ଲୌଡରହିଲ୍ (ଫ୍ଲୋରିଡ଼ା): ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ଆଗୁଆ ୩-୧ରେ ଜିତିନେଇଛି। ଶନିବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍ରେ ଭାରତ ୫୯ ରନ୍ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଥିଲା। ବିନା ଅର୍ଦ୍ଧଶତକରେ ଭାରତ ୧୯୧ ରନ୍ କରି ନେଇଥିବା ବେଳେ ୱେଷ୍ଟଇଣ୍ଡିଜ୍ ୧୩୨ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଅର୍ଶଦୀପ ସିଂହ ୩ ୱିକେଟ୍ ଏବଂ ଅୱେସ ଖାନ୍, ରବି ବିଷ୍ଣୋଇ, ଅକ୍ଷର ପଟେଲ୍ ୨ ଲେଖାଏଁ ୱିକେଟ୍ ସହ ବିଜୟ ଦେଇଥିଲେ।
ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା ଘରୋଇ ଦଳ। ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଋଷଭ ପନ୍ତ, ସଞ୍ଜୁ ସାମସନ୍, ଅକ୍ଷର ପଟେଲ୍ ବଢ଼ିଆ ବ୍ୟାଟିଂ କରିଥିଲେ। କିନ୍ତୁ ଭାରତ ବିନା ବ୍ୟକ୍ତିଗତ ଅର୍ଦ୍ଧଶତକରେ ୧୯୧ ରନ୍ କରି ଏଭଳି କ୍ଷେତ୍ରରେ ଦ୍ବିତୀୟକୁ ଉଠିଥିଲା। ୨୦୧୯ରେ ହାମିଲଟନ୍ରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ବିନା ୫୦+ ସ୍କୋରରେ ୨୦୮ ରନ୍ କରିଥିଲା। ସେହିଭଳି ରୋହିତ ଶର୍ମା ଶନିବାର ମାରିଥିବା ୩ ଛକା ସହିତ ଅନ୍ତର୍ଜାତୀୟ କ୍ରିକେଟ୍ରେ ସର୍ବାଧିକ ଛକା ତାଲିକାରେ ଦ୍ବିତୀୟକୁ ଉଠିଥିଲେ। ସାହିଦି ଆଫ୍ରିଦି (୪୭୬)କୁ ଟପି ରୋହିତ ଏବେ ୪୭୭ରେ ଅଛନ୍ତି। ତାଙ୍କଠାରୁ ଆଗରେ କେବଳ କ୍ରିସ୍ ଗେଲ୍ (୫୫୩) ଅଛନ୍ତି। ଶନିବାର ୱେଷ୍ଟଇଣ୍ଡିଜ୍ ବୋଲିଂ ପାଳିରେ ଓବେଦ୍ ମ୍ୟାକୟ ୬୬ ରନ୍ ବ୍ୟୟ କରି ଘରୋଇ ଦଳ ପାଇଁ ଟ୍ବେଣ୍ଟି-୨୦ କ୍ରିକେଟ୍ ଇତିହାସରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଦ୍ବିତୀୟ ମ୍ୟାଚ୍ରେ ମାତ୍ର ୧୭ ରନ୍ ଦେଇ ୬ ୱିକେଟ୍ ନେଇଥିବା ଏହି ବୋଲରଙ୍କଠୁ ଭାରତୀୟ ବ୍ୟାଟର୍ ଠିକଣା ପ୍ରତିଶୋଧ ନେଇଥିଲେ। ରବିବାର ପଞ୍ଚମ ତଥା ଶେଷ ମ୍ୟାଚ୍ ଖେଳାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/d5646da54g65dgdgdg.jpg)