ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ୍‌ ଟିମ୍‌ର ବିଜୟର ଧାରା ଜାରି ରହିଛି। ଟିମ୍‌ ଇଣ୍ଡିଆ ରବିବାର ବିଜୟର ଦୀପାବଳି ପାଳନ କରିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଦିନିକିଆ ବିଶ୍ବକପ୍‌ରେ ରବିବାର ଟିମ୍‌ ଇଣ୍ଡିଆ ଆଜି ନେଦରଲାଣ୍ଡ୍‌ସ ବିପକ୍ଷରେ ୧୬୦ରନ୍‌ରେ ବିଜୟ ହାସଲ କରି କୋଟି କୋଟି ଭାରତୀୟମାନଙ୍କୁ ଦୀପାବଳି ଉପହାର ଦେଇଛି। ଚଳିତ ବିଶ୍ବକପ୍‌ରେ ଖେଳିଥିବା ସମସ୍ତ ଲିଗ୍‌ ମ୍ୟାଚରେ ବିଜୟୀ ହେବା ସହିତ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଟିମ୍‌ ନେଦରଲାଣ୍ଡ୍‌ସକୁ ୪୭.୫ ଓଭରରେ ଅଲ୍‌ଆଉଟ୍‌ କରିଛି। ୪୧୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ନେଦରଲାଣ୍ଡ୍‌ସ ଟିମ୍‌ ୨୫୦ ରନ୍‌ରେ ଅଟକି ଯାଇଛି। ଭାରତ ଆସନ୍ତା ୧୫ ତାରିଖ ଦିନ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ।

Advertisment

ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ନେଦରଲାଣ୍ଡ୍‌ସର ବ୍ୟାଟରଙ୍କ ଆଗରେ ବିରାଟ ଲକ୍ଷ୍ୟ ଥିବାରୁ ସେମାନେ ଚାପଗ୍ରସ୍ତ ହୋଇ ବ୍ୟାଟିଂ କରିଥିଲେ। ଦଳ ପାଇଁ ତେଜା ନିଦାମନରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୫୪ ରନ୍‌ କରିଥିଲେ। ସେ ୩୯ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ୬ଟି ଛକା ମାରିଥିଲେ। ସିବ୍ରାଣ୍ଡ ଏଙ୍ଗେଲବ୍ରେଚ୍‌ଟ ୮୦ଟି ବଲ୍‌ ଖେଳି ୪ଟି ଚୌକା ସହାୟତାରେ ୪୫ ରନ୍‌ କରିଥିଲେ। କୋଲିନ ଏକେମାନ୍‌ ୩୫ ରନ୍‌ କରିଥିବା ବେଳେ ଅନ୍ୟ ବ୍ୟାଟରମାନେ ବ୍ୟକ୍ତିଗତ ଭାବେ ୨୦ ରନ୍‌ ସଂଗ୍ରହ କରିପାରି ନଥିଲେ।

