରସ୍‌ ଟେଲର୍‌ (୨୧)ଙ୍କୁ ଯଥାକ୍ରମେ ଯଶପ୍ରୀତ ବୁମରା ଓ ହାର୍ଦିକ ପାଣ୍ଡ୍ୟା ଆଗକୁ ବଢ଼ିବାକୁ ଦେଇ ନ ଥିଲେ। ଫଳରେ କିଓ୍ଵି ଦଳ ୧୬ ଓଭର ବେଳକୁ ଏହି ୪ ଜଣଙ୍କୁ ହରାଇ ଗଭୀର ସଙ୍କଟରେ ପଡ଼ିଥିଲା। ପୁନେରେ ଚମକିଥିବା ଟମ୍‌ ଲାଥମ୍‌ (୩୮, ୬୨ ବଲ୍‌, ୨ ଚୌକା) ଏବଂ ନିକୋଲ୍‌ସ (୪୨, ୬୨ ବଲ୍‌, ୩ ଚୌକା) ୬୦ ରନ୍‌ର ଭାଗୀଦାରି କରିଥିଲେ। କିନ୍ତୁ ପୁନେ ଶତକଧାରୀ ଲାଥମ୍‌ଙ୍କୁ ବୋଲ୍‌ଡ କରି ବାମହାତୀ ଅକ୍ଷର ପଟେଲ୍‌ ଏହି ଭାଗୀଦାରିକୁ ଅଲଗା କରିଥିଲେ। ଏହା ପରେ ନିକୋଲ୍‌ସଙ୍କୁ ଭୁବି ନିଜର ତୃତୀୟ ଶିକାର କରିଥିଲେ ମଧ୍ୟ ନିମ୍ନକ୍ରମରେ କଲିନ୍‌ ଗ୍ରାଣ୍ଡହୋମ୍‌ (୪୧, ୪୦ ବଲ୍‌, ୫ ଚୌକା, ୧ ଛକା), ମିଚେଲ୍‌ ସାଣ୍ଟନର୍‌ (୨୯, ୩୮ ବଲ୍‌, ୨ ଚୌକା, ୧ ଛକା) ଏବଂ ଟିମ୍‌ ସାଉଦି (୨୫*, ୨୨ ବଲ୍‌, ୧ ଚୌକା, ୧ ଛକା)ଙ୍କ ପାଳି କାରଣରୁ ନ୍ୟୁଜିଲାଣ୍ଡ୍‌ ୨୩୦ ରନ୍‌ରେ ପହଞ୍ଚି ପାରିଥିଲା। ଭୁବିଙ୍କୁ ୩ ବ୍ୟତୀତ ବୁମରା ଓ ଚହଲଙ୍କୁ ୨-୨ ଓ୍ଵିକେଟ୍‌ ମିଳିଥିଲା।
ଜବାବରେ ଭାରତ ପୁଣି ଥରେ ରୋହିତ ଶର୍ମାଙ୍କୁ ସଅଳ ହରାଇଥିଲା। କିନ୍ତୁ ଶିଖର ଧାଓ୍ଵନ (୬୮, ୮୪ ବଲ୍‌, ୫ ଚୌକା, ୨ ଛକା) ଦୁଇ ଦୁଇଟି ଅର୍ଧଶତକୀୟ ଭାଗୀଦାରି କରି ଭାରତକୁ ବିଜୟ ମୁହାଁ କରିଥିଲେ। ବିରାଟ କୋହଲି (୨୯, ୨୯ ବଲ୍‌, ୩ ଚୌକା, ୧ ଛକା) ଏବଂ ହାର୍ଦିକ ପାଣ୍ଡ୍ୟା (୩୦, ୩୧ ବଲ୍‌, ୨ ଚୌକା, ୧ ଛକା) ଆଗକୁ ଲମ୍ବା ପାଳି ଖେଳି ପାରିନଥିଲେ। କିନ୍ତୁ ଦୀନେଶ କାର୍ତିକ (୬୪*, ୯୨ ବଲ୍‌, ୪ ଚୌକା) ସୁଯୋଗ ହାତଛଡ଼ା ହେବାକୁ ଦେଇ ନଥିଲେ। ଭାରତ ୪ ଓଭର ପୂର୍ବରୁ ୪ ଓ୍ଵିକେଟ୍‌ ହରାଇ ୨୩୨ ରନ୍‌ ସଂଗ୍ରହ କରି ନେଇଥିଲା। ଟିମ୍‌ ସାଉଦିଙ୍କ ବଲ୍‌କୁ କଭର୍‌ ଅଞ୍ଚଳ ସୀମା ରେଖା ବାହାରକୁ ପଠାଇ ଦୀନେଶ କାର୍ତିକ ମ୍ୟାଚ୍‌ ଶେଷ କରିଥିଲେ। ଭୁବନେଶ୍ୱର କୁମାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଶୃଙ୍ଖଳା ନିର୍ଣ୍ଣାୟକ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍‌ ରବିବାର କାନପୁରର ଗ୍ରିନ୍‌ ପାର୍କରେ ଖେଳାଯିବ।

ସମ୍ବନ୍ଧିତ ଖବର