ଶୃଙ୍ଖଳା ଜିତିଲା ଭାରତ

ପୋର୍ଟ ଅଫ୍ ସ୍ପେନ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ‌ଶେଷ ଦିନିକିଆକୁ ଭାରତ ୬ ୱିକେଟ୍‌ରେ ଜିତି ନେଇଛି। ତା’ ସହ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୨-୦ରେ ହାସଲ କରି ନେଇଛି। ବିଶ୍ବକପ୍ ପରେ ପରେ ଖେଳାଯାଇଥିବା ଏହି ଶୃଙ୍ଖଳାର ପ୍ରଥମ ଦିନିକିଆ ବର୍ଷା ପାଇଁ ବାତିଲ ହୋଇ ଯାଇଥିଲା। ବର୍ଷା ଭିଜା ଦ୍ବିତୀୟ ଦିନିକିଆକୁ ଜିତି ଭାରତ ୧-୦ରେ ଆଗୁଆ ରହିଥିଲା। ସେହିଭଳି ବୁଧବାରର ତୃତୀୟ ମୁକାବିଲାକୁ ଜିତି ୨-୦ରେ ଶୃଙ୍ଖଳା ବିଜୟ ହାସଲ କରିଥିଲା। ଲଗାତାର ଦୁଇଟି ଶତକ ଅର୍ଜନ କରିଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ମ୍ୟାଚ୍ ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ପୁଣି ବର୍ଷା ଦ୍ବାରା ପ୍ରଭାବିତ ହୋଇଥିବା ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ୩୫ ଓଭରରେ ୭ ୱିକେଟ୍ ହରାଇ ୨୪୦ ରନ୍ କରିଥିଲା। ଡକୱର୍ଥ/ଲୁଇସ୍ ନିୟମରେ ଭାରତ ସମ୍ମୁଖରେ ସେହି ୩୫ ଓଭରରୁ ୨୫୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଅଧିନାୟକ ବିରାଟ କୋହଲିଙ୍କ ୧୧୪* ଏବଂ ଶ୍ରେୟସ୍ ଆୟରଙ୍କ ୬୫ ରନ୍ ବଳରେ ଭାରତ ୩୨.୩ ଓଭରରେ ୨୫୬ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥି‌ଲେ। ଅନ୍ୟମାନଙ୍କ ମଧ୍ୟରେ ଶିଖର ଧାୱନ ୩୬ ରନ୍ କରିଥିଲେ। ସଂକ୍ଷିପ୍ତ ସ୍କୋର: ୱେଷ୍ଟଇଣ୍ଡିଜ୍ ୩୫ ଓଭରରେ ୨୪୦/୭ ( କ୍ରିସ୍ ଗେଲ୍ ୭୨, ଏଭିନ ଲୁଇସ୍ ୪୩, ନିକୋଲାସ ପୂରନ ୩୦, ଖଲିଲ ଅହମ୍ମଦ ୩/୬୮, ମହମ୍ମଦ ସାମି ୨/୫୦, ରବୀନ୍ଦ୍ର ଜାଦେଜା ୧/୨୬)। ଭାରତ ୩୨.୩ ଓଭରରେ ୨୫୬/୪ (ଡି/ଏଲ୍ ପୁନଃ ନିର୍ଧାରିତ ଲକ୍ଷ୍ୟ ୩୫ ଓଭରରେ ୨୫୫, ବିରାଟ କୋହଲି ୧୧୪, ଶ୍ରେୟସ୍ ଆୟର ୬୫, ଶିଖର ଧାୱନ ୩୬, ଫାବିଏନ୍ ଆଲେନ୍ ୨/୪୦, କେମାର ରୋଚ୍ ୧/୫୩)।

ସମ୍ବନ୍ଧିତ ଖବର