କୃଷକ ପରିବାରରୁ ଅଲିମ୍ପିଆନ୍‌: ସୁନିତାଙ୍କ ଅପ୍ରତ୍ୟାଶିତ ଅବସର

ଭୁବନେଶ୍ବର: ଭାରତୀୟ ମହିଳା ହକି ଦଳର ରକ୍ଷଣଭାଗ ଖେଳାଳି ଓଡ଼ିଆ ଝିଅ ସୁନିତା ଲାକ୍ରା ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ନେଇଛନ୍ତି। ୨୦୧୮ ଏସୀୟ କ୍ରୀଡ଼ା ରୌପ୍ୟ ବିଜେତା ଭାରତୀୟ ଦଳର ସଦସ୍ୟା ଥିବା ୨୮ ବର୍ଷୀୟା ଏହି ଅଲିମ୍ପିଆନ୍‌ ବାରମ୍ବାର ଆହତ ଯୋଗୁଁ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। ଆଣ୍ଠୁ ଯନ୍ତ୍ରଣା ହିଁ ‌ତାଙ୍କ ଚଳିତ ବର୍ଷର ଟୋକିଓ ଅଲିମ୍ପିକ୍ସ ଖେଳିବା ସ୍ବପ୍ନକୁ ଚୁରମାର୍‌ କରି ଦେଇଛି। ପୂର୍ବରୁ ଆଣ୍ଠୁ ସମସ୍ୟାରେ ଥିବା ସୁନିତା ଏହାର ଅସ୍ତ୍ରୋପଚାର କରିବା ପରେ ଦଳକୁ ଫେରିଥିଲେ। ତେବେ ପୁଣି ଥରେ ଆଣ୍ଠୁ ଯନ୍ତ୍ରଣା ସମସ୍ୟାରେ ପଡ଼ିଥିଲେ। ଆଉ ଥରେ ଅସ୍ତ୍ରୋପଚାର ହେବାର ଆବଶ୍ୟକତା ଦେଖାଦେବାରୁ ଭାରତ ପାଇଁ ୧୫୫ ମ୍ୟାଚ୍‌ ଖେଳିଥିବା ସୁନିତା ଅପ୍ରତ୍ୟାଶିତ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ୧୯୯୧ ଜୁନ୍‌ ୧୧ରେ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଜନ୍ମ ଗ୍ରହଣ କରିଥିବା ସୁନିତା ମାତ୍ର ୬ ବର୍ଷ ବୟସରେ ରାଉରକେଲାସ୍ଥିତ ଭାରତୀୟ କ୍ରୀଡ଼ା ଛାତ୍ରାବାସ (ସାଇ)ରେ ଯୋଗଦେଇଥିଲେ। ୨୦୦୯ରେ ସେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲା ବେଳେ ୨୦୧୫ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୫୦ତମ ମ୍ୟାଚ୍‌ ଖେଳିଥିଲେ। ୨୦୧୭‌ରେ ସେହି ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ନିଜର ଶତକୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିଲେ। ଚଳିତ ବର୍ଷ ମେ’ ମାସରେ ସେ କୋରିଆ ବିପକ୍ଷରେ ୧୫୦ ମ୍ୟାଚ୍‌ ‌ପୂରଣ କରିଥିଲେ। ‌ମୋଟ ଉପରେ ୧୫୫ ମ୍ୟାଚ୍‌ ଖେଳିଥିବା ଏହି ଓଡ଼ିଆ ଅଲିମ୍ପିଆନ୍‌ ୨ ଅନ୍ତର୍ଜାତୀୟ ଗୋଲ୍‌ ମଧ୍ୟ ନିଜ ନାମରେ ରଖିଛନ୍ତି। ସୁନିତା ୨୦୧୮ରେ ଏସୀୟ ଚାମ୍ପିଅନ୍‌ସ ଟ୍ରଫିରେ ଭାରତୀୟ ଦଳର ନେତୃତ୍ବ‌ ନେଇଥିଲେ। ଏହି ପ୍ରତିଯୋଗିତାରେ ଭାରତ ଦ୍ବିତୀୟ ସ୍ଥାନରେ ରହିଥିଲା। ସେ ୨୦୧୪ ଏସୀୟ କ୍ରୀଡ଼ା ଭାରତୀୟ ଦଳର ସଦସ୍ୟା ରହିବା ସହ ୨୦୧୬ ଅଲିମ୍ପିକ୍ସରେ ମଧ୍ୟ ଖେଳିଥିଲେ। ସୁନିତା ୨୦୧୮ ଡିସେମ୍ବରରେ ପୁଲିସ ବିଭାଗରେ ଚାକିରି କରିଥିବା ସୁମନ ଦୀପକ ଟପ୍ପୋଙ୍କୁ ବିବାହ କରିଥିଲେ।

କୃଷକ ପରିବାରରୁ ଅଲିମ୍ପିଆନ୍‌
ସୁନିତା ରାଜଗାଙ୍ଗପୁରର ଏକ କୃଷକ ପରିବାରରେ ଜନ୍ମ ନେଇଥିଲେ ମଧ୍ୟ ବିଶ୍ବକପ୍‌ ଏବଂ ଅଲିମ୍ପିକ୍ସ ଭଳି ବିଶ୍ବସ୍ତରୀୟ ପ୍ରତ‌ିଯୋଗିତାରେ ଖେଳିବାର ଗୌରବ ଆଣିଥିଲେ। ଫୁଟ୍‌ବଲ୍‌ ଖେଳରୁ ହକିକୁ ଆସିଥିବା ସୁନିତା ଭାରତୀୟ ମହିଳା ହକି ଦଳର ନେତୃତ୍ବ ବି ନେଇଥିଲେ। ଆହତ ସମସ୍ୟା ତାଙ୍କ‌ ଖେଳ ଜୀବନକୁ କାଣ୍ଟଛାଣ୍ଟ କରିଦେଇଥିଲେ ମଧ୍ୟ ସେ ସମ୍ଭବତଃ ସବୁ ବଡ଼ ପ୍ରତିଯୋଗିତାରେ ଅନ୍ୟୁନ ଥରେ ଖେଳିବାର ସ‌ୁଯୋଗ ହାତେଇ ସାରିଥିଲେ। ଗୋଟିଏ ଦଶନ୍ଧିର (୨୦୦୯-୨୦୧୯) ଅନ୍ତର୍ଜାତୀୟ ଖେଳ ଜୀବନ ଭିତରେ ଦୁଇ ଥର ଏସୀୟ କ୍ରୀଡ଼ା ପଦକ (୨୦୧୪ ଇଞ୍ଚିଅନ୍‌-କାଂସ୍ୟ, ୨୦୧୮ ଜାକର୍ତା-ରୌପ୍ୟ) ଜିତିଛନ୍ତି। ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଦଳର ନେତୃତ୍ବ ନେଇ ଦ୍ବିତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସ ଏବଂ ୨୦୧୮ ଲଣ୍ଡନ୍‌ ବିଶ୍ବକପ୍‌ରେ ମଧ୍ୟ ଖେଳିଥିଲେ।

ଘରୋଇ ପ୍ରତିଯୋଗିତା ଖେଳିବି: ସୁନିତା
ଆଜିର ଦିନ ମୋ ପାଇଁ ଆବେଗପୂର୍ଣ୍ଣ, କାରଣ ଗୁରୁବାର ମୁଁ ଅନ୍ତଜାର୍ତୀୟ ହକିରୁ ଅବସର ନେବା ଘୋଷଣା କରୁଛି ବୋଲି କହିଛନ୍ତି ସୁନିତା। ୩ ଦଶନ୍ଧି ପରେ ଭାରତୀୟ ମହିଳା ଦଳ ଅଲିମ୍ପିକ୍ସରେ (ରିଓ ୨୦୧୬) ଖେଳିବାର ସୁଯୋଗ ପାଇଥିଲା। ମୁଁ ସେହି ଦଳର ସଦସ୍ୟା ରହିଥିବାରୁ ନିଜକୁ ଧନ୍ୟ ମନେ କରୁଛି। ଟୋକିଓ ଅଲିମ୍ପିକ୍ସରେ ଖେଳିବା ପାଇଁ ମୁଁ ଜୋରଦାର ଅଭ୍ୟାସ କରୁଥିଲି। ହେଲେ ଆଣ୍ଠୁ ଯନ୍ତ୍ରଣା ମୋର ସ୍ବପ୍ନକୁ ଧୂଳିସାତ କରିଦେଲା ବୋଲି କହିଛନ୍ତି ଏହି ସୁନ୍ଦରଗଡ଼ ଝିଅ। ସୁସ୍ଥ ହୋଇ ଫେରିଲେ ବୃତ୍ତିଗତ ସଂସ୍ଥା ନାଲ୍‌କୋ ପକ୍ଷରୁ ଘରୋଇ ପ୍ରତିଯୋଗିତାରେ ଖେଳିବା ଜାରି ରଖିବି ବୋଲି ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା ପରେ ସୁନିତା କହିଛନ୍ତି। ସହଯୋଗ ପାଇଁ ନିଜ ଦଳୀୟ ସାଥୀ ଏବଂ ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନଙ୍କୁ ‌ଧନ୍ୟବ‌ାଦ ଦେବି। ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିବା ଲାଗି ଭାରତୀୟ ଦଳକୁ ଶୁଭକାମନା ଜଣାଉଛି। ହକିରେ ମୋ ପରିବାର, ସ୍ବାମୀ, ସମସ୍ତ ସାଙ୍ଗସାଥୀ ଏବଂ ପ୍ରଶଂସକଙ୍କ ସମର୍ଥନ ପାଇଁ ଧନ୍ୟବାଦ ଦେଉଛି। ଏମାନଙ୍କ ବିନା ସମର୍ଥନରେ ଆଗକୁ ବଢ଼ି ପାରିନଥାନ୍ତି ବୋଲି କହିଛନ୍ତି ସୁନିତା।

ସମ୍ବନ୍ଧିତ ଖବର