ସିଡ୍‌ନିରେ ଜିତିଲା ଭାରତ, ପାଣ୍ଡ୍ୟା ମ୍ୟାଚ୍‌ ଓ ଧାୱନ୍‌ ଶୃଙ୍ଖଳାର ଶ୍ରେଷ୍ଠ

ସିଡ୍‌ନି: ବ୍ରିସ୍‌ବନ୍‌ରେ ବର୍ଷା (ଡି/ଏଲ୍‌) ନିୟମର ଶିକାର ହୋଇ ମାତ୍ର ୪ ରନ୍‌ରେ ପରାଜୟ ବରଣ କରିଥିବା ଭାରତଠୁ ମେଲ୍‌ବର୍ନରେ ବର୍ଷା ବିଜୟ ସୁଯୋଗ ଛଡ଼ାଇ ନେଇଥିଲା। ରବିବାର ତୃତୀୟ ତଥା ଶେଷ ମ୍ୟାଚ୍‌ ଭାରତ ପାଇଁ ‘କର ବା ମର’ ପାଲଟି ଯାଇଥିଲା। ବିରାଟ ବାହିନୀ କିନ୍ତୁ ସିଡ୍‌ନିରେ ବିଜୟ ହାତଛଡ଼ା‌ କରିନଥିଲା। କ୍ରୁନାଲ ପାଣ୍ଡ୍ୟାଙ୍କ ସ୍ପିନ୍‌ ଯାଦୁ ପରେ ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ଅର୍ଧଶତକ ବଳରେ ଘରୋଇ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ପରାସ୍ତ କରି ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୧-୧ରେ ଅମୀମାଂସିତ ରଖିଦେଲା। ୩୬ ରନ୍‌ରେ ୪ ୱିକେଟ୍‌ ଦଖଲ କରିଥିବା କ୍ରୁନାଲ ପାଣ୍ଡ୍ୟା ମ୍ୟାଚ୍‌ର ଏବଂ ଶିଖର ଧାୱନ୍‌ (୭୬ ଓ ୪୧ ରନ୍‌) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। କେବଳ ସେତିକି ନୁହେଁ, ଅଷ୍ଟ୍ରେଲିଆ ମାଟିରେ ଜଣେ ସ୍ପିନର ଭାବେ କୌଣସି ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ୪ ୱିକେଟ୍‌ ଅକ୍ତିଆର କରିବାରେ କ୍ରୁନାଲ୍‌ କୀର୍ତିମାନ ରଚିଲେ।

ପାଣ୍ଡ୍ୟାଙ୍କ ଯାଦୁ
ରବିବାର ଶୃଙ୍ଖଳା ନିର୍ଣ୍ଣାୟକ ମ୍ୟାଚ୍‌ରେ ଟସ୍‌ ଜିତି ଘରୋଇ ଦଳର ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଡାଏର୍କି ସର୍ଟ (୩୩) ଓ ଫିଞ୍ଚ୍‌ (୨୮) ଆରମ୍ଭରୁ ଆକ୍ରମଣ କରି ୮.୨ ଓଭରରେ ୬୮ ରନ୍‌ ଯୋଡ଼ିଥିଲେ। ବିଶେଷକରି ଖଲିଲ ଅହମ୍ମଦ ଏହି ଦୁଇ ବ୍ୟାଟ୍‌ସମ୍ୟାନ୍‌ଙ୍କ ପ୍ରହାରର ଶିକାର ହୋଇଥିଲା ବେଳେ ଦୁର୍ବଳ କ୍ଷେତ୍ରରକ୍ଷଣ ଓ କ୍ୟାଚ୍‌ ହାତଛଡ଼ା ଅଷ୍ଟ୍ରେଲିଆକୁ ବଡ଼ ସ୍କୋର୍‌ ଆଡ଼କୁ ଆଗେଇ ନେଇଥିଲା। ଅଷ୍ଟମ ଓଭରରେ କ୍ରୁନାଲ ପାଣ୍ଡ୍ୟାଙ୍କୁ ଆକ୍ରମଣରେ ଲଗାଇ କୋହଲି ସଫଳତା ପାଇଥିଲେ। କ୍ରୁନାଲଙ୍କ ପ୍ରଥମ ବଲ୍‌ରେ ଫିଞ୍ଚ୍‌ ଉଚ୍ଚା କ୍ୟାଚ୍‌ ଦେଇଥିଲେ ମଧ୍ୟ ରୋହିତ ଶର୍ମା ଛାଡ଼ି ଦେଇଥିଲେ। ଫଳରେ ସେହି ଓଭରରେ ଫିଞ୍ଚ୍‌ ଓ ଡାଏର୍କି ୨ଟି ଚୌକା ମାରିଥିଲେ। ଏହାପରେ ସବୁଠୁ ସଫଳ ସ୍ପିନର କୁଲ୍‌ଦୀପ୍‌ ଯାଦବ ନିଜର ଦ୍ବିତୀୟ ତଥା ଦଳର ନବମ ଓଭରରେ ଫିଞ୍ଚ୍‌ଙ୍କୁ ପାଣ୍ଡ୍ୟାଙ୍କ ହାତରେ କ୍ୟାଚ୍‌ କରାଇ ପାଭିଲିୟନ୍‌ ପଠାଇ ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ପାଣ୍ଡ୍ୟାଙ୍କ ଯାଦୁ। ସେ ନିଜର ଦ୍ବିତୀୟ ଓଭର ଲଗାତାର (ପ୍ରଥମ ଓ ଦ୍ବିତୀୟ) ବଲ୍‌ରେ ଡାର୍କି ଓ ବେନ୍‌ ମ୍ୟାକ୍‌ଡର୍ମଟ (୦)ଙ୍କୁ ଆଉଟ୍‌ କରି ହ୍ୟାଟ୍ରିକ୍ ସୁଯୋଗ ପାଇଥିଲେ। ୱିକେଟ୍‌ ରକ୍ଷକ ଆଲେକ୍ସ କାରେ ତୃତୀୟ ବଲ୍‌କୁ ଜଗି ଦେଇଥିଲେ। ଏହାପରେ ପାଣ୍ଡ୍ୟା ତାଙ୍କର ତୃତୀୟ ଓଭରରେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ (୧୩) ଓ ଚତୁର୍ଥ ତଥା ଶେ‌ଷ ଓଭରରେ କାରେ (୨୭)ଙ୍କୁ ଆଉଟ୍‌ କରି ଅଷ୍ଟ୍ରେଲିଆର ରନ୍‌ ଗତି ରୋକିଥିଲେ। ୩୬ ରନ୍‌ରେ ୪ ୱିକେଟ୍‌ ନେଇ ସେ ଅଷ୍ଟ୍ରେଲିଆ ମାଟିରେ କୀର୍ତିମାନ ପ୍ରତିଷ୍ଠା କଲେ। ଆଜି ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ମାଟିରେ କୌଣସି ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ୩ରୁ ଅଧିକ ୱିକେଟ୍‌ ପାଇନଥିଲେ। ଫଳରେ ୪ ୱିକେଟ୍‌ ଦଖଲ କରି ପାଣ୍ଡ୍ୟା ଏହି କୀର୍ତିମାନ ପାଇଲେ। ଆଉ ପାଣ୍ଡ୍ୟାଙ୍କ ସ୍ପିନ୍‌ ଯାଦୁ ବଳରେ ଅଷ୍ଟ୍ରେଲିଆ ୧୬ ଓଭର ବେଳକୁ ୧୧୯ ରନ୍‌ରେ ୫ ୱିକେଟ୍‌ ହରାଇ ୧୫୦ ରନ୍‌ ପାରିହେବା ଆଶଙ୍କାରେ ଥିଲା। ବ୍ୟାଟିଂକ୍ରମ ପରିବର୍ତନ କରି ଷଷ୍ଠ ସ୍ଥାନରେ ଆସିଥିବା କ୍ରିସ୍‌ ଲିନ୍‌ (୧୩) ରନ୍‌ ଆଉଟ୍‌ ହେଲା ବେଳକୁ ଘରୋଇ ଦଳ ୧୭.୨ ଓଭରରେ ୧୩୧/୬ କରିଥିଲା। ମାତ୍ର ମାର୍କସ ଷ୍ଟୋଇନିସ୍‌ (୨୫ ରନ୍‌, ୧୫ ବଲ୍‌, ୩ ଚୌକା) ଓ ନାଥନ୍‌ କୁଲ୍‌ଟର ନିଲେ (୧୩ ରନ୍‌, ୭ ବଲ୍‌, ୨ ଚୌକା)ଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁଁ ଶେଷ ୧୬ ବଲ୍‌ରୁ ଅଷ୍ଟ୍ରେଲିଆ ୩୩ ରନ୍‌ ଆଦାୟ କରି ୧୬୪/୬ରେ ପାଳି ଶେଷ କରିଥିଲା। ଭାରତର କୌଣସି ଦ୍ରୁତ ବୋଲର ୱିକେଟ୍‌ ପାଇ ନଥିଲେ।

କୋହଲିଙ୍କ କମାଲ
‘କର ବା ମର’ ମ୍ୟାଚ୍‌ରେ ୧୬୫ ରନ୍‌ର ପିଛା କରିଥିବା ଭାରତକୁ ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମା (୨୩ ରନ୍‌, ୧୬ ବଲ୍‌, ୧ ଚୌକା, ୨ ଛକା) ଓ ଶିଖର ଧାୱନ୍‌ (୪୧ ରନ୍‌, ୨୨ ବଲ୍‌, ୬ ଚୌକା, ୨ ଛକା) ଦୃଢ଼ ମୂଳଦୁଆ ଦେଇଥିଲେ। ବିଶେଷକରି ଦୁହେଁ ନାଥନ୍‌ କୁଲ୍‌ଟର ନିଲେ ଓ ମାର୍କସ ଷ୍ଟୋଇନିସ୍‌ଙ୍କୁ ଧୂଲେଇ କରିଥିଲେ। କୁଲ୍‌ଟର ନିଲେ ୩ ଓଭରରେ ୪୦ ଓ ‌ଷ୍ଟୋଇନିସ୍‌ ଗୋଟିଏ ଓଭରରେ ୨୨ ରନ୍‌ ବ୍ୟୟ କରି ୱିକେଟ୍‌ ଶୂନ୍ୟ ରହିଥିଲେ। ୫.୨ ଓଭରରେ ୬୭ ରନ୍‌ ଯୋଡ଼ିବା ପରେ ବିଚ୍ଛିନ୍ନ ହୋଇଥିଲେ। ଏହି ମ୍ୟାଚ୍‌ ପାଇଁ ଡକରା ପାଇଥିବା ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏବଂ ସ୍ପିନର ଆଦାମ୍‌ ଜାମ୍ପା କ୍ରମାଗତ ଓଭରରେ ଯଥାକ୍ରମେ ଧାୱନ୍‌ ଓ ରୋହିତଙ୍କୁ ବୋଲ୍‌ଡ କରି ଅଷ୍ଟ୍ରେଲିଆକୁ ଫେରାଇଥିଲେ। ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଦଳୀୟ ସ୍କୋର୍‌ ୬୭ରେ ହିଁ ପାଭିଲିୟନ୍‌ ଫେରିଯାଇଥିଲେ। ଏହାପରେ କୋହଲି ତାଙ୍କ କମାଲ୍‌ ଦେଖାଇଥିଲେ। ସେ ଲୋକେଶ ରାହୁଲ୍‌ (୧୪)ଙ୍କୁ ସାଥୀ କରି ତୃତୀୟ ୱିକେଟ୍‌ରେ ୪୧ ରନ୍‌ ଯୋଡ଼ିଥିଲା ବେଳେ ପୁଣି ସମାନ ଦଳୀୟ ସ୍କୋର୍‌ରେ ଭାରତକୁ ଯୁଗଳ ଝଟ୍‌କା ଲାଗିଥିଲା। ରାହୁଲ୍‌ଙ୍କୁ କୁଲ୍‌ଟର ନିଲେ ଓ ଋଷଭ ପନ୍ତ୍‌ (୦)ଙ୍କୁ ଆଣ୍ଡ୍ରିଉ ଟାଇ ଦଳୀୟ ସ୍କୋର୍‌ ୧୦୮ରେ ଆଉଟ୍‌ କରି ଅଷ୍ଟ୍ରେଲିଆ ଶିବିରରେ ଆନନ୍ଦ ଭରି ଦେଇଥିଲେ। ଶେଷ ୫ ଓଭରରୁ ଭାରତକୁ ୫୨ ରନ୍‌ ଦରକାର ଥିଲା। କୋହଲି (୬୧* ରନ୍‌, ୪୧ ବଲ୍‌, ୪ ଚୌକା, ୨ ଛକା) ଓ ଦୀନେଶ କାର୍ତିକ (୨୨* ରନ୍‌, ୧୮ ବଲ୍‌, ୧ ଚୌକା, ୧ ଛକା) ଅବିଭାଜିତ ପଞ୍ଚମ ୱିକେଟ୍‌ରେ ୬୦ ରନ୍‌ ଯୋଡ଼ି ଭାରତକୁ ୨ ବଲ୍‌ ପୂର୍ବରୁ ବିଜୟ ଭେଟି ଦେଇଥିଲେ। ଆଣ୍ଡରୁ ଟାଇଙ୍କ ଶେଷ ଓଭରର ତୃତୀୟ ଓ ଚତୁର୍ଥ ବଲ୍‌କୁ ଲଗାତାର ଚୌକା ମାରି କୋହଲି ବିଜୟ ମୁଣ୍ଡି ମାରିଥିଲେ।

ସମ୍ବନ୍ଧିତ ଖବର