ରାଞ୍ଚି: ରାଞ୍ଚି ଟେଷ୍ଟ୍କୁ ମାତ୍ର ସାଢ଼େ ତିନି ଦିନରେ ଜିତି ନେଇ ଘରୋଇ ମାଟିରେ ଲଗାତାର ସପ୍ତଦଶ ଟେଷ୍ଟ୍ ଶୃଙ୍ଖଳା ବିଜୟ ହାସଲ କରିଛି ଭାରତ। ଏହି ଅପରାଜେୟ ଧାରା ୨୦୧୩ ମସିହାରେ ଅଷ୍ଟ୍ରେଲିଆକୁ ହରାଇ ଆରମ୍ଭ ହୋଇଥିଲା। ସେବେଠାରୁ ଗତ ୧୧ ବର୍ଷ ହେବ ଘରୋଇ ପରିବେଶରେ ଖେଳିଥିବା ପ୍ରତିଟି ଟେଷ୍ଟ୍ ଶୃଙ୍ଖଳା ଜିତି ଚାଲିଛି ଭାରତ। ଏହା ପୂର୍ବରୁ ୧୯୯୪ରୁ ୨୦୦୦ ଏବଂ ୨୦୦୪ରୁ ୨୦୦୮ ମଧ୍ୟରେ ଘରୋଇ ପରିବେଶରେ ଲଗାତାର ୧୦ଟି ଲେଖାଏଁ ଶୃଙ୍ଖଳା ଜିତିବାର ରେକର୍ଡ କରିଥିଲା। ଏବେ ଏହାକୁ ସହଜରେ ଟପିଯାଇଛି। ସେହିଭଳି ରାଞ୍ଚି ବିଜୟ ପରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିଏ) ପଏଣ୍ଟ୍ ତାଲିକାର ଦ୍ବିତୀୟ ସ୍ଥାନରେ ନିଜ ସ୍ଥିତିକୁ ପୂର୍ବାପେକ୍ଷା ଆହୁରି ସୁଦୃଢ଼ କରିନେଇଛି।
ସୋମବାର ଘରୋଇ ମାଟିରେ ନିଜ ଆଧିପତ୍ୟକୁ ଅତୁଟ ରଖି ରୋହିତ ବାହିନୀ ରାଞ୍ଚିରେ ୫ ୱିକେଟ୍ର ରୋମାଞ୍ଚକ ବିଜୟ ହାସଲ କରିଥିଲା। ଇଂଲଣ୍ଡ ଦେଇଥିବା ୧୯୨ ରନ୍ର ଲକ୍ଷ୍ୟକୁ ପିଛା କରି ରବିବାର ଖେଳ ବନ୍ଦ ସୁଦ୍ଧା ୪୦ ରନ୍ ସଂଗ୍ରହ କରି ନେଇଥିଲା। ସୋମବାର ଅଧିନାୟକ ରୋହିତ ଶର୍ମା (୫୫) ଓ ଯୁବ ତାରକା ଯଶସ୍ବୀ ଜୟସ୍ବାଲ (୩୭) ପ୍ରଥମ ୱିକେଟ୍ରେ ୮୪ ରନ୍ ଯୋଡ଼ି ଭାରତର ବିଜୟ ପଥକୁ ସୁଗମ କରିଥିଲେ। ତେବେ ମଧ୍ୟାହ୍ନଭୋଜନ ପୂର୍ବରୁ ଓ ପରେ ରୋହିତ ଓ ଜୟସ୍ବାଲଙ୍କ ସହ ମାତ୍ର ୩୬ ରନ୍ ଭିତରେ ରଜତ ପଟିଦାର (୦) , ରବୀନ୍ଦ୍ର ଜାଡ଼େଜା (୪) ଓ ସର୍ଫରାଜ ଖାନ (୦)ଙ୍କ ୱିକେଟ୍ ପତନ ହେବା ପରେ ପ୍ରଶଂସକଙ୍କ ମନରେ ଆଶଙ୍କା ଭରି ଯାଇଥିଲା। କିନ୍ତୁ ଭାରତୀୟ କ୍ରିକେଟ୍ର ଦୁଇ ଭବିଷ୍ୟତ ଶୁବମନ ଗିଲ୍ (୫୨*) ଓ ଧ୍ରୁବ ଜୁରେଲ (୩୯*) ଅବିଭାଜିତ ଷଷ୍ଠ ୱିକେଟ୍ରେ ୭୨ ରନ୍ ଯୋଡ଼ି ୬୧ତମ ଓଭରରେ ଭାରତ ବିଜୟରେ ମୁଣ୍ଡି ମାରି ମଜାଦାର ଢଙ୍ଗରେ ବିଜୟ ଉତ୍ସବ ପାଳିଥିଲେ। ଏହି ବିଜୟ ସହ ଗୋଟିଏ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ବିପକ୍ଷ ୫ ଟିକିଆ ଶୃଙ୍ଖଳାକୁ ଭାରତ ୩-୧ରେ ଜିତି ନେଇଛି।
ଉଭୟ ଦଳ ମଧ୍ୟରେ ପଞ୍ଚମ ତଥା ଶେଷ ମୁକାବିଲା ମାର୍ଚ୍ଚ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ହିମାଚଳପ୍ରଦେଶର ଧର୍ମଶାଳାରେ ଖେଳାଯିବ। ହେଲେ ଏହାର କୌଣସି ପ୍ରଭାବ ଶୃଙ୍ଖଳା ବିଜୟ ଉପରେ ପଡ଼ିବ ନାହିଁ। ଲଢ଼ୁଆ ବିଜୟ ପରେ ଭାରତ ତା’ର ଟେଷ୍ଟ୍ ଫର୍ଦ୍ଦରେ ଅନେକ ରୋଚକ ପରିସଂଖ୍ୟାନ ଯୋଡ଼ିଥିଲା। ଘରୋଇ ପରିବେଶରେ ୨୦୦ରୁ କମ୍ ରନ୍ର ବିଜୟ ଲକ୍ଷ୍ୟକୁ ପିଛାକରି ୩୦ତମ ବିଜୟ ହାସଲ କରିଥିଲା। ସେହିଭଳି ରୋହିତ ବାହିନୀର ଦୁଇ ଯୁବ ତାରକା ଯଶସ୍ବୀ ଜୟସ୍ବାଲ ଓ ଧ୍ରୁବ ଜୁରେଲ ବ୍ୟକ୍ତିଗତ ଭାବେ ଦୁଇଟି ମିନି ମାଇଲଖୁଣ୍ଟ ଛୁଇଁଥିଲେ। ଜୟସ୍ବାଲ କୌଣସି ଭାରତ-ଇଂଲଣ୍ଡ ଶୃଙ୍ଖଳାରେ ସର୍ବାଧିକ ରନ୍ କରିବାରେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି। ଅନ୍ୟପକ୍ଷରେ ଜୁରେଲ (୨୩ ବର୍ଷ ୩୩ ବର୍ଷ) ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିବାରେ ଅଜୟ ରାତ୍ରା (୨୦ ବର୍ଷ ୧୪୮ ଦିନ)ଙ୍କ ପରେ ଦ୍ବିତୀୟ ସର୍ବକନିଷ୍ଠ ଭାରତୀୟ ୱିକେଟ୍ ରକ୍ଷକ ହୋଇଛନ୍ତି। ରାତ୍ରା ୨୦୦୨ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମାତ୍ର ୨୦ ବର୍ଷ ୧୪୮ ଦିନ ବୟସରେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିବାରୁ ସର୍ବକନିଷ୍ଠ ଗୌରବ ବହନ କରୁଛନ୍ତି। ସେପଟେ ରୋହିତଙ୍କ ୫୫ ରନ୍ ପଶ୍ଚାତଧାବନରେ ତାଙ୍କର ସର୍ବୋଚ୍ଚ ଚତୁର୍ଥ ପାଳି ବ୍ୟକ୍ତିଗତ ରନ୍। ଆକ୍ରାମକ ଖେଳକୁ ଅସ୍ତ୍ର କରି ସଫଳ ହୋଇଆସୁଥିବା ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଓ ପ୍ରଶିକ୍ଷକ ବ୍ରେଣ୍ଡନ୍ ମ୍ୟାକଲମ୍ଙ୍କ ମିଳିତ ଅମଳର ପ୍ରଥମ ଶୃଙ୍ଖଳା ପରାଜୟ ବରଣ କରିଛି।
କୋହଲିଙ୍କ ରେକର୍ଡ ସହ ଜୟସ୍ବାଲ ସମକକ୍ଷ
ରାଞ୍ଚି: ଭାରତୀୟ ଓପନର୍ ଯଶସ୍ବୀ ଜୟସ୍ବାଲ ଘରୋଇ ଟେଷ୍ଟ୍ ଶୃଙ୍ଖଳାରେ ଭାରତୀୟ ଭାବେ ଦ୍ବିତୀୟ ସର୍ବାଧିକ ରନ୍ କରିବାରେ ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ରାଞ୍ଚି ଟେଷ୍ଟ୍ର ଚତୁର୍ଥ ଦିନରେ ସେ ୩୭ ରନ୍ କରି ଆଉଟ୍ ହେଲା ବେଳକୁ କୋହଲିଙ୍କ ୬୫୫ ରନ୍ ସହ ସମକକ୍ଷ ହୋଇଥିଲେ। ପ୍ରଥମ ସ୍ଥାନରେ ସୁନିଲ ଗାଭାସ୍କର (୭୩୨ ରନ୍) ରହିଛନ୍ତି। ୧୯୭୮/୭୯ର ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ୬ ମ୍ୟାଚ୍ରେ ଗାଭାସ୍କର ଏହି ରନ୍ କରିଥିଲେ। ଏଥିସହ ଜୟସ୍ବାଲ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଶୃଙ୍ଖଳାରେ ସର୍ବାଧିକ ରନ୍ କରିବାରେ ମଧ୍ୟ କୋହଲିଙ୍କ ସମକକ୍ଷ ହୋଇଛନ୍ତି। ଚଳିତ ବର୍ଷ ଜୟସ୍ବାଲ ଏବଂ ୨୦୧୬ରେ ବିରାଟ କୋହଲି ୬୫୫ ରନ୍ କରିଛନ୍ତି।