ତୃତୀୟ ଦିନିକିଆରେ ୭ ଉଇକେଟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଲା ଭାରତ, ୩-୦ରେ ହାତେଇଲା ସିରିଜ୍

ମାଉଣ୍ଟ ମାଙ୍ଗାନୁଇ(ନ୍ୟୁଜିଲ୍ୟାଣ୍ଡ): ମାଉଣ୍ଟ ମାଙ୍ଗାନୁଇ ବେ ଓଭାଲରେ ଚାଲିଥିବା ଭାରତ- ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିନିକିଆରେ ଭାରତ ୭ ଉଇକେଟରେ ନ୍ୟୁଜିଲ୍ୟାଣ୍ଡକୁ ପରାଜିତ କରି ୩-୦ରେ ସିରିଜ ବିଜୟୀ ହୋଇଛି। ୨୪୪ ରନର ବିଜୟ ଲକ୍ଷ୍ୟ ନେଇ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରିଥଲା। ମାତ୍ର ୩ ଉଇକେଟ ହରାଇ  ଭାରତ ଲକ୍ଷ୍ୟ ହାସଲ କରିଥିଲା। ନ୍ୟୁଜିଲ୍ୟାଣ୍ଡ ଉପରେ ଏହି ସହଜ ବିଜୟ ଜରିଆରେ ଭାରତ ଦିନିକିଆ ସିରିଜ ପୋଛି ନେଇଛି।

ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇ ୪୯ ଓଭରରେ ୨୪୩ ରନ୍ କରି ଅଲ୍-ଆଉଟ୍ ହୋଇଥିଲା । ଭାରତ ସାମ୍ନାରେ ୨୪୪ ରନର ବିଜୟ ଲକ୍ଷ୍ୟ ରଖିଥିଲା ନ୍ୟୁଜିଲ୍ୟାଣ୍ଡ। ଭାରତୀୟ ଓପନିଂ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାୱନ୍ ଭଲ ଆରମ୍ଭ କରିଥିଲେ ହେଁ ୨୮ ରନ୍ କରିଥିବା ବେଳେ ଉଇକେଟ ହରାଇଥିଲେ ଶିଖର। ଏହାପରେ ପଡ଼ିଆକୁ ଓହ୍ଲାଇ ବ୍ୟାଟିଂ ଦାୟିତ୍ବ ନିଜ କାନ୍ଧରେ ନେଇଥିଲେ କ୍ୟାପଟେନ୍ ବିରାଟ  କୋହଲି। କୋହଲି ଓ ରୋହିତ ଭାରତର ବିଜୟ ଲାଗି ମୂଳଦୂଆ ପକାଇ ଥିଲେ।  ରୋହିତ ୭୭ ବଲ ଖେଳି ୬୨ କରିଥିବା ବେଳେ ମିସେଲ୍ ସାଣ୍ଟନରଙ୍କ ବଲରେ କ୍ୟାଚ ଦେଇ ଆଉଟ୍ ହୋଇଥିଲେ।  ଏହାପରେ ୭୪ ବଲ ଖେଳି ୬୦ ରନ୍ କରିଥିବା ବେଳେ କ୍ରିଜରୁ ବିଦାୟ ନେଇଥିଲେ କୋହଲି। ଭାରତ ୩ ଉଇକେଟ ହରାଇବା  ପରେ ଅମ୍ବାତି ରାୟଡୁ ଓ ଦିନେଶ କାର୍ତ୍ତିକ ଅତ୍ୟନ୍ତ ଧୈର୍ଯ୍ୟପୂର୍ଣ୍ଣ ଭାବେ ଧୂଆଁଧାର ବ୍ୟାଟିଂ କରି ଭାରତକୁ ବିଜୟ ଦେଇଥିଲେ। ଅମ୍ବାତି ରାୟଡୁ ଓ ଦିନେଶ କାର୍ତ୍ତିକ ଯଥାକ୍ରମେ ୪୦(୪୨) ଏବଂ ୩୮(୩୮) କରି ଅପରାଜିତ ରହିଥିଲେ।

ସିରିଜରେ ୨-୦ରେ ପଛୁଆ ଥିବା ନ୍ୟୁଜିଲ୍ୟାଣ୍ଡ ଦଳ ଏହି ମ୍ୟାଚ୍ ଜିତି ସିରିଜକୁ ଫେରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇ ଥିଲା। ମାତ୍ର ଭାରତୀୟ ବୋଲର୍ ନ୍ୟୁଜିଲ୍ୟାଣ୍ଡକୁ ଆରମ୍ଭରୁ ଝଟକା ଦେଇଥିଲେ । ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ଉଇକେଟ୍ ନେଇଥିବା ବେଳେ ମହମ୍ମଦ ସାମୀ ୩ଟି ଉଇକେଟ୍ ହାସଲ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡର ରସ ଟେଲର (୯୩) ଓ ଟମ୍ ଲଥାମ (୫୧)ଙ୍କୁ ଛାଡ଼ିଦେଲେ ଅନ୍ୟ ବ୍ୟାଟସମ୍ୟାନ୍ କ୍ରିଜରେ ତିଷ୍ଠି ରହି ପାରି ନ ଥିଲେ। ଫଳରେ ନ୍ୟୁଜିଲ୍ୟାଣ୍ଡ ୨୪୩ ରନ୍ କରି ଅଲ୍-ଆଉଟ୍ ହୋଇଥିଲା।

ଅନ୍ୟପକ୍ଷରେ ଏକ ଟିଭି ସୋ’ରେ ବିବାଦୀୟ ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିବା ପାଣ୍ଡ୍ୟା ତୃତୀୟ ଦିନିକିଆରେ ଦଳରେ ସାମିଲ ହୋଇ ଭଲ ପ୍ରଦର୍ଶନ (୨/୪୫) କରିଛନ୍ତି। ସେହିପରି ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ରାମ ଦିଆଯାଇଛି ଓ ତାଙ୍କ ସ୍ଥାନରେ ୱିକେଟ୍ ରକ୍ଷଣ କରୁଛନ୍ତି ଦିନେଶ କାର୍ତ୍ତିକ ।

ସମ୍ବନ୍ଧିତ ଖବର