ଯୁବ ବାହିନୀ ଜଗତ ଜିତା

ଭାରତକୁ ଚତୁର୍ଥ ବିଶ୍ୱ ମୁକୁଟ, ମନଜ୍ୟୋତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି

ତୌରଙ୍ଗା (ନ୍ୟୁଜିଲାଣ୍ଡ): ନ୍ୟୁଜିଲାଣ୍ଡର ତୌରଙ୍ଗାରେ ଭାରତୀୟ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ଦଳ ଚତୁର୍ଥ ଥର ପାଇଁ ବିଶ୍ୱବିଜୟୀ ହୋଇଛି। ଶନିବାର ଖେଳା ଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆକୁ ୮ ଓ୍ଵିକେଟ୍‌ରେ ହରାଇ ପୃଥ୍ଵୀ ସ’ଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି ଅନନ୍ୟ ସଫଳତା ଲାଭ କରିଛି। ଭାରତୀୟ ସମୟ ସକାଳ ୬ଟା ୩୦ରୁ ଆରମ୍ଭ ହୋଇଥିବା ଫାଇନାଲରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ କରିଥିଲା। ହେଲେ ଏହି ନିଷ୍ପତ୍ତି କଙ୍ଗାରୁ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ଭାରତୀୟ ବୋଲିଂ ବାହିନୀର ମିଳିତ ଆକ୍ରମଣରେ ଅଷ୍ଟ୍ରେଲିଆ ପୂରା ଘାଇଲା ହୋଇ ଯାଇଥିଲା। ଜୋନାଥନ ମେର୍‌ଲୋ (୭୬)ଙ୍କ ଛଡ଼ା ଅନ୍ୟ କୌଣସି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲରଙ୍କର ମୁକାବିଲା କରି ପାରି ନଥିଲେ। ଦ୍ରୁତ ବୋଲର ଈଶାନ ପୋରେଲ (୨/୩୦), କମଲେଶ ନାଗରକୋଟୀ (୨/୪୧) ଏବଂ ବାମହାତୀ ସ୍ପିନର ଶିବା ସିଂହ (୨/୩୬) ଓ ଅଙ୍କୁଲ ରାଏ (୨/୩୨) ଦୁଇ ଓ୍ଵିକେଟ୍‌ ଲେଖାଏଁ ବାଣ୍ଟିନେବା ସହ ଅଷ୍ଟ୍ରେଲିଆ ୪୭.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ମାତ୍ର ୨୧୬ ରନ୍‌ କରି ପାରିଥିଲା। ଏହାର ଜବାବରେ ଭାରତ ପକ୍ଷରୁ ଅଧିନାୟକ ପୃଥ୍ଵୀ ସ’ (୨୯) ଏବଂ ମନଜ୍ୟୋତ କଲ୍‌ରା (୧୦୧*) ପ୍ରଥମ ଓ୍ଵିକେଟ୍‌ରେ ୭୧ ରନ୍‌ର ଦୃଢ଼ ମୂଳଦୁଆ ପକାଇଥିଲେ। ଓ୍ଵିଲ ସଦରଲାଣ୍ଡଙ୍କ ଇନ୍‌ସୁଇଂ ବଲ୍‌ରେ ଚକମା ଖାଇ ପୃଥ୍ଵୀ ଦ୍ୱାଦଶ ଓଭରର ବୋଲ୍ଡ ହୋଇଥିଲେ। ସେ ପାଭିଲିୟନ ଫେରିବା ପରେ ପ୍ରତିଯୋଗିତାର ସର୍ବାଧିକ ରନ୍‌ ସଂଗ୍ରହକାରୀ ଶୁଭମନ୍‌ ଗିଲ୍‌ (୩୧) ମନଜ୍ୟୋତଙ୍କ ସହ ଭାରତୀୟ ପାଳିକୁ ଆଗେଇ ନେଇଥିଲେ। ହେଲେ ଶୁଭମନ ୨୨ତମ ଓଭରର ଦ୍ୱିତୀୟ ବଲ୍‌ରେ ଅଷ୍ଟ୍ରେଲିଆର ଭାରତୀୟ ବଂଶୋଦ୍ଭବ ସ୍ପିନର ପରମ ଉପଲଙ୍କ ଶିକାର ହୋଇ ଯାଇଥିଲେ। ଏହା ପରେ ମନଜ୍ୟୋତ ଓ୍ଵିକେଟ୍‌ ରକ୍ଷକ ବ୍ୟାଟ୍ସମ୍ୟାନ୍‌ ହାର୍ଭିକ ଦେଶାଇ (୪୭*)ଙ୍କ ସହ ମିଶି ବିଜୟର ଔପଚାରିକତା ପୂରଣ କରିଥିଲେ। ସଦରଲାଣ୍ଡଙ୍କୁ ଚୌକା ମାରି ହାର୍ଭିକ ବିଜୟ ମୁଣ୍ଡି ମାରିବା ସହ କିଓ୍ଵି ଗଡ଼ରେ ଭାରତ କଙ୍ଗାରୁ ଶିକାର କରି ଚତୁର୍ଥ ଥର ପାଇଁ ବିଶ୍ୱକପ୍‌ ଜିତି ନେଇଥିଲା। ବିଜୟ ପରେ ତୌରଙ୍ଗାରେ ଭାରତୀୟ ପ୍ରଶଂସକ ତିରଙ୍ଗା ଉଡ଼ାଇ ବିଜୟ ଉତ୍ସବ ପାଳିବା ଦେଖିଲା ଭଳି ଥିଲା। କଙ୍ଗାରୁ ବ୍ୟାଟ୍ସମ୍ୟାନଙ୍କ ମନରେ ଭାରତୀୟ ବୋଲର ଆଜି ଏମିତି କୋକୁଆ ଭୟ ସୃଷ୍ଟି କରିଥିଲେ ଯେ ସେମାନେ ନିଜ ଶେଷ ୬ ଓ୍ଵିକେଟ୍‌ ମାତ୍ର ୩୩ ରନ୍‌ରେ ହରାଇ ଥିଲେ। ବ୍ୟାଟିଂ ବେଳେ ମଧ୍ୟ ଭାରତୀୟ ଯୁବବୀରମାନେ କଙ୍ଗାରୁ ଦଳକୁ ମ୍ୟାଚ୍‌କୁ ଫେରିବାକୁ କୌଣସିି ସୁଯୋଗ ଦେଇ ନଥିଲେ। ଆଜି ବର୍ଷା ପାଇଁ ଖେଳ କିଛି ସମୟ ବନ୍ଦ ରହିଥିଲା। ହେଲେ ଏହା ଭାରତୀୟ ଖେଳାଳିଙ୍କ ଦୃଢ଼ ମନୋବଳ ଏବଂ ଏକାଗ୍ରତାକୁ ଭାଙ୍ଗି ପାରି ନଥିଲା। ଜବରଦସ୍ତ ବିଜୟ ସହ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ର ଫାଇନାଲରେ ପିଛିଲା ବ୍ୟାଟିଂ କରି ଜିତିବାରେ ଭାରତ ଦ୍ୱିତୀୟ ସର୍ବବୃହତ୍‌ ବିଜୟ ହାସଲ କରିଥିଲା।

ଅଷ୍ଟ୍ରେଲିଆ ୮ ଓ୍ଵିକେଟ୍‌ରେ ହାରିଲା, ଶୁଭମନ ପ୍ରତିଯୋଗିତାର ଶ୍ରେଷ୍ଠ

ମନଜ୍ୟୋତ ମହାନାୟକ

ଶନିବାର ଭାରତ ବିଜୟର ମୁଖ୍ୟ ନାୟକ ଥିଲେ ଦିଲ୍ଲୀ ଜନ୍ମିତ ୧୯ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍‌ ମନଜ୍ୟୋତ କାଲରା (୧୦୧* ରନ୍‌, ୧୦୨ ବଲ୍‌, ୮ ଚୌକା, ୩ ଛକା) । ଭାରତ ପାଳିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହି ସେ ଏକାକି ଅଷ୍ଟ୍ରେଲିଆ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ଶନିବାର ଶତକ ଅର୍ଜନ କରି ୧୯ ବର୍ଷରୁ କମ୍‌ ବିଶ୍ୱକପର ଫାଇନାଲରେ ଶତକ ଅର୍ଜନ କରିଥିବା ହାତଗଣତି ଖେଳାଳିଙ୍କ ମଧ୍ୟରେ ସେ ସ୍ଥାନ ପାଇଥିଲେ। ଫାଇନାଲରେ ଶତକ ହାସଲ କରିବାରେ ସେ ପଞ୍ଚମ ଖେଳାଳି ହୋଇଥିଲେ। ଅଷ୍ଟ୍ରେଲିଆର ସବୁ ବୋଲରଙ୍କୁ ସହଜରେ ଖେଳିଥିବା ମନଜ୍ୟୋତଙ୍କ ପୂର୍ବରୁ ୨୦୧୨ ଫାଇନାଲରେ ଭାରତର ଉନ୍ମକ୍ତ ଚାନ୍ଦ ଶତକ ଅର୍ଜନ କରିଥିଲେ। ଅପରାଜିତ ରହିଥିଲେ ମଧ୍ୟ ସେ ଚାନ୍ଦଙ୍କ ୧୧୧ ରନ୍‌ ପାଳିକୁ ଟପି ପାରି ନଥିଲେ। ଯାହା ଆଜି ପର୍ଯ୍ୟନ୍ତ କନିଷ୍ଠ ବିଶ୍ୱକପ୍‌ ଫାଇନାଲର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହୋଇ ରହିଛି। ଏହି ଦୁଇ ଜଣଙ୍କ ଛଡ଼ା ୧୯୮୮ରେ ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ବ୍ରେଟ୍‌ ଓ୍ଵିଲିୟମ୍ସ (୧୦୮), ୧୯୯୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡର ଷ୍ଟିଫେନ ପିଟର୍ସ (୧୦୭), ୨୦୦୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆର ଜାରେଡ୍‌ ବୁର୍କେ (୧୦୦*) ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଶତକ ଅର୍ଜନ କରିଥିଲେ।

ଅପରାଜେୟ, ଅଦ୍ୱିତୀୟ
ଭାରତୀୟ ୧୯ ବର୍ଷରୁ କମ୍‌ ଦଳର ଚଳିତ ବିଶ୍ୱକପ୍‌ ବିଜୟ ଅନେକ ଦୃଷ୍ଟିରୁ ସ୍ମରଣୀୟ ଏବଂ ସ୍ୱତନ୍ତ୍ର ହୋଇଛି। ଭାରତ ପୂରା ପ୍ରତିଯୋଗିତାରେ ସବୁ ପ୍ରତିପକ୍ଷଙ୍କୁ ସହଜରେ ହରାଇ ପାରିଛି। ଏପରିକି ଅନ୍ୟ କୌଣସି ଦଳ ଭାରତୀୟ ଖେଳାଳିଙ୍କର ଆଖ ପାଖରେ ବି ପହଞ୍ଚି ପାରି ନଥିଲେ। ଭାରତ ତା’ର ଏଥରର ବିଶ୍ୱକପ୍‌ ଅଭିଯାନ ଅଷ୍ଟ୍ରେଲିଆକୁ ୧୦୦ ରନ୍‌ରେ ହରାଇ ଆରମ୍ଭ କରିଥିଲା। ଏହା ପରେ ପାପୁଆ ନ୍ୟୁଗିନିକୁ ୧୦ ଓ୍ଵିକେଟ୍‌ ଏବଂ ଜିମ୍ବାେଓ୍ଵକୁ ୧୦ ଓ୍ଵିକେଟ୍‌ରେ ହରାଇ କ୍ୱାର୍ଟର ଫାଇନାଲକୁ ଯାଇଥିଲା। କ୍ୱାର୍ଟରରେ ବାଂଲାଦେଶକୁ ୧୩୧ ରନ୍‌ରେ ହରାଇବା ପରେ ସେମିଫାଇନାଲରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨୦୩ ରନ୍‌ର ବଡ଼ ବ୍ୟବଧାନରେ ମାତ୍‌ ଦେଇ ଫାଇନାଲକୁ ଯାଇଥିଲା। ଫାଇନାଲରେ ଅଷ୍ଟ୍ରେଲିଆକୁ ପୁଣି ଥରେ ୮ ଓ୍ଵିକେଟ୍‌ରେ ପରାସ୍ତ କରି ବିଶ୍ୱକପ୍‌ ଜିତି ନେଇଥିଲା।

ସମ୍ବନ୍ଧିତ ଖବର