ଭାରତ ଜିତିଲା ବିଶ୍ୱକପ୍: ଇଂଲଣ୍ଡକୁ ହରାଇ ପଞ୍ଚମ ଥର ଧରିଲା ୧୯ ବର୍ଷରୁ କମ୍ ବିଶ୍ୱ ଟ୍ରଫି

ରାଜ ଫାଇନାଲ, ଦିୱାଲ୍ଡ ବ୍ରେଭିସ୍ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି

ନର୍ଥ ସାଉଣ୍ଡ : ଭାରତୀୟ କନିଷ୍ଠ କ୍ରିକେଟ୍ ଦଳ ପୁଣି ଥରେ କମାଲ କରିଛି। ଦୀର୍ଘ ୨୪ ବର୍ଷ ପରେ ଫାଇନାଲ୍ ଖେଳିଥିବା ଇଂଲଣ୍ଡକୁ ଉତ୍କଣ୍ଠାପୂର୍ଣ୍ଣ ତଥା ନାଟକୀୟ ଫାଇନାଲ୍‌ରେ ୪ ୱିକେଟ୍‌ରେ ପରାସ୍ତ କରି ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍‌ ଜିତି ନେଇଛି। ଶନିବାର ଅଷ୍ଟମ ଥର ଫାଇନାଲ୍ ଖେଳି ସର୍ବାଧିକ ପଞ୍ଚମ ଥର ବିଶ୍ବକପ୍ ଜିତିବାର ବିରଳ କୀର୍ତ୍ତିମାନ ସ୍ଥାପନ କରିଛି ଭାରତ। ପୂରା ପ୍ରତିଯୋଗିତାରେ ଅପରାଜେୟ ରହିବାର ଗୌରବ ସହ ନିଜ କ୍ରିକେଟ୍ ଇତିହାସରେ ସଫଳତାର ଆଉ ଏକ ସୁନେଲି ଫର୍ଦ୍ଦ ବି ଯୋଡ଼ିଛି ଜୁନିଅର ଟିମ୍ ଇଣ୍ଡିଆ। ତା ସହ ଦୁଇ ଥର ବରିଷ୍ଠ ସ୍ତରୀୟ ଏକଦିବସୀୟ, ଥରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଥିବା ଭାରତ କିନ୍ତୁ କନିଷ୍ଠ କ୍ରିକେଟ୍‌ରେ ତାର ଆଧିପତ୍ୟ ଜାରି ରଖିଛି। ବିଶ୍ବକପ୍‌ର ୬ ପ୍ରତିପକ୍ଷ ସହ କୋଭିଡ୍ ସଙ୍କଟ ମଧ୍ୟ ଭାରତର ବିଶ୍ବବିଜୟକୁ ରୋକି ପାରି ନଥିଲା।

ଶନିବାରର ମେଗା ଫାଇନାଲ୍‌ରେ ରବି କୁମାର ଏବଂ ରାଜ୍ ବାୱାଙ୍କ ଘାତକ ବୋଲିଂ ବଳରେ ଦ୍ବିତୀୟ ଥର ବିଶ୍ବକପ୍ ଜିତିବା ଲକ୍ଷ୍ୟରେ ଥିବା ଉତ୍ସାହୀ ଇଂଲଣ୍ଡକୁ ଭାରତ ୪୪.୫ ଓଭରରେ ମାତ୍ର ୧୮୯ ରନ୍‌ରେ ଅଲଆଉଟ୍ କରି ଦେଇଥିଲା। ୧୯୦ ରନ୍‌ର ଛୋଟିଆ ଲକ୍ଷ୍ୟ ‌ହୋଇଥିଲେ ବି ଭାରତର ପଶ୍ଚାତଧାବନ ପ୍ରଥମରୁ ବାଟ ହୁଡ଼ିଥିଲା। ଦ୍ବିତୀୟ ବଲ୍‌ରେ ହିଁ ଓପନର ଅଙ୍ଗକ୍ରିଶ୍ ରଘୁବଂଶୀଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା ଭାରତ। ସେପଟେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ୱିକେଟ୍ ନେଇ ମ୍ୟାଚ୍‌ର ଗତିପଥ ବଦଳାଇବାକୁ ଆପ୍ରାଣ ଉଦ୍ୟମ କରିଥିଲା।

ତଥାପି ସାହସ ନହରାଇ ସେକ୍ ରସିଦଙ୍କ ଲଢ଼ୁଆ ଏବଂ ନିଶାନ୍ତ ସିନ୍ଧୁଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ୨.୨ ଓଭର ପୂର୍ବରୁ ବିଜୟର ମିଠା ମିଠା ସ୍ବାଦ ଚାଖିଥିଲା‌। ଶେଷ ୩ ଓଭରରୁ ଭାରତକୁ ବିଜୟ ପାଇଁ ୧୨ ରନ୍‌ର ଦରକାର ଥିଲା ବେଳେ ୪୮ତମ ଓଭରର ତୃତୀୟ ଓ ଚତୁର୍ଥ ବଲ୍‌କୁ ଛକା ମାରି ୱିକେଟ୍ ରକ୍ଷକ ଦୀନେଶ ବାନା ଭାରତୀୟ ବିଜୟ ବାନା ଉଡ଼ାଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ରାଜ୍‌ ବାୱା ( ୫/୩୧, ୩୫ ରନ୍) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସର୍ବାଧିକ ରନ୍ କରିଥିବା ଦକ୍ଷିଣ ଆଫ୍ରିକାର ଦିୱାଲ୍ଡ ବ୍ରେଭିସ୍ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ୟଶ୍ ଧୂଲଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ୪ ବର୍ଷ ପରେ ଭାରତକୁ ୧୯ ବର୍ଷରୁ କମ୍ ବିଶ୍ବକପ୍ ଆଣିବା ପରେ ସମଗ୍ର ଦେଶରେ ଖୁସିର ଲହରି ଖେଳି ଯାଇଛି। ଚାରିଆଡ଼ୁ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଓ ଶୁଭକାମନାର ସୂଅ ଛୁଟିଛି। ଭାରତ ଏହା ପୂର୍ବରୁ ୨,୦୦୦, ୨୦୦୮, ୨୦୧୨ ଏବଂ ୨୦୧୪ରେ ୧୯ ବର୍ଷରୁ କମ୍ ବିଶ୍ବକପ୍ ଜିତିବାର ଗୌରବ ହାସଲ କରିଥିଲା। ଦଳଗତ ଭାବେ ଭାରତ ୫ଥର ବିଶ୍ବକପ୍ ଜିତି ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲା ବେଳେ ଅଧିନାୟକ ଧୂଲ୍ ବ୍ୟକ୍ତିଗତ ଭାବେ ଭାରତକୁ ବିଶ୍ବବିଜୟୀ କରାଇଥିବା ମହମ୍ମଦ କୈଫ, ବିରାଟ କୋହଲି, ଉନ୍ମୁକ୍ତ ଚାନ୍ଦ ଏବଂ ପୃଥ୍ବୀ ସ’ଙ୍କ ଏଲିଟ୍ କ୍ଲବ୍‌ରେ ସାମିଲ ହୋଇଛନ୍ତି। ସେହିଭଳି ଇଂଲଣ୍ଡ ବ୍ୟାଟିଂକ୍ରମକୁ ଧ୍ବସ୍ତ ବିଧ୍ବସ୍ତ କରିଥିବା ରାଜ୍ ବାୱା ୧୯ ବର୍ଷରୁ କମ୍ ବିଶ୍ବକପ୍‌ର ଫାଇନାଲ୍‌ରେ ୫ ୱିକେଟ୍ ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ ହୋଇଛନ୍ତି। ଅନ୍ୟପକ୍ଷରେ ୧୯୯୮ ମସିହାରେ ପ୍ରଥମ ଥର ଫାଇନାଲ୍ ଖେଳି ବିଜେତା ହୋଇଥିବା ଇଂଲଣ୍ଡ ଏଥର ଫାଇନାଲ୍‌ରେ ପରାଜିତ ‌ହୋଇ ଉପବିଜେତାରେ ସନ୍ତୁଷ୍ଟ ରହିଛି।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ୪୪.୫ ଓଭରରେ ୧୮୯ (ଜେମ୍ସ ରିୟୁ ୯୫, ଜେମ୍ସ ସେଲ୍ସ ୩୪*, ରାଜ୍ ବାୱା ୫/୩୧, ରବି କୁମାର ୪/୩୪)। ଭାରତ ୪୭.୪ ଓଭରରେ ୧୯୫/୬ (ସେକ୍ ରସିଦ ୫୦, ନିଶାନ ସିନ୍ଧୁ ୫୦, ଜୋସୁଆ ବୋଡେନ୍ ୨/୨୪, ଥୋମାସ ଆସପିନୱାଲ ୨/୪୨, ଜେମ୍ସ ସେଲ୍ସ ୨/୫୧।

ସମ୍ବନ୍ଧିତ ଖବର