ଚଟ୍ଟୋଗ୍ରାମ: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ଭାରତ ୧୮୮ ରନ୍ରେ ଜିତିବା ସହ ୨ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଏହି ବିଜୟ ସହିତ ଭାରତ ମଧ୍ୟ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ପଏଣ୍ଟ ଟେବୁଲ୍ରେ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ବାସ୍ତବରେ ବିଜୟ ପରେ ଭାରତ ତୃତୀୟକୁ ଉନ୍ନୀତ ହୋଇଥିଲେ ମଧ୍ୟ ମାତ୍ର ଦେଢ଼ ଦିନ ଭିତରେ ଶେଷ ହୋଇଥିବା ଗାବା ଟେଷ୍ଟ୍ରେ ଦକ୍ଷିଣ ଆଫ୍ରିକାକୁ ଅଷ୍ଟ୍ରେଲିଆ ହରାଇଦେବା ଫଳରେ ଭାରତ ଦ୍ବିତୀୟକୁ ଉଠିଯାଇଛି। ଆଇସିସି ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ ପ୍ରବେଶ ପଥ ତଥାପି ଭାରତ ପାଇଁ କଷ୍ଟକର ରହିଛି। ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ ସହିତ ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ଘରୋଇ ଟେଷ୍ଟ୍ ଶୃଙ୍ଖଳାକୁ ଭାରତକୁ ମୂଳପୋଛ କରିବାର ଆବଶ୍ୟକତା ରହିଛି।
ରବିବାର ଚଟ୍ଟୋଗ୍ରାମ ଟେଷ୍ଟ୍ର ଅନ୍ତିମ ଦିନ ଖେଳ ହେବା ବେଳକୁ ଭାରତକୁ ମାତ୍ର ୪ ୱିକେଟ୍ ଏବଂ ବାଂଲାଦେଶକୁ ଆଉ ୨୪୧ ରନ୍ ଆବଶ୍ୟକ ଥିଲା। ପଞ୍ଚମ ଦିବସ ସକାଳେ କିନ୍ତୁ ମାତ୍ର ୫୦ ମିନିଟ୍ ଖେଳରେ ଭାରତ ଘରୋଇ ଦଳର ଶେଷ ୪ ୱିକେଟ୍ ବାହାର କରିନେଇଥିଲା। ମେହିଦି ହାସନ ମିରାଜଙ୍କୁ ପ୍ରଥମେ ମହମ୍ମଦ ସିରାଜ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ଏହାପରେ ବାମହାତୀ କଚଟି ସ୍ପିନର କୁଲଦୀପ ଯାଦବ ଲଗାତାର ୨ଟି ୱିକେଟ୍ ଦଖଲ କରିଥିଲେ। ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରୁଥିବା ଅଧିନାୟକ ସାକିବ୍ ଅଲ୍ ହାସନ୍ (୧୦୮ ବଲ୍ରୁ ୮୪ ରନ୍, ୬ ଚୌକା, ୬ ଛକା)ଙ୍କୁ ବୋଲ୍ଡ କରି ତାଙ୍କୁ ଶତକରୁ ବଞ୍ଚିତ ରଖିଥିଲେ କୁଲଦୀପ। ଇବାଦତ ହୋସେନଙ୍କୁ ଶ୍ରେୟସ ଆୟରଙ୍କ ହାତରେ କ୍ୟାଚ୍ କରାଇ ଏହି ଟେଷ୍ଟ୍ରେ ନିଜ ଅଷ୍ଟମ ୱିକେଟ୍ ମଧ୍ୟ ଅକ୍ତିଆର କରିଥିଲେ। ତୈଜୁଲ ଇସଲାମଙ୍କୁ ବୋଲ୍ଡ କରି ଅକ୍ଷର ପଟେଲ୍ ନିଜ ଚତୁର୍ଥ ୱିକେଟ୍ ସହ ବାଂଲାଦେଶ ଦ୍ବିତୀୟ ପାଳିକୁ ୩୨୪ ରନ୍ରେ ଶେଷ କରିଦେଇଥିଲେ। ଘରୋଇ ଦଳ ରବିବାର ୫୨ ରନ୍ ଯୋଡ଼ି ଅବଶିଷ୍ଟ ୪ ୱିକେଟ୍ ହରାଇଥିଲା। ଅଲ୍ ରାଉଣ୍ଡ୍ ପ୍ରଦର୍ଶନ ପାଇଁ ଚାଇନାମ୍ୟାନ ବୋଲର କୁଲ୍ଦୀପ ଯାଦବ (୪୦ ରନ୍, ୫/୪୦ ଓ ୩/୭୩) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। କୁଲଦୀପ ପ୍ରଥମ ପାଳିରେ ଶ୍ରେଷ୍ଠ ବୋଲିଂ (୫/୪୦) ଚିତ୍ର ପାଇଥିବା ବେଳେ ରବିବାର ମଧ୍ୟ ମ୍ୟାଚ୍ ଶ୍ରେଷ୍ଠ ଚିତ୍ର (୮/୧୧୩) ଅକ୍ତିଆର କରିଥିଲେ। କେଏଲ୍ ରାହୁଲ୍ ମଧ୍ୟ ଅଧିନାୟକ ଭାବେ ରବିବାର ପ୍ରଥମ ଟେଷ୍ଟ୍ ବିଜୟ ସଫଳତା ପାଇଛନ୍ତି। ‘କୁକାବୁରା ବଲ୍ରେ ବୋଲିଂ କରିବାକୁ ମୁଁ ଭଲ ପାଏ। ଏସ୍ଜି ବଲ୍ ତୁଳନାରେ ଏହା ମୋତେ ