ବୋଲର୍‌ ଓ ରୋହିତ ଦେଲେ ୪-୧ ବିଜୟ’

ଅଷ୍ଟ୍ରେଲିଆ ୭ ଓ୍ଵିକେଟ୍‌ରେ ପରାସ୍ତ, ଭାରତ ପୁଣି ଏକ ନମ୍ବର, ରୋହିତ ମ୍ୟାଚ୍‌ ଶ୍ରେଷ୍ଠ, ହାର୍ଦିକ ଶୃଙ୍ଖଳା ଶ୍ରେଷ୍ଠ

ନାଗପୁର: ବୋଲରଙ୍କ ସଫଳତା ପରେ ରୋହିତ ଶର୍ମାଙ୍କ ଆକର୍ଷଣୀୟ ଶତକ ବଳରେ ପଞ୍ଚମ ଦିନିକିଆରେ ଭାରତ ୭ ଓ୍ଵିକେଟ୍‌ରେ ଅଷ୍ଟ୍ରେଲିଆକୁ ଧୂଳି ଚଟାଇ ଶୃଙ୍ଖଳାକୁ ୪-୧ରେ ଜିତି ନେଇଛି। ଏଥି ସହ ବିରାଟ କୋହଲିଙ୍କ ଦଳ ଆଇସିସି ଦିନିକିଆ ମାନ୍ୟତାରେ ଏକ ନମ୍ବର ସ୍ଥାନକୁ ପୁନଃ ଦଖଲ କରି ନେଇଛି।
ରବିବାର ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଡେଭିଡ୍‌ ଓ୍ଵାର୍ନର ଏବଂ ଆରୋନ୍‌ ଫିଞ୍ଚ୍‌ ଯୋଡ଼ି ପୁଣି ଥରେ ଚମକ ଦେଖାଇଥିଲେ। ଫିଞ୍ଚ୍‌ ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳିଥିବା ବେଳେ ଓ୍ଵାର୍ନର ସ୍ୱାଭାବିକ ଭାବେ ଆକ୍ରମଣ କରିଥିଲେ। ପ୍ରଥମ ୧୦ ଓଭରରେ ଦଳ ବିନା କ୍ଷତିରେ ୬୦ ରନ୍‌ କରିଥିଲେ ମଧ୍ୟ ସ୍ପିନରଙ୍କ ଆଗମନ ପରେ ଭାରତର ପ୍ରତ୍ୟାବର୍ତନ ପର୍ବ ଆରମ୍ଭ ହୋଇଥିଲା। ତେବେ ହାର୍ଦିକ ପାଣ୍ଡ୍ୟା ଭାରତକୁ ପ୍ରଥମ ଓ୍ଵିକେଟ୍‌ ନେଇଥିଲେ। ଫିଞ୍ଚ୍‌ (୩୨, ୩୬ ବଲ୍‌)ଙ୍କୁ ବୁମ୍‌ରାଙ୍କ ହାତରେ କ୍ୟାଚ୍‌ କରାଇଥିଲେ ପାଣ୍ଡ୍ୟା। ସଂଘର୍ଷ କରିଥିବା ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ (୧୬, ୨୫ ବଲ୍‌)ଙ୍କୁ କେଦାର ଯାଦବ ଲେଗ୍‌ ବିଫୋର୍‌ ଓ୍ଵିକେଟ୍‌ କରାଇ ନେଇଥିଲେ। ଏହା ପରେ ବାମହାତୀ ସ୍ପିନର ଅକ୍ଷର ପଟେଲ ଏବଂ ଦ୍ରୁତ ବୋଲର୍‌ ଯଶପ୍ରୀତ ବୁମରାଙ୍କ ଯୋଡ଼ି ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ବାହାର କରିନେବାରୁ କଙ୍ଗାରୁ ପାଳି ସାଧାରଣ ସ୍କୋର୍‌ ୨୪୨/୯ରେ ସୀମିତ ରହିଥିଲା। ଓ୍ଵାର୍ନର (୫୩, ୬୨ ବଲ୍‌) ଏକମାତ୍ର ଅର୍ଧଶତକ ହାସଲ କରିଥିବା ବେଳେ ଦ୍ୱିତୀୟ ଅର୍ଧେକରେ ମାର୍କସ ଷ୍ଟୋଇନିସ୍‌ (୪୬, ୬୩ ବଲ୍‌) ଏବଂ ଟ୍ରାଭିସ୍‌ ହେଡ୍‌ (୪୨, ୫୯ ବଲ୍‌) ଏକଦା ୧୧୮/୪ରେ ସଂଘର୍ଷରତ ଅଷ୍ଟ୍ରେଲିଆକୁ ଅତି ବିପର୍ଯ୍ୟୟରୁ ରକ୍ଷା କରିଥିଲେ। ଅକ୍ଷର ପଟେଲ୍‌ (୧୦-୦-୩୮-୩) ଏବଂ ଯଶପ୍ରୀତ୍‌ ବୁମରା (୧୦-୨-୫୧-୨) ସଫଳ ବୋଲର ଥିଲେ। ଭୁବନେଶ୍ୱର କୁମାର, ହାର୍ଦିକ ପାଣ୍ଡ୍ୟା, କେଦାର ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।
୨୪୩ ରନ୍‌ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଳାଇଥିବା ମୁମ୍ବାଇ ଯୋଡ଼ି ଅଜିଙ୍କ୍ୟ ରାହାଣେ ଏବଂ ରୋହିତ ଶର୍ମା ପୁଣି ନିଜ ନିଜ ଚମକ ଦେଖାଇଥିଲେ। ପାଓ୍ଵାର ପ୍ଲେ ୧୦ ଓଭରରେ ବିନା କ୍ଷତିରେ ୪୩ ରନ୍‌ ଉଠାଇବା ପରେ ପ୍ରଥମ ଓ୍ଵିକେଟ୍‌ ପାଇଁ ଶତକୀୟ ଭାଗୀଦାରି (୧୨୪ ରନ୍‌, ୨୨.୩ ଓଭର) କରିଥିଲେ। ରାହାଣେ ଆଗେ ଆଗେ ବଢ଼ିଥିଲେ। ରୋହିତ ଶର୍ମା ଖାତା ଖୋଲିବା ପାଇଁ ୧୪ ବଲ୍‌ ଖେଳିଥିଲେ ସତ କିନ୍ତୁ ପ୍ରଥମେ ଅର୍ଧଶତକ ପୂର୍ଣ୍ଣ କରିଥିଲେ ୫୨ ବଲ୍‌ରୁ। ରାହାଣେଙ୍କୁ ୫୦ ଛୁଇଁବା ଲାଗି ୬୪ ବଲ୍‌ ସମ୍ମୁଖୀନ ହେବାକୁ ପଡ଼ିଥିଲା। ରାହାଣେ ନିଜର ଲଗାତାର ଚତୁର୍ଥ ଅର୍ଧଶତକ ହାସଲ କରିବାର ଧାରାକୁ ଆଗକୁ ନେଇଥିଲେ। ଅନ୍ୟପକ୍ଷରେ ପୂର୍ବ ମ୍ୟାଚ୍‌ରେ ରନ୍‌ ଆଉଟ୍‌ କାରଣରୁ ଶତକରୁ ବଞ୍ଚିତ ରୋହିତ ଶର୍ମା ଏଥର କିନ୍ତୁ ସୁଯୋଗ ଛାଡ଼ି ନଥିଲେ। କଲ୍‌ଟର ନାଇଲଙ୍କୁ ମିଡ୍‌ ଓ୍ଵିକେଟ୍‌ ଉପରେ ଛକା ମାରି ରୋହିତ ଶର୍ମା ନିଜର ୧୪ତମ ଦିନିକିଆ ଶତକ ପୂର୍ଣ୍ଣ କରିଥିଲେ। ଲେଗ୍‌ ସ୍ପିନର ଆଦାମ ଜାମ୍ପା ଗୋଟିଏ ଓଭରରେ ରୋହିତ ଶର୍ମା (୧୨୫, ୧୦୯ ବଲ୍‌, ୧୧ ଚୌକା, ୫ ଛକା) ଏବଂ ବିରାଟ କୋହଲି (୩୯, ୫୫ ବଲ୍‌, ୨ ଚୌକା)ଙ୍କୁ ଆଉଟ୍‌ କରି ଅଷ୍ଟ୍ରେଲିଆ ପାଇଁ କିଛିଟା ସାନ୍ତ୍ୱନା ଆଣିଥିଲେ। ସେତେବେଳକୁ ଭାରତ କିନ୍ତୁ ବିଜୟ ଦ୍ୱାରରେ ପହଞ୍ଚି ସାରିଥିଲା। କେଦାର ଯାଦବ (୫*, ୮ ବଲ୍‌, ୧ ଚୌକା) ଏବଂ ମନୀଷ ପାଣ୍ଡେ (୧୧*, ୧୧ ବଲ୍‌, ୨ ଚୌକା) ବିଜୟ ଔପଚାରିକତା ଶେଷ କରିବା ବେଳକୁ ଭାରତ ହାତରେ ଆହୁରି ୭ ଓ୍ଵିକେଟ୍‌ ଏବଂ ୭.୧ ଓଭର ବଳକା ଥିଲା। ରୋହିତ ଶର୍ମା ମ୍ୟାଚ୍‌ର ଶ୍ରେଷ୍ଠ ଏବଂ ହାର୍ଦିକ ପାଣ୍ଡ୍ୟା ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। କଲ୍‌ଟର୍‌ ନାଇଲ୍‌ ଅଷ୍ଟ୍ରେଲିଆ ପାଇଁ ଶୃଙ୍ଖଳା ଶ୍ରେଷ୍ଠ ସମ୍ମାନ ପାଇଥିଲେ।

ଟେ୍ଵଣ୍ଟି-୨୦ ଦଳ ଘୋଷିତ, ନେହେରା ରହିଲେ

ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଲାଗି ଭାରତୀୟ ଦଳ ଘୋଷିତ ହୋଇଛି। ଶିଖର ଧାଓ୍ଵନ ଏବଂ ଦୀନେଶ କାର୍ତିକ ଦଳକୁ ଫେରିଥିବାବେଳେ ୩୮ ବର୍ଷିୟ ଭେଟେରାନ୍‌ ଦ୍ରୁତ ବୋଲର ଆଶିଷ ନେହେରା ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ଅକ୍ଟୋବର ୭ (ରାଞ୍ଚି), ୧୦ (ଗୌହାଟୀ) ଏବଂ ୧୩ (ହାଇଦ୍ରାବାଦ) ତାରିଖରେ ଏହି ୩ ମ୍ୟାଚ୍‌ ଶୃଙ୍ଖଳା ଖେଳାଯିବ।
ଭାରତୀୟ ଟେ୍ଵଣ୍ଟି-୨୦ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଶିଖର ଧାଓ୍ଵନ, ଲୋକେଶ ରାହୁଲ୍‌, ମନୀଷ ପାଣ୍ଡେ, କେଦାର ଯାଦବ, ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍‌, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ଆଶିଷ ନେହେରା ଏବଂ ଅକ୍ଷର ପଟେଲ୍‌।

ଭାରତ-ଅଷ୍ଟ୍ରେଲିଆ ସ୍କୋର୍‌ କାର୍ଡ

ଅଷ୍ଟ୍ରେଲିଆ ପାଳି: ୨୪୨/୯
ଓ୍ଵର୍ନର-କ-ପାଣ୍ଡେ-ବୋ-ଅକ୍ଷର ପଟେଲ-୫୩
ଫିଞ୍ଚ୍‌-କ-ବୁମ୍‌ରା-ବୋ-ହାର୍ଦିକ୍‌ ପାଣ୍ଡ୍ୟା-୩୨
ସ୍ମିଥ୍‌-ଏଲ୍‌ବି-ବୋ-ଉମେଶ ଯାଦବ-୧୬
ହ୍ୟାଣ୍ଡ୍‌ସକମ୍ବ୍‌-କ-ରହାଣେ-ବୋ-ଅକ୍ଷର ପଟେଲ-୧୩
ହେଡ୍‌୍‌-ବୋ-ଅକ୍ଷର ପଟେଲ-୪୨
ଷ୍ଟୋଇନିସ୍‌-ଏଲ୍‌ବି-ବୋ-ବୁମ୍‌ରା-୪୬
ମାଥ୍ୟୁ ଓ୍ଵାଦେ-କ-ରହାଣେ-ବୋ-ବୁମ୍‌ରା-୨୦
ଜେମ୍‌ସ ଫକ୍‌ନର-ରନ୍‌ ଆଉଟ୍‌-୧୨
ପ୍ୟାଟ୍‌ କମିନ୍‌ଦ-ଅପରାଜିତ-୦୨
କୁଲ୍‌ଟର ନାଇଲ୍‌-ବୋ-ଭୁବନେଶ୍ୱର କୁମାର-୦୦
ଅତିରିକ୍ତ-(ବା-୧, ଲେଗ୍‌ବାଇ-୨, ଓ୍ଵା-୩) ୦୬
ମୋଟ-(୫୦ ଓଭର, ୯ ଓ୍ଵିକେଟ୍‌)- ୨୪୨
ଓ୍ଵିକେଟ୍‌ ପତନ-୧/୬୬, ୨/୧୦୦, ୩/୧୧୨, ୪/୧୧୮, ୫/୨୦୫, ୬/୨୧୦, ୭/୨୩୭, ୮/୨୪୨, ୯/୨୪୨।
ବୋଲିଂ: ଭୁବନେଶ୍ୱର କୁମାର ୮-୦-୪୦-୧, ଯଶ୍‌ପ୍ରିତ୍‌ ବୁମ୍‌ରା ୧୦-୨-୫୧-୨, ହାର୍ଦିକ ପାଣ୍ଡ୍ୟା ୨-୦-୧୪-୧, କୁଲ୍‌ଦୀପ୍‌ ଯାଦବ ୧୦-୧-୪୮-୦, କେଦାର ଯାଦବ ୧୦-୦-୪୮-୧, ଅକ୍ଷର ପଟେଲ ୧୦-୦-୩୮-୩ ।
ଭାରତ ପାଳି: ୨୪୩/୩
ରହାଣେ-ଏଲ୍‌ବି-ବୋ-କୁଲ୍‌ଟର ନାଇଲ-୬୧
ରୋହିତ-କ-କୁଲ୍‌ଟର ନାଇଲ୍‌-ବୋ-ଜାମ୍ପା-୧୨୫
କୋହଲି-କ-ଷ୍ଟୋଇନିସ୍‌-ବୋ-ଜାମ୍ପା-୩୯
କେଦାର ଯାଦବ-ଅପରାଜିତ-୦୫
ମନୀଷ ପାଣ୍ଡେ-ଅପରାଜିତ-୧୧
ଅତିରିକ୍ତ-(ଲେଗ୍‌ବାଇ-୧, ଓ୍ଵା-୧)- ୦୨
ମୋଟ-(୪୨.୫ ଓଭର, ୩ ଓ୍ଵିକେଟ୍‌)-୨୪୩
ଓ୍ଵିକେଟ୍‌ ପତନ-୧/୧୨୪, ୨/୨୨୩, ୩/୨୨୭।
ବୋଲିଂ: ପ୍ୟାଟ କମିନ୍‌ସ ୭-୧-୨୯-୦, ନାଥନ କୁଲ୍‌ଟର ନାଇଲ୍‌ ୯-୦-୪୨-୧, ମାର୍କ ଷ୍ଟୋଇନିସ୍‌ ୪-୦-୨୦-୦, ଜେମ୍‌ସ ଫକ୍‌ନର ୫.୫-୦-୩୭-୦, ଆଦାମ୍‌ ଜାମ୍ପା ୮-୦-୫୯-୨, ଟ୍ରାଭିସ୍‌ ହେଡ୍‌ ୬-୦-୩୮-୦, ଆରୋନ୍‌ ଫିଞ୍ଚ୍‌ ୩-୦-୧୭-୦।

ସମ୍ବନ୍ଧିତ ଖବର