ଭାରତ-ଅଷ୍ଟେଲିଆ ଦ୍ୱିତୀୟ ଟି-୨୦: ଟସ୍‌ ଜିଣି ବୋଲିିଂ ନିଷ୍ପତ୍ତି ନେଲେ କୋହଲି, ପ୍ରଥମ ଓଭରରେ ଭାରତକୁ ସଫଳତା

ମେଲବର୍ଣ୍ଣ: ଆଜି ମେଲବର୍ଣ୍ଣଠାରେ ହେଉଥିବା ଭାରତ-ଅଷ୍ଟ୍ରେଲିଆ ତିନି ଟିକିଆ ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲାରେ ଭାରତର ଅଧିନାୟକ ବିରାଟ କୋହଲି ଟସ୍‌ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳ ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ଏହି ଦ୍ୱିତୀୟ ମ୍ୟାଚ୍‌ରେ ସ୍ଥିତି ବରାବର କରିବା ଲକ୍ଷ୍ୟରେ ରହିଛି।

ଅପରପକ୍ଷେ ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜଣି ବୋଲିଂ ନିଷ୍ପତ୍ତି ନେଇ ଡିଏଲ ନିୟମ ଅନୁଯାୟୀ ପରାଜୟର ମୁହଁ ଦେଖିଥିଲେ ମଧ୍ୟ ବିରାଟ କୋହଲି ବ୍ରିସ୍‌ବେନ୍‌ ପରି ମେଲବେର୍ଣ୍ଣରେ ମଧ୍ୟ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଉ ବିରାଟଙ୍କ ନିଷ୍ପତ୍ତିକୁ ଠିକ୍‌ ପ୍ରମାଣିତ କରି ପ୍ରଥମ ଓଭରରେ ଭୁବନେଶ୍ୱର କୁମାର ଅଧିନାୟକ ଏ ଫିଞ୍ଚ୍‌ଙ୍କୁ ଓ୍ଵିକେଟ କିପର ଋଷଭ ପନ୍ଥଙ୍କ ଦ୍ୱାରା କଟ୍‌ ବିହାଇଣ୍ଡ କରାଇ ଭାରତକୁ ପ୍ରଥମ ସଫଳତା ପ୍ରଦାନ କରିଛନ୍ତି।

ଗତ ଗସ୍ତରେ ଅଷ୍ଟ୍ରେଲିଆକୁ ଭାରତ ତିନି ଟିକିଆ ଟି-୨୦ ଶୃଙ୍ଖଳାରେ ୩-୦ରେ ପରାସ୍ତ କରିଥିଲା। କିନ୍ତୁ ଚଳିତ ଗସ୍ତ ପ୍ରଥମ ଟି-୨୦ରେ ବିରାଟ ବାହିନୀ ପରାସ୍ତ ହୋଇଛି। ଉଭୟ ଦେଶ ମଧ୍ୟରେ ଏ ପର୍ଯ୍ୟନ୍ତ ୧୭ ଅନ୍ତର୍ଜାତୀୟ ଟି-୨୦ ଖେଳାଯାଇଛି। ସେଥିମଧ୍ୟରୁ ଭାରତ ୧୦ ଏବଂ ଅଷ୍ଟ୍ରେଲିଆ ୬ଟିରେ ବିଜୟୀ ହୋଇଛି। ଗୋଟିଏ ମୁକାବିଲା ବର୍ଷା ପାଇଁ ବାତିଲ ହୋଇ ଯାଇଛି। ବିରାଟ କୋହଲି ଦ୍ୱିତୀୟ ମ୍ୟାଚ ପାଇଁ ଦଳରେ କୌଣସି ପରିବର୍ତ୍ତନ କରି ନାହାନ୍ତି।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ରୋହିତ ଶର୍ମା , କେ ଏଲ ରାହୁଲ, ଋଷଭ ପନ୍ଥ, ଦୀନେଶ କାର୍ତ୍ତିକ, କେ ପାଣ୍ଡ୍ୟା, କୁଲଦୀପ ଯାଦବ, ଜସପ୍ରୀତ ବୁମ୍‌ରା, ଭୁବନେଶ୍ୱର କୁମାର ଓ କେ ଅହମ୍ମଦ।

ସମ୍ବନ୍ଧିତ ଖବର