ଅହମଦାବାଦ: ନେଦରଲାଣ୍ଡ୍ସକୁ ଭାରତ ଟି୨୦ ବିଶ୍ବକପ୍-୨୦୨୬ର ୩୬ତମ ମ୍ୟାଚ୍ରେ ୧୭ ରନ୍ରେ ପରାସ୍ତ କରିଛି। ନେଦରଲାଣ୍ଡ୍ସ ଟିମ୍ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୭୬ ରନ୍ ସଂଗ୍ରହ କରିଛି। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି। ଶିଭମ ଦୁବେଙ୍କୁ ୨ଟି ୱିକେଟ୍ ମିଳିଥିଲା ବେଳେ ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବୁଧବାର ଦିନ ଏହି ମ୍ୟାଚ୍ରେ ଟସ୍ ଜିଣି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୯୩ ରନ୍ କରିଥିଲା। ଫଳରେ ନେଦରଲାଣ୍ଡ୍ସକୁ ବିଜୟ ପାଇଁ ୧୯୪ ରନ୍ର ଲକ୍ଷ୍ୟ ମିଳିଥିଲା।
ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ନିଜ ଚତୁର୍ଥ ତଥା ଶେଷ ଲିଗ୍ ମ୍ୟାଚ୍ରେ ନେଦରଲାଣ୍ଡ୍ସକୁ ପ୍ରମୁଖ ଟ୍ରଫି ଦାବିଦାର ତଥା ଆୟୋଜକ ଭାରତ ୧୭ ରନ୍ରେ ହରାଇ ଅପରାଜେୟ ଭାବେ ସୁପର-୮ ପର୍ଯ୍ୟାୟକୁ ଯାଇଛି। ସେହିଭଳି ବିଶ୍ବକପ୍ରେ ନିଜ ବିଜୟ ଧାରାକୁ ୧୨କୁ ବଢ଼ାଇଛି ଟିମ୍ ଇଣ୍ଡିଆ। ବୁଧବାର ଭାରତୀୟ ଦଳ ପୁଣି ଥରେ ଓପନିଂ ବିଫଳତାର ସମ୍ମୁଖୀନ ହୋଇଥିଲା। ଫର୍ମ ପାଇଁ ଯୁଝୁଥିବା ଅଭିଷେକ ଶର୍ମା ତୃତୀୟ ବଲ୍ରେ କ୍ଲିନ୍ ବୋଲ୍ଡ ହୋଇଥିଲେ।
ପାକିସ୍ତାନ ବିପକ୍ଷ ମ୍ୟାଚ୍ର ନାୟକ ଈଶାନ କିଶନ ମଧ୍ୟ ୧୮ ରନ୍ରେ ଆଉଟ୍ ହୋଇଯାଇଥିଲେ। ତେବେ ଶିବମ ଦୁବେଙ୍କ ୬୧ ଏବଂ ତିଳକ ବର୍ମା (୩୧), ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୩୪) ଓ ହାର୍ଦିକ ପାଣ୍ଡ୍ୟା (୩୦)ଙ୍କ ଦ୍ରୁତ ଓ ଉପଯୋଗୀ ପାଳି ବଳରେ ଏକଦା ସଂଘର୍ଷ କରୁଥିବା ଭାରତ ୬ ୱିକେଟ୍ ହରାଇ ୧୯୩ ରନ୍ର ସମ୍ମାନଜନକ ସ୍କୋର୍ କରି ନେଇଥିଲା। ଜବାବରେ ଭାରତୀୟ ଖେଳାଳିଙ୍କ ଦୁର୍ବଳ ଫିଲ୍ଡିଂରୁ ଫାଇଦା ଉଠାଇ ନେଦରଲାଣ୍ଡ୍ସ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲା। ତେବେ ୭ ୱିକେଟ୍ ବିନିମୟରେ ୧୭୬ ରନ୍ରେ ଅଟକି ଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ ଏହି ଦଳର ଜଣେ ହେଲେ ବି ବ୍ୟାଟର୍ ଅର୍ଦ୍ଧଶତକ ଛୁଇଁ ନଥିଲେ। ତେବେ ଛୋଟଛୋଟ ପାଳିରେ ଭାରତୀୟ ବୋଲରଙ୍କୁ ଅଡ଼ୁଆରେ ପକାଇଥିଲେ। ଭାରତର ସଫଳତମ ବୋଲର୍ ଭାବେ ବରୁଣ ଚକ୍ରବର୍ତ୍ତୀ ତିନିଟି ୱିକେଟ୍ କରାୟତ୍ତ କରିଥିଲେ। ଦୁବେ ତାଙ୍କ ଦମ୍ଦାର ପାଳି ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/18/india-2026-02-18-22-36-18.jpg)