ଭାରତୀୟ କ୍ରିକେଟ୍‌ ଟିମ୍‌ର ଖେଳାଳିମାନେ ଆଜି ଉଭୟ ବ୍ୟାଟିଂ ଓ ବୋଲିଂରେ ଚମକପ୍ରଦ ପ୍ରଦର୍ଶନ କରିଥିଲେ। ବ୍ୟାଟିଂ ପାଳିରେ ପ୍ରଥମେ ଦୁଇ ଜଣ ଖେଳାଳି ଶତକ ଓ ତିନି ଜଣ ଅର୍ଦ୍ଧଶତକ ବଳରେ ବୃହତ୍‌ ସ୍କୋର କରିଥିଲେ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ମାତ୍ର ୪ଟି ୱିକେଟ୍‌ ହରାଇ ୪୧୦ ରନ୍‌ କରିପାରିଥିଲା। ଏଥି ସହିତ ବିଶ୍ବକପ ଇତିହାସରେ ଭାରତ ଦ୍ବିତୀୟ ସର୍ବାଧିକ ରନ୍‌ କରିପାରିଥିଲା। ପୂର୍ବରୁ ବରମୁଡ଼ା ବିରୋଧରେ ବିଶ୍ବକପ-୨୦୦୭ରେ ଭାରତ ୪୧୩ ରନ୍‌ କରିପାରିଥିଲା। ସେହିପରି ଭାରତୀୟ ଟିମ୍‌ ପକ୍ଷରୁ ୮ ଜଣ ଖେଳାଳି ବୋଲିଂ କରି ନେଦରଲାଣ୍‌ସର ବ୍ୟାଟରଙ୍କୁ ଆଉଟ୍‌ କରିଥିଲେ। ଆଜିର ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ମଧ୍ୟରେ ‌ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଗୋଟିଏ ୱିକେଟ୍‌ ନେଇଥିଲେ। ସେହିପରି ଯଶପ୍ରୀତ ବୁମରା, ମହମଦ୍‌ ସିରାଜ, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜୋଦେଜା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

ଭାରତୀୟ ବ୍ୟାଟରମାନେ ଆଜି ଚମକପ୍ରଦ ବ୍ୟାଟିଂ କରିଥିଲେ। ପ୍ରଥମତଃ ରୋହିତ ଶର୍ମା ଓ ଶୁବମନ ଗିଲ ପ୍ରଥମ ୱିକେଟ୍‌ରେ ଶତକୀୟ ରନ୍‌ ଭାଗିଦାରୀ କରିଥିଲେ। ଦ୍ବିତୀୟତଃ ଚତୁର୍ଥ ୱିକେଟ୍‌ରେ ଶ୍ରେୟସ ଆୟର ଓ କେଏଲ୍‌ ରାହୁଲ ୨୦୮ ରନ୍‌ର ଭାଗିଦାରୀ କରିପାରିଥିଲେ। ଶ୍ରେୟସ ଆୟର ଅପରାଜିତ ୧୨୮ ରନ୍‌ କରିଥିଲେ। ସେ ୯୪ଟି ବଲ୍‌ ଖେଳି ୧୦ଟି ଚୌକା ଓ ୫ଟି ଛକା ମାରିଥିଲେ। ଶ୍ରେୟସ ଆୟରଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ମିଳିଛି। କେଏଲ୍‌ ରାହୁଲ ଆଉଟ୍‌ ହୋଇ ପାଭିଲିଅନକୁ ଯିବା ପୂର୍ବରୁ ୬୪ଟି ବଲ୍‌ ଖେଳି ୧୧ଟି ଚୌକା ଓ ୪ଟି ଛକା ବଳରେ ୧୦୨ ରନ୍‌ କରିଥିଲେ।

ଚଳିତ ବିଶ୍ବକପ୍‌ରେ ଭାରତ ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପାଇଁ ପାଳି ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁବମନ୍‌ ଗିଲ। ରୋହିତ ୫୪ଟି ବଲ୍‌ ଖେଳି ୮ଟି ଚୌକା ଓ ୨ଟି ଛକା ବଳରେ ୬୧ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଯୁବ ବ୍ୟାଟର ଗିଲ୍‌ଙ୍କ ବ୍ୟାଟରୁ ୫୧ ରନ୍‌ ଅମଳ ହୋଇଥିଲା। ଗିଲ୍‌ ୩୨ଟି ବଲ୍‌ ଖେଳି ୩ଟି ଚୌକା ଓ ୪ଟି ଛକା ମାରିଥିଲେ। ଭାରତୀୟ ବ୍ୟାଟର ବିରାଟ କୋହଲି ଆଜି ଦିନିକିଆ କ୍ରିକେଟରେ ୭୧ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୫ଟି ଚୌକା ଓ ଗୋଟିଏ ଛକା ବଳରେ ମୋଟ୍‌ ୫୧ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ।