ବିଶାଖାପାଟଣା: ସ୍ଥାନୀୟ ଡ. ଓ୍ଵାଇ.ଏସ୍‌. ରାଜଶେଖର ରେଡ୍ଡୀ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଭାରତ- ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌କୁ ଭାରତ ୧୦୭ ରନ୍‌ରେ ଜିତିଛି। ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତର ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ଶତକ ହାସଲ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲର କୁଲଦୀପ ଯାଦବ ଓ ମହମ୍ମଦ ସାମି ଚମତ୍କାର ବୋଲିଂ କରିଛନ୍ତି। କୁଲଦୀପ ହାଟ୍ରିକ୍‌ ଓ୍ଵିକେଟ୍‌ ନେଇଛନ୍ତି। ଦ୍ୱିତୀୟ ଦିନିକିଆରେ ଭାରତ ଜିତିବା ପରେ ଶୃଙ୍ଖଳା ୧-୧ରେ ପହଞ୍ଚିଛି। ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମୁକାବିଲା ଡିସେମ୍ବର ୨୨ରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ହେବ।

Advertisment

ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ୍‌ ୩୮୮ ରନ୍‌ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା। ଓ୍ଵିକେଟ୍‌କିପର ବ୍ୟାଟସ୍‌ମ୍ୟାନ ସାଇ ହୋପ୍‌ (୭୫ ରନ୍‌, ୮୫ ବଲ, ୭ ଚୌକା), ନିକୋଲାସ ପୂରନ୍‌ (୭୫ ରନ୍‌, ୪୭ ବଲ, ୬ ଚୌକା, ୬ଛକା) ଓ କିମୋ ପଲ(୪୬ ରନ୍‌, ୪୨ ବଲ, ୪ ଚୌକା, ୩ ଛକା)ଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟସ୍‌ମ୍ୟାନ୍‌ମାନେ ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲା। ଅତିଥି ଟିମ୍‌ ୪୩.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୮୦ ରନ୍‌ ସଂଗ୍ରହ କରିଥିଲା। ଇଣ୍ଡିଜ୍‌ ଟିମ୍‌ର ଓପନର ଇଭିନ୍‌ ଲୁଇସ୍‌ ୩୦ ରନ୍‌ ଓ ଖରି ପିଏରେ ୨୧ ରନ୍‌ ସଂଗ୍ରହ କରିଥିଲେ। କୁଲଦୀପ ଯାଦବଙ୍କ ବ୍ୟତୀତ ଭାରତର ଅନ୍ୟ ବୋଲର ମହମ୍ମଦ ସାମି ମଧ୍ୟ ୩ଟି ଓ୍ଵିକେଟ୍‌ ନେଇଥିବା ବେଳେ ରବୀନ୍ଦ୍ର ଜାଦେଜା ୨ଟି ଓ ଶାର୍ଦୁଲ ଠାକୁର ଗୋଟିଏ ଓ୍ଵିକେଟ୍‌ ନେଇଥିଲେ।

ପ୍ରଥମ ଇନିଂସରେ ଓପନର ରୋହିତ ଶର୍ମା (୧୫୯ ରନ୍‌, ୧୩୮ ବଲ, ୧୭ ଚୌକା, ୫ ଛକା) ଓ କେ.ଏଲ୍‌ ରାହୁଲ (୧୦୨ ରନ୍‌, ୧୦୪ ବଲ, ୮ ଚୌକା, ୩ ଛକା)ଙ୍କ ଶତକ ବଳରେ ଭାରତ ୱେଷ୍ଟଇଣ୍ଡିଜ୍‌କୁ ୩୮୮ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା। ଟସ୍‌ ଜିଣି ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଟିମ୍‌ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୩୮୭ ରନ୍‌ ସଂଗ୍ରହ କରିଥିଲା।

publive-image Photo: Hindustan Times

ପ୍ରଥମ ଇନିଂସରେ ଆଜି ଭାରତ ପୂରା ଦମ୍‌ରେ ଖେଳିଥିଲା। ରୋହିତ ଓ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପ୍ରଥମ ଓ୍ଵିକେଟ୍‌ରେ ୨୨୭ ରନ୍‌ ସଂଗ୍ରହ କରିଥିଲା। ୱେଷ୍ଟଇଣ୍ଡିଜ୍‌ର ପ୍ରଥମ ଶିକାର ହୋଇଥିଲେ ଲୋକେଶ ରାହୁଲ। ୩୭ତମ ଓଭରର ଶେଷ ବଲରେ ଲୋକେଶ ପାଭଲିଅନ୍‌କୁ ଫେରିବା ପରେ ତାଙ୍କ ସ୍ଥାନ ନେଇଥିଲେ ଅଧିନାୟକ ବିରାଟ କୋହଲି। ଟିମ୍‌ର ସ୍କୋର ୨୩୨ ରନ୍‌ ଥିବା ବେଳେ କୋହଲି ମାତ୍ର ଗୋଟିଏ ବଲ୍‌ର ସମ୍ମୁଖୀନ ହୋଇ ସେଲ୍‌ଡନ କଟ୍ରେଲଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ।

publive-image Photo: Hindusatan Times

ଟିମ୍‌ ଇଣ୍ଡିଆ ତୃତୀୟ ଓ୍ଵିକେଟ୍‌ ଭାବେ ହିଟ୍‌ ମ୍ୟାନ୍‌ ରୋହିତ ଶର୍ମାଙ୍କୁ ହରାଇଥିଲା। ସେ କଟ୍ରେଲଙ୍କ ଦ୍ୱାରା ଆଉଟ୍‌ ହେବା ବେଳକୁ ଭାରତର ସ୍କୋର ୨୯୨ ରନ୍‌ରେ ପହଞ୍ଚି ସାରିଥିଲା। ଭାରତ ୪ର୍ଥ ଓ୍ଵିକେଟ୍‌ ଭାବେ ଯୁବ ବ୍ୟାଟ୍‌ସମ୍ୟାନ୍‌ ଋଷଭ ପନ୍ତଙ୍କୁ ହରାଇଥିଲା। ପନ୍ତ ୧୬ଟି ବଲ ଖେଳି ୩୯ ରନ୍‌ (୧୬ ବଲ, ୩ ଚୌକା, ୪ ଛକା) ଦଳ ପାଇଁ ଯୋଡ଼ିଥିଲେ। ସେ କିମୋ ପଲଙ୍କ ବଲ ନିକୋଲାସ ପୂରନଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ। ମଧ୍ୟକ୍ରମର ବ୍ୟାଟସ୍‌ମ୍ୟାନ୍‌ ଶ୍ରେୟସ ଆୟର ୫୩ ରନ୍‌ କରିଥିଲେ। ଆୟର ୩୨ଟି ବଲ ଖେଳି ୩ଟି ଚୌକା ଓ ୪ଟି ଛକା ମାରିଥିଲେ। କେଦାର ଯାଦବ ୧୦ଟି ବଲ ଖେଳି ଅପରାଜିତ ୧୬ ରନ୍‌ କରିଥିଲେ।