ଟି-୨୦ ଶୃଙ୍ଖଳାରେ ୱେଷ୍ଟଇଣ୍ଡିଜ୍‌ ମୂଳପୋଛ, ଅନ୍ତିମ ମୁକାବିଲାକୁ ୧୭ ରନ୍‌ରେ ଜିତିଲା ଭାରତ

କୋଲକାତା: ଭାରତ ଓ ଓ୍ଵେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଟି୨୦କୁ ଭାରତ ୧୭ ରନ୍‌ରେ ଜିତିଛି। କୋଲକାତାର ଇର୍ଡେନ୍‌ ଗାର୍ଡେନରେ ରବିବାର ପ୍ରଥମେ ବ୍ୟାଟିଂ କରି ଭାରତ ୧୮୪ ରନ୍ କରିଥିଲା। ଫଳରେ ଓ୍ଵେଷ୍ଟଇଣ୍ଡିଜ୍ ୧୮୫ ରନ୍‌ର ବିଜୟ ଲକ୍ଷ ନେଇ ନିଜର ପାଳି ଆରମ୍ଭ କରିଥିଲା। ଅତିଥି ଟିମ୍‌ ୨୦ ଓଭର ଖେଳି ୯ଟି ୱିକେଟ୍‌ ବିନିମୟରେ ୧୬୭ ରନ୍‌ କରିଥିଲା। ଏଥି ସହିତ ଭାରତ ଟି-୨୦ ଶୃଙ୍ଖଳାକୁ ୩-୦ରେ ଜିତିଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ପ୍ରଥମ ମ୍ୟାଚ୍‌କୁ ୬ ୱିକେଟ୍‌ରେ ଜିତିଥିବା ବେଳେ ୨ୟ ମୁକାବିଲାକୁ ୮ ରନ୍‌ରେ ଜିତିଥିଲା।

ଘରୋଇ ଦଳର ବୋଲରଙ୍କୁ ଅତିଥି ଟିମ୍‌ର ବୋଲରମାନେ ମୁକାବିଲା କରିପାରି ନଥିଲେ। ଭାରତ ତରଫରୁ ହର୍ଷଲ୍ ପଟେଲ୍ ସର୍ବାଧିକ ୩ଟି ଓ୍ଵିକେଟ୍ ହାସଲ କରିଥିଲେ, ଦୀପକ୍ ଚାହର୍, ଭେଙ୍କଟେଶ୍ ଆୟର୍ ଓ ସାର୍ଦୁଲ୍ ଠାକୁର୍ ୨ଟି ଲେଖାଏଁ ଓ୍ଵିକେଟ୍ ଅକ୍ତିଆର କରିଥିଲେ।

Photo: Aaj Tak

ପ୍ରଥମ ଓଭରର ପଞ୍ଚମ ବଲରେ କିଲ୍ ମେୟର୍ସ ୬ ରନ କରି ଆଉଟ୍ ହୋଇଯାଇଥିଲେ। ଏହାପରେ ଦଳୀୟ ସ୍କୋର୍ ୨୬ରେ ସାଇ ହୋପ୍ ୮ ରନ କରି ଆଉଟ୍ ହୋଇଥିଲେ। ୨୬ ରନରେ ୨ଟି ଓ୍ଵିକେଟର ପତନ ପରେ ତୃତୀୟ ଓ୍ଵିକେଟରେ ନିକୋଲାସ୍ ପୂରନ୍ ଓ ରଭମ୍ୟାନ୍ ପାଓ୍ଵେଲ୍ ୪୭ ରନ୍ ଯୋଗ କରିଥିଲେ। ଓ୍ଵେଷ୍ଟଇଣ୍ଡିଜର ସ୍କୋର ୭୩ରେ ରଭମ୍ୟାନ୍ ପାଓ୍ଵେଲ୍ ୧୪ଟି ବଲ୍ ଖେଳି ୨ଟି ଚୌକା ଓ ୨ଟି ଛକା ସହ ୨୫ ରନରେ ଆଉଟ୍ ହୋଇଥିଲେ। ଏହାପରେ ଓ୍ଵେଷ୍ଟଇଣ୍ଡିଜ୍ ଅଧିନାୟକ କିରନ୍ ପୋଲାର୍ଡ ବ୍ୟାଟିଂ କରିବାକୁ ଆସି ୭ଟି ବଲ୍ ଖେଳି ମାତ୍ର ୫ ରନ୍ କରି ଭେଙ୍କଟେଶ୍ ଆୟାରଙ୍କ ବଲରେ ରବି ବିଷ୍ଣୋଇଙ୍କ କ୍ୟାଚ୍ ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର୍ ୧୦୦ରେ ଜାସନ୍ ହୋଲ୍ଡର୍ ୨ ରନ୍ କରି ଆଉଟ୍ ହୋଇଥିଲେ। ସେହି ୧୦୦ ରନର ସ୍କୋରରେ ରଷ୍ଟନ୍ ଚେସ୍ ୧୨ ରନ୍ କରି ଆଉଟ୍ ହୋଇଥିଲେ।

ନିକୋଲାସ୍ ପୂରନ୍ ଓ ରୋମାରିଓ ସେଫର୍ଡ୍ ସପ୍ତମ ଓ୍ଵିକେଟରେ ୪୮ ରନର ପାର୍ଟନରସିପ୍ କରିଥିଲେ। ଦଳକୁ ବିଜୟ ଆଡକୁ ନେବାକୁ ଚେଷ୍ଟା କରୁଥିବା ନିକୋଲାସ୍ ପୂରନ୍ ୪୭ଟି ବଲ୍ ଖେଳି ୮ଟି ଚୌକା ଓ ଗୋଟିଏ ଛକା ସହ ୬୧ ରନ କରି ସାର୍ଦୁଲ୍ ଠାକୁରଙ୍କ ବଲରେ ଆଉଟ୍ ହୋଇଥିଲେ। ରୋମାରିଓ ସେଫର୍ଡ୍ ୧୯ତମ ଓଭରରେ ୨୧ଟି ବଲ୍ ଖେଳି ଗୋଟିଏ ଚୌକା ଓ ୩ଟି ଛକା ସହ ୨୯ ରନରେ ହର୍ଷଲ୍ ପଟେଲଙ୍କ ବଲରେ ଆଉଟ୍ ହୋଇଥିଲେ। ଡୋମନିକ୍ ଡ୍ରେକ୍ସ୍ ନବମ ବ୍ୟାଟର୍ ଭାବେ ଆଉଟ୍ ହୋଇଥିଲେ। ଓ୍ଵେଷ୍ଟଇଣ୍ଡିଜ୍ ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୧୬୭ ରନ୍ କରିବାକୁ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର