ଭାରତର କ୍ରମାଗତ ଚତୁର୍ଥ ବିଜୟ, ଶ୍ରୀଲଙ୍କାକୁ ୭ ୱିକେଟ୍‌ରେ ହରାଇଲା

ମେଲ୍‌ବର୍ନ: ସ୍ପିନର ରାଧା ଯାଦବଙ୍କ କ୍ୟାରିୟର ଶ୍ରେଷ୍ଠ ବୋଲି ଚିତ୍ର ୪-୦-୨୩-୪ ପରେ ଯୁବ ତାରକା ସେଫାଳି ବର୍ମାଙ୍କ ପୁଣି ଏକ ବିସ୍ଫୋରକ ପାଳି (୩୪ ବଲ୍‌, ୪୭ ରନ୍‌, ୭ ଚୌକା, ୧ ଛକା) ସହାୟତାରେ ଭାରତ ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି। ୫ ଦଳୀୟ ଗ୍ରୁପ୍‌-ଏ’ରେ ବିଜେତା ଅଷ୍ଟ୍ରେଲିଆ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିସାରିଥିବା ହର୍‌ମନ୍‌ପ୍ରୀତ୍‌ କୌରଙ୍କ ‌ନେତୃତ୍ବାଧୀନ ଭାରତୀୟ ଦଳ ଶନିବାର ଚତୁର୍ଥ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୭ ୱିକେଟ୍‌ରେ ପରାସ୍ତ କରିଦେଇଛି। ଏଥି ସହିତ ଅପରାଜେୟ ରହି ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିଥିଲା ବେଳେ ୮ ପଏଣ୍ଟ୍‌ ସହ ତାଲିକାର ଶୀର୍ଷ ସ୍ଥାନରେ ଅପରିବର୍ତିତ ରହିଛି।

ପୂର୍ବ ତିନି ମ୍ୟାଚ୍‌ ଭଳି ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଶନିବାର ଭାରତ ଟସ୍‌ ହାରିଥିଲା। ତେବେ ପୂର୍ବ ତିନି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ବିଜୟୀ ହୋଇଥିବା ଭାରତ ଶନିବାର ପ୍ରଥମ ଥର ପାଇଁ ପିଛା କରି ଜିତିଥିଲା। ଟସ୍‌ ଜିତି ବ୍ୟାଟିଂ ନେଇଥିବା ଶ୍ରୀଲଙ୍କା ପକ୍ଷରୁ ଅଧିନାୟିକା ଚାମାରି ଆଟାପଟୁ (୩୩), ଦିଲ୍‌ହାରି (୨୫*), ସିରିବର୍ଧନେ (୧୩) ଓ ମାଧବୀ (୧୨) ଦୁଇ ଅଙ୍କ ଛୁଇଁଥିଲା ବେଳେ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ନିକଟରେ ବଡ଼ ସ୍କୋର୍‌ ପରିପାରିନଥିଲେ। ବିଶେଷକରି ରାଧା ଯାଦବ ୪ ୱିକେଟ୍‌ ସାଙ୍ଗକୁ ରାଜେଶ୍ବରୀ ଗାଏକ୍ବାଡ (୪-୧-୧୮-୨), ଦୀପ୍ତି ଶର୍ମା (୪-୦-୧୬-୧), ଶିଖା ପାଣ୍ଡେ (୪-୦-୩୫-୧) ଓ ପୁନମ୍‌ ଯାଦବ (୪-୦-୨୦-୧)ଙ୍କ ବୋଲିଂ ବଳରେ ଶ୍ରୀଲଙ୍କା ପାଳିକୁ ଭାରତ ୧୧୩/୯ରେ ସୀମିତ ରଖିପାରିଥିଲା। ପୁନମ୍‌ ଯାଦବ ଗୋଟିଏ ୱିକେଟ୍‌ ପାଇଥିଲେ ମଧ୍ୟ ୪ ମ୍ୟାଚ୍‌ରୁ ୮ ୱିକେଟ୍‌ ନେଇ ଚଳିତ ବିଶ୍ବକପ୍‌ରେ ସର୍ବାଧିକ ସଫଳ ବୋଲର ରହିଛନ୍ତି।

ଜବାବରେ ସେଫାଳିଙ୍କ ୪୭ ବ୍ୟତୀତ ସ୍ମୃତି ମନ୍ଧାନା (୧୭ ରନ୍‌, ୧୨ ବଲ୍‌, ୩ ଚୌକା), ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ କୌର (୧୫ ରନ୍‌, ୧୪ ବଲ୍‌, ୨ ଚୌକା, ୧ ଛକା), ଜେମିମା ରୋଦ୍ରିଗ୍ବେଜ (୧୫* ରନ୍‌, ୧୫ ବଲ୍‌, ୧ ଚୌକା) ଓ ଦୀପ୍ତି ଶର୍ମା (୧୫* ରନ୍‌, ୧୩ ବଲ୍‌, ୨ ଚୌକା)ଙ୍କ ବଳରେ ଭାରତ ୩୨ ବଲ୍‌ ପୂର୍ବରୁ ୭ ୱିକେଟ୍‌ ହାତରେ ରଖି ମ୍ୟାଚ୍‌ ଜିତି ନେଇଥିଲା। ଭାରତ ୧୪.୪ ଓଭରରେ ୩ ୱିକେଟ୍‌ ବିନିମୟରେ ୧୧୬ ରନ୍‌ କରିଥିଲା। ସେଫାଳି ୪ ମ୍ୟାଚ୍‌ରୁ ମୋଟ ୧୬୧ (୨୯, ୩୯, ୪୬ ଓ ୪୭) ରନ୍‌ କରି ଭାରତର ସର୍ବାଧିକ ସ୍କୋରର୍‌ ରହିଛନ୍ତି। ତେବେ ରାଧା ଯାଦବଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର