ଭାରତୀୟ ମହିଳା ଜିତିଲେ ମୁକୁଟ

କେପ୍‌ଟାଉନ୍‌: ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ମହିଳା ଦଳ ଯୁଗଳ ମୁକୁଟ ହାସଲର ଗୌରବ ଅର୍ଜନ କରିଛି। ପୂର୍ବରୁ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତିଥିବା ହରମନପ୍ରୀତ୍‌ କଉର୍‌ଙ୍କ ଦଳ ଶନିବାର ପଞ୍ଚମ ଟେ୍ଵଣ୍ଟି-୨୦କୁ ୫୪ ରନ୍‌ରେ ଜିତି ଶୃଙ୍ଖଳାକୁ ୩-୧ରେ କବ୍‌ଜା କରିନେଇଛି। ଗୋଟିଏ ଗସ୍ତରେ ଦୁଇଟି ଶୃଙ୍ଖଳା ଜିତି ଭାରତୀୟ ମହିଳା ଦଳ ମଧ୍ୟ ନୂଆ କୀର୍ତିମାନ କରିଛି। ଶନିବାର ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଭାରତୀୟ ଦଳ ନିର୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍‌ ହରାଇ ୧୬୬ ରନ୍‌ କରିଥିଲା। ଅଭିଜ୍ଞା ପ୍ରାରମ୍ଭିକ ଖେଳାଳି ମିତାଲି ରାଜ (୬୨, ୫୦ ବଲ୍‌, ୮ ଚୌକା, ୩ ଛକା)ଙ୍କ ପରେ ୧୭ ବର୍ଷୀୟା ଜେମିମା ରଡ୍ରିଗେ୍ଵଜ୍‌ (୪୪, ୩୪ ବଲ୍‌, ୩ ଚୌକା, ୨ ଛକା) ଏବଂ ଅଧିନାୟିକା ହରମନପ୍ରୀତ୍‌ କଉର୍‌ (୨୭*, ୧୭ ବଲ୍‌, ୧ ଚୌକା, ୨ ଛକା)ଙ୍କ ପାଳି ଭାରତକୁ ଲଢ଼ୁଆ ସ୍କୋର୍‌ ପ୍ରଦାନ କରିଥିଲା। ଜବାବରେ ଭାରତୀୟ ବୋଲରଙ୍କୁ ମୁକାବିଲା କରି ପାରି ଦକ୍ଷିଣ ଆଫ୍ରିକା ୧୮ ଓଭରରେ ମାତ୍ର ୧୧୨ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଦୁଇ ଦ୍ରୁତ ବୋଲର ଶିଖା ପାଣ୍ଡେ, ରୂମେଲି ଧର ଏବଂ ବାମହାତୀ ସ୍ପିନର୍‌ ରାଜେଶ୍ୱରୀ ଗାଏକ୍ୱାଡ ପ୍ରତ୍ୟେକ ୩ ଲେଖାଏଁ ଓ୍ଵିକେଟ୍‌ ନେଇଥିବାବେଳେ ଲେଗ୍‌ ସ୍ପିନର୍‌ ପୁନମ ରାଉତ ଗୋଟିଏ ଦଖଲ କରିଥିଲେ। ମିତାଲି ରାଜ ଶେଷ ମ୍ୟାଚ୍‌ ସହିତ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ମଧ୍ୟ ବ୍ୟକ୍ତିଗତ ଦ୍ୱିମୁକୁଟ ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର