ନାଗପୁର ଟେଷ୍ଟ: ଶ୍ରୀଲଙ୍କା ବିପକ୍ଷରେ ଭାରତର ବଡ଼ ବିଜୟ , ୧-୦ରେ ଆଗୁଆ

ଭାରତୀୟ ଟିମ୍ ଏକ ଇନିଂସ୍ ଓ ୨୩୯ ରନରେ ଶ୍ରୀଲଙ୍କାକୁ ହରାଇଲା

ନାଗପୁର:ନାଗପୁର: ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନିଟିକିଆ ଟେଷ୍ଟ ଶୃଙ୍ଖଳାର ନାଗପୁର ଟେଷ୍ଟକୁ ବିରାଟ ବାହିନୀ ଗୋଟିଏ ଇନିଙ୍ଗସ ଓ ୨୩୯ ରନରେ ଜିତି ସିରିଜ୍‌ରେ ୧-୦ ଅଗ୍ରଣୀ ହାସଲ କରିଛି। ଖେଳର ୪ର୍ଥ ଦିବସରେ ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଦେଜା , ଉମେଶ ଯାଦବ ଓ ଇଶାନ୍ତ ଶର୍ମା ୯ଟି ଉଇକେଟ୍‌ ହାସଲ କରି ଭାରତକୁ ଏହି ବିଜୟ ଦେଇଛନ୍ତି। ଏହା ସହିତ ରବିଚନ୍ଦ୍ରନ ଅଶ୍ୱିନ ଟେଷ୍ଟ କ୍ରିକେଟରେ ଦୃତତମ ୩୦୦ ଉେଇକେଟ୍‌ ହାସଲ କରିବା ରେକର୍ଡ ନିଜ ନାମରେ କରିବା ସହିତ ୩ଶହ ଉଇକେଟ ହାସଲକାରୀ କ୍ଲବ୍‌ରେ ସାମିଲ ହୋଇଛନ୍ତି।

ଗତକାଲିର ଦ୍ୱିତୀୟ ପାଳିର ଅସମାପ୍ତ ଖେଳ ଆରମ୍ଭରୁ ଶ୍ରୀଲଙ୍କା ଦଳ ବେଶ ଧୈର୍ଯ୍ୟର ସହିତ ଖେଳିବାକୁ ଉଦ୍ୟମ କରିଥିଲା। ମାତ୍ର ଦଳର ସ୍କୋର ୩୪ରନ୍‌ରେ ପହଞ୍ଚିଥିବା ବେଳେ ରବୀନ୍ଦ୍ର ଜାଦେଜା ଶ୍ରୀଲଙ୍କାର ଭରସାଯୋଗ୍ୟ ଖେଳାଳି ଦିମୁଥ କରୁଣାରତ୍ନେଙ୍କୁ ମୁରଲୀ ବିଜୟଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ କରି ପାଭିଲିୟନ ଫେରାଇ ଦେବା ସହିତ ୪ର୍ଥ ଦିବସରେ ଭାରତକୁ ବିଜୟ ଦେବା ପାଇଁ ସାଥୀ ଖେଳାଳିଙ୍କୁ ଇଙ୍ଗିତ ଦେଇଥିଲେ। ପରେ ପରେ ଉମେଶ ଯାଦବ( ୨/୩୦), ଇଶାନ୍ତ ଶର୍ମା(୨/୪୩) ଭାରତର ଉଇକେଟ୍‌ ଶିକାର ଯୋଜନାରେ ଲାଗି ପଡ଼ିଥିଲେ। ଶେଷରେ ରବିଚନ୍ଦ୍ରନ ଅଶ୍ୱିନ ଶ୍ରୀଲଙ୍କାର ୪ ଉଇକେଟ (୬୩ ରନ) ନେଇ ଏହି ବିଜୟ ଦେଇଥିଲେ ।

ରବିବାର ସକାଳେ ଭାରତ ୩୧୨/୨ରୁ ଖେଳିିଥିଲା। ପ୍ରାଚୀର ଭଳି ଛିଡ଼ା ହେଉଥିବା ପୂଜାରା ସକାଳେ ଆଉ ୮୩ ବଲ୍‌ ଖେଳିଥିଲେ ମଧ୍ୟ ବ୍ୟକ୍ତିଗତ ଭାବେ ୨୨ ରନ୍‌ ଯୋଡ଼ିଥିଲେ। ମଧ୍ୟାହ୍ନ ଭୋଜନ ବିରତିର ଅଳ୍ପ ସମୟ ପୂର୍ବରୁ ପୂଜାରା (୧୪୩, ୩୬୨, ୧୪ ଚୌକା)ଙ୍କୁ ସଣକା ବୋଲ୍‌ଡ କରି ଦେଇଥିଲେ। ଏକ ସିଧା ବଲ୍‌ରେ ଲାଇନ୍‌ ମିସ୍‌ କରି ପୂଜାରା ଅଫ୍‌ ଷ୍ଟମ୍ପ୍‌ ହରାଇଥିଲେ। ଏହା ପୂର୍ବରୁ କିନ୍ତୁ କୋହଲି ନିଜର ୧୯ତମ ଟେଷ୍ଟ୍‍ ଶତକ ପୂରଣ କରି ସାରିଥିଲେ। ଅଜିଙ୍କ୍ୟ ରାହାଣେ (୨) ଦିଲରୁଓ୍ଵାନ ପେରେରାଙ୍କ ଶିକାର ହୋଇ ନିରାଶ ହୋଇଥିଲେ। ଏହା କିନ୍ତୁ ରାହାଣେଙ୍କ ମୁମ୍ବାଇ ସାଥୀ ରୋହିତ ଶର୍ମାଙ୍କୁ ପ୍ରତ୍ୟାବର୍ତନରେ ଶତକ ଜମାଇବାର ସୁଯୋଗ ଦେଇଥିଲା। ପ୍ରାୟ ୪୦୦ ଦିନ ପରେ ଟେଷ୍ଟ୍‍ କ୍ରିକେଟ୍‌କୁ ଫେରିଥିବା ରୋହିତ ମଧ୍ୟ ଏହାର ଭରପୁର ଫାଇଦା ଉଠାଇଥିଲେ। କୋହଲିଙ୍କ ସହିତ ମିଶି ପଞ୍ଚମ ଓ୍ଵିକେଟ୍‌ ଭାଗୀଦାରିରେ ୧୭୩ ରନ୍‌ ଯୋଡ଼ିଥିଲେ ରୋହିତ। ଚା’ ପାନ ବିରତି ପରେ କୋହଲିର ଶତକକୁ ଦ୍ୱିଶତକ ରୂପ ଦେଇଥିଲେ। ମଧ୍ୟାହ୍ନ ଭୋଜନ ପୂର୍ବରୁ ଲାକମଲଙ୍କୁ ଲେଗ୍‌ ସାଇଡ୍‌କୁ ଖେଳି ଏକ ରନ୍‌ ସହିତ ଶତକ ପୂର୍ଣ୍ଣ କରିଥିବା କୋହଲି ଅପରାହ୍‌ଣରେ ଦିଲରୁଓ୍ଵାନ ପେରେରାଙ୍କୁ ଲଙ୍ଗ୍‌ ଅନ୍‌କୁ ଖେଳି ଅନୁରୂପ ଭାବେ ଏକ ରନ୍‌ ସହିତ ଦ୍ୱିଶତକ ଅର୍ଜନ କରିଥିଲେ। ଏହା ଥିଲା କୋହଲିଙ୍କ ଲଗାତାର ଶତକ ଏବଂ ଟେଷ୍ଟ୍‍ରେ ପଞ୍ଚମ ଦ୍ୱିଶତକ। ପରବର୍ତୀ ଓଭରରେ ଦିଲରୁଓ୍ଵାନ ପେରେରା କିନ୍ତୁ କୋହଲି (୨୧୩, ୨୬୭ ବଲ୍‌, ୧୭ ଚୌକା, ୨ ଛକା)ଙ୍କୁ ଆଉଟ୍‌ କରିଦେଇଥିଲେ। ବୋଲରଙ୍କ ମୁଣ୍ଡ ଉପରେ ଖେଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ଲଙ୍ଗ୍‌ ଅନ୍‌ରେ କରୁଣାରତ୍ନେଙ୍କ ହାତରେ ଧରାପଡ଼ିଥିଲେ। ଏହା ପରେ ଯୋଜନାବଦ୍ଧ ଭାବେ ରୋହିତ ଶର୍ମା (୧୦୨*, ୧୬୦ ବଲ୍‌, ୮ ଚୌକା, ୧ ଛକା) ଶତକ ପୂରଣ କରିବା ମାତ୍ରେ କୋହଲି ପାଳି ଘୋଷଣା କରି ଦେଇଥିଲେ। ଏହା ରୋହିତଙ୍କ ୨୨ତମ ଟେଷ୍ଟ୍‍ରେ ତୃତୀୟ ଶତକ।

କୋହଲି-ସ୍ମିଥ୍‌ ବରାବର

ଗାବା ଟେଷ୍ଟ୍‍ରେ ଷ୍ଟିଭେନ୍‌ ସ୍ମିଥ୍‌ ୧୪୧* ରନ୍‌ ପାଳି ଖେଳି ଦଳକୁ ଆଗୁଆ କରାଇଥିବାବେଳେ କୋହଲି ନାଗପୁରରେ ଦ୍ୱିଶତକ ହାସଲ କରିଛନ୍ତି। ଉଭୟ ୨୦୧୪-୧୫ରେ ଗୋଟିଏ ଶୃଙ୍ଖଳାରେ ନିଜ ନିଜର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ। ଉଭୟ ଏବେ ଦଳକୁ ଉଦାହରଣରେ ଆଗେଇ ନେଉଛନ୍ତି। ଉଭୟ ମଧ୍ୟ ନିଜ ନିଜ ପ୍ରଥମ ଅଧିନାୟକତ୍ୱ ପାଳିରେ ଶତକ ମାରିଥିଲେ। ୨୭ ଟେଷ୍ଟ୍‍ରେ ନେତୃତ୍ୱ ନେଇ ସାରିଥିବା ସ୍ମିଥ୍‌ ୭୨ରୁ ଊର୍ଧ୍ୱ ହାରରେ ୧୩ ଶତକ ଜମାଇଛନ୍ତି। କୋହଲି ୩୧ ଟେଷ୍ଟ ରୁ ୬୩.୯୩ ହାରରେ ମଧ୍ୟ ୧୩ ଶତକ। ଉଭୟ ୩ ଥର ଲେଖାଏଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି ଏହି ସମୟରେ। ଅନ୍ୟୁନ ୫୦୦ ରନ୍‌ ସଂଗ୍ରହ କରିଥିବା ୧୩୭ ଜଣିଆ ଅଧିନାୟକଙ୍କ ତାଲିକା ମଧ୍ୟରେ ସ୍ମିଥ୍‌ ଓ କୋହଲି ମଧ୍ୟ ହାରାହାରିରେ ଶୀର୍ଷ ୫ ଭିତରେ ରହିଛନ୍ତି।

ସଣକାଙ୍କ ପାଉଣା ୭୫ ପ୍ରତିଶତ କଟିଲା

ଚଳିତ ନାଗପୁର ଟେଷ୍ଟ୍‍ରେ ବଲ୍‌ର ଆକାର ବଦଳାଇବାକୁ ଚେଷ୍ଟା କରି ଶ୍ରୀଲଙ୍କା ଅଲରାଉଣ୍ଡର୍‌ ଦାସୁନ ସଣକା ଦଣ୍ଡିତ ହୋଇଛନ୍ତି। ତାଙ୍କ ଉପରେ ୩ ଡିମେରିଟ୍‌ ପଏଣ୍ଟ୍‌ ପ୍ରଦାନ କରାଯାଇଥିବା ବେଳେ ମ୍ୟାଚ୍‌ ପାଉଣାର ୭୫ ପ୍ରତିଶତ ମଧ୍ୟ କାଟି ନିଆଯାଇଛି। ଶନିବାର ମ୍ୟାଚର ଦ୍ୱିତୀୟ ଦିବସରେ ସଣକା ଭାରତ ପାଳିର ୫୦ତମ ଓଭରରେ ବଲ୍‌ର ଆକାର ବଦଳାଇବାକୁ ଏକାଧିକ ବାର ଚେଷ୍ଟା କରୁଥିବା ଟିଭି କ୍ୟାମେରାରେ ଧରାପଡ଼ିଥିଲେ। ଅମ୍ପାୟାର୍‌ମାନେ ମ୍ୟାଚ୍‌ ରେଫରି ଡେଭିଡ୍‌ ବୁନଙ୍କ ନଜରକୁ ଆଣିଥିଲେ। ଆଇସିସି ଆଚରଣ ସଂହିତାର ଧାରା ୨.୨.୯ ଉଲ୍ଲଂଘନ କରିଥିବା ପ୍ରମାଣିତ ହୋଇଥିଲା। ଆସନ୍ତା ୨୪ ମାସ ମଧ୍ୟରେ ସେ ଆଉ ଏକ ଡିମେରିଟ୍‌ ପଏଣ୍ଟ ପାଇଲେ ତାଙ୍କୁ ଗୋଟିଏ ଟେଷ୍ଟ୍‍ କିମ୍ବା ୨ ଦିନିକିଆ କିମ୍ବା ୨ ଟେ୍ଵଣ୍ଟି-୨୦ରୁ ନିଲମ୍ବିତ କରାଯିବାର ବ୍ୟବସ୍ଥା ରହିଛି।

ଗାଭାସ୍କର ଓ ବ୍ରାଡ୍‌ମ୍ୟାନ୍‌ଙ୍କୁ ଟପିଲେ, ଲାରାଙ୍କ ସମକକ୍ଷ

ସଚିନଙ୍କ ଭଳି ବିରାଟ କୋହଲି ଏବେ ଯେତେଥର ବ୍ୟାଟିଂ କରିବାକୁ ଆସୁଛନ୍ତି କିଛି ନା କିଛି କୀର୍ତିମାନ କରିଯାଉଛନ୍ତି। ଏହା ତାଙ୍କ ପ୍ରତିଭା, ପ୍ରଭାବ ଓ ପତିଆରାର ପ୍ରମାଣ ରଖୁଛି। ନାଗପୁରରେ ନିଜର ୧୯ତମ ଟେଷ୍ଟ ଶତକ ହାସଲ ଅବସରରେ କୋହଲି ମଧ୍ୟ ଏକାଧିକ କୀର୍ତିମାନର ଅଧିକାରୀ ହୋଇଛନ୍ତି। ଚଳିତ ବର୍ଷ ଏହା ଟେଷ୍ଟରେ ଚତୁର୍ଥ ଏବଂ ସବୁ ଫର୍ମାଟକୁ ମିଶାଇଲେ ଦଶମ ଶତକ। ଅଧିନାୟକ ଭାବେ ଗୋଟିଏ କ୍ୟାଲେଣ୍ଡର୍‌ ବର୍ଷରେ ସର୍ବାଧିକ ଶତକ ହାସଲରେ ସେ ରିକି ପଣ୍ଟିଂ (୨୦୦୫ ଏବଂ ୨୦୦୬) ଏବଂ ଗ୍ରେମ୍‌ ସ୍ମିଥ୍‌ (୨୦୦୫)ଙ୍କୁ ପଛରେ ପକାଇ ଦେଇଛନ୍ତି। ଉଭୟ ୯ ଲେଖାଏଁ ଶତକ ମାରିଥିଲେ। ଅଧିନାୟକ ଭାବେ ଟେଷ୍ଟ୍‍ରେ କୋହଲିଙ୍କ ଏହା ୧୨ତମ ଶତକ। ଯାହାକି ତାଙ୍କୁ ସୁନୀଲ ଗାଭାସ୍କର (୧୧ ଶତକ, ୪୭ ଟେଷ୍ଟ୍‍)ଙ୍କୁ ଟପାଇ ଦେଇଛି। କୋହଲି ମାତ୍ର ୩୧ ଟେଷ୍ଟ୍‍ରେ ଭାରତର ନେତୃତ୍ୱ ନେଇଛନ୍ତି। ଦିନିକିଆରେ ସେ ସୌରଭ ଗାଙ୍ଗୁଲିଙ୍କ ୧୧ ଶତକଠାରୁ ଗୋଟିଏ ପଛରେ ରହିଛନ୍ତି। ଅଧିନାୟକ ହେବା ପରଠାରୁ କୋହଲି ମଧ୍ୟ ଯେଉଁ ୧୬ ଥର ଅର୍ଧଶତକ ମାରିଛନ୍ତି ସେଥିରୁ ୧୨ଟି ଶତକରେ ରୂପାନ୍ତରିତ ହୋଇଛି। ଏହି ହାରରେ ସେ ବ୍ରାଡ୍‌ମ୍ୟାନ୍‌ଙ୍କୁ ବି ଟପି ଯାଇଛନ୍ତି। ବ୍ରାଡ୍‌ମ୍ୟାନ୍‌ ୨୧ ଥର ୫୦ ଟପିବା ପରେ ୧୪ ଥର ଶତକ କରିଥିଲେ। ଗତ ବର୍ଷ ଜୁଲାଇ ବେଳକୁ ଗୋଟିଏ ବି ଦ୍ୱିଶତକ ମାରି ନଥିବା କୋହଲି ଦେଢ଼ ବର୍ଷ ନ ପୁରୁଣୁ ୫ ଦ୍ୱିଶତକ ଅର୍ଜନ କରି ସାରିଛନ୍ତି। ୨୦୧୬ ଜୁଲାଇରେ ଆଣ୍ଟିଗୁଆରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ପ୍ରଥମ ଦ୍ୱିଶତକ ମାରିଥିଲେ। ନ୍ୟୁଜିଲାଣ୍ଡ୍‌, ଇଂଲଣ୍ଡ ଏବଂ ବାଂଲାଦେଶ ବିପକ୍ଷରେ ଲଗାତାର ଶୃଙ୍ଖଳାରେ ମଧ୍ୟ ଦ୍ୱିଶତକ ଜମାଇଥିଲେ। ଅଧିନାୟକ ଭାବେ ୫ ଦ୍ୱିଶତକ ମାରି ସେ ଏବେ ବ୍ରାଏନ୍‌ ଲାରାଙ୍କ ସମକକ୍ଷ ମଧ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର