ଭାରତ ମହିଳା ୩-୨ରେ ଜିତିଲେ

ସ୍ପେନ୍‌ ଗସ୍ତରେ ପ୍ରଥମ ବିଜୟ

ମାଦ୍ରିଦ୍‌ (ସ୍ପେନ୍‌): ପରାଜୟରୁ ସ୍ପେନ୍‌ ଗସ୍ତ ଆରମ୍ଭ କରିଥିବା ଭାରତୀୟ ମହିଳା ହକି ଦଳ ଶନିବାର ପ୍ରଥମ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌କୁ ୦-୧ ଗୋଲ୍‌ରେ ହାରିବା ପରେ ଦ୍ୱିତୀୟ ମ୍ୟାଚ୍‌କୁ ୧-୧ରେ ଅମୀମାଂସିତ ରଖିଥିବା ଭ୍ରମଣକାରୀ ଭାରତ ଶୁକ୍ରବାର ରାତିରେ ତୃତୀୟ ମ୍ୟାଚ୍‌କୁ ଜିତିନେଇଛି। ଅଧିନାୟିକା ରାଣୀ ରାମ୍‌ପଲ୍‌ଙ୍କ ୫୯ ମିନିଟ୍‌ ଗୋଲ୍‌ ବଳରେ ଭାରତ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ବିଶ୍ୱ ମାନ୍ୟତାର ଏକାଦଶ ତଥା ଘରୋଇ ସ୍ପେନ୍‌କୁ ୩-୨ରେ ପରାସ୍ତ କରିଦେଇଛି। ଏଥି ସହିତ ବିଶ୍ୱ ମାନ୍ୟତାର ଦଶମ ଭାରତ ମଧ୍ୟ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୧-୧ ସମାନ ସ୍ଥିତିକୁ ନେଇଆସିଛି। ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍‌ ଶନିବାର ରାତିରେ ଖେଳାଯିବ।

ଶୁକ୍ରବାର ରାତିରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ମଧ୍ୟ ସ୍ପେନ୍‌ ଆରମ୍ଭରୁ ଆଧିପତ୍ୟ ଜମାଇ ଅଗ୍ରଣୀ ନେଇଥିଲା। ମାରିଆ ଲୋପେଜ୍‌ ତୃତୀୟ ମିନିଟ୍‌ରେ ପେନାଲ୍‌ଟି କର୍ନରରୁ ଜରିଆରେ ହିଁ ଭାରତ ଉପରେ ଲଦି ଦେଇଥିଲେ ଗୋଲ୍‌। ହେଲେ ଭ୍ରମଣକାରୀ ଭାରତ ବେଶି ପଛରେ ପଡ଼ିନଥିଲା। ଗୋଟିଏ ଗୋଲ୍‌ ପଛରେ ପଡ଼ିଯିବା ପରେ ଭାରତ ତା’ର ଆକ୍ରମଣକୁ ଜୋର୍‌ଦାର କରିଥିଲା। ଫଳରେ ୪ ମିନିଟ୍‌ ମଧ୍ୟରେ ଲାଗ ଲାଗ ଦୁଇଟି ଗୋଲ୍‌ କରି ସ୍ପେନ୍‌କୁ ପଛରେ ପକାଇ ଦେଇଥିଲା। ୨୮ ମିନିଟ୍‌ରେ ଗୁର୍‌ଜିତ୍‌ କୌର ପେନାଲ୍‌ଟି କର୍ନରରୁ ଗୋଲ୍‌ କରି ପ୍ରଥମେ ସ୍ଥିତି (୧-୧) ସମାନ କରିଦେଇଥିଲା। ଉଭୟ ଦଳ ଦୁଇଟି ଲେଖାଏଁ ସୁଯୋଗ ହାତଛଡ଼ା କରିଥିଲା ବେଳେ ପ୍ରଥମାର୍ଧ ସ୍ଥିତି ୧-୧ ଗୋଲ୍‌ରେ ରହିଥିଲା। ଏହାପରେ ଦ୍ୱିତୀୟାର୍ଧରେ ଭାରତ ଗୋଲ୍‌ କରି ଆଗେଇ ଯାଇଥିଲା। ୩୨ ମିନିଟ୍‌ରେ ଲାଲ୍‌ରେମ୍‌ସିଆମି ଏକ ଫିଲ୍‌ଡ ଗୋଲ୍‌ କରିବାରୁ ଭାରତ ୨-୧ରେ ଅଗ୍ରଣୀ ପାଇଥିଲା। ତେବେ ମ୍ୟାଚ୍‌ ଶେଷ ହେବାକୁ ଆଉ ଅଳ୍ପ ସମୟ ଥିଲା ବେଳେ ସ୍ପେନ୍‌ ସ୍ଥିତି ବରାବର କରିଦେଇଥିଲା। ଦଳ ଦୁଇଟି ପେନାଲ୍‌ଟି କର୍ନର ପାଇଥିଲା ବେଳେ ପ୍ରଥମଟିକୁ ଭାରତୀୟ ଗୋଲ୍‌ରକ୍ଷିକା ସବିତା ଅଟକାଇ ଦେଇଥିଲେ। ତେବେ ୫୮ ମିନିଟ୍‌ରେ ଦଳ ପାଇଥିବା ଦ୍ୱିତୀୟ ପେନାଲ୍‌ଟି କର୍ନରକୁ ଲୋଲା ରିରା ଗୋଲ୍‌ରେ ରୂପାନ୍ତରିତ କରିବାରୁ ସ୍ଥିତି ୨-୨ ହୋଇଯାଇଥିଲା। ମ୍ୟାଚ୍‌ ଅମୀମାଂସିତ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ଭାରତୀୟ ଅଧିନାୟିକା ରାଣୀ ୫୯ ମିନିଟ୍‌ରେ ଚମତ୍କାର ଫିଲ୍‌ଡ ଗୋଲ୍‌ କରି ଦଳକୁ ବହୁମୂଲ୍ୟ ବିଜୟ ଭେଟି ଦେଇଥିଲେ।

ସୁଶୀଳାଙ୍କ ୧୫୦ ପରେ ବନ୍ଦନାଙ୍କ ଦ୍ୱିଶତକ
ସ୍ପେନ୍‌ ଗସ୍ତରେ ସୁଶୀଳା ଚାନୁ ପୁଖ୍ରମ୍‌ବାମ୍‌ ବୁଧବାର ତାଙ୍କର ୧୫୦ତମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। ସ୍ପେନ୍‌ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ହିଁ ଏହି ୨୬ ବର୍ଷ ବୟସ୍କା ମଣିପୁର ଝିଅ ଏହି ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିଲେ। ମାତ୍ର ୧୭ ବର୍ଷ ବୟସରେ ୨୦୦୯ରେ ଖ୍ରିଷ୍ଟଚର୍ଚ୍ଚଠାରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିବା ସୁଶୀଳାଙ୍କୁ ତାଙ୍କର ଏହି ସଫଳତା ପାଇଁ ହକି ଇଣ୍ଡିଆ ଅଭିନନ୍ଦନ ଜଣାଇଥିଲା। ତେବେ ଏହି ଗସ୍ତରେ ଆଉ ଜଣେ ଭାରତୀୟ ଶୁକ୍ରବାର ୨୦୦ତମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାର ଗୌରବ ପାଇଛନ୍ତି। ସେ ହେଲେ ବନ୍ଦନା କାଟାରିୟା। ସ୍ପେନ୍‌ ବିପକ୍ଷ ତୃତୀୟ ମ୍ୟାଚ୍‌କୁ ଭାରତ ଜିତି ନେଇଥିଲା ବେଳେ ୨୦୦ ଆନ୍ତର୍ଜାତିକ ମ୍ୟାଚ୍‌ର କୀର୍ତିମାନ ପାଇଥିବା ଉତ୍ତର ପ୍ରଦେଶର ୨୬ ବର୍ଷ ବୟସ୍କା ଝିଅ ବନ୍ଦନା ଏହାକୁ ସ୍ମରଣୀୟ କରିଛନ୍ତି। ସୁଶୀଳାଙ୍କ ଭଳି ବନ୍ଦନା ମଧ୍ୟ ମାତ୍ର ୧୭ ବର୍ଷ ବୟସରେ ୨୦୦୯ରେ ଚାମ୍ପିଅନ୍‌ସ ଚ୍ୟାଲେଞ୍ଜ୍‌ (ରୁଷିଆର କାଜାକସ୍ତାନ)ରେ ଜାତୀୟ ଦଳ ପକ୍ଷରୁ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ତାଙ୍କର ଏହି ସଫଳତା ପାଇଁ ହକି ଇଣ୍ଡିଆ ମଧ୍ୟ ଅଭିନନ୍ଦନ ଜଣାଇଛି।

ସମ୍ବନ୍ଧିତ ଖବର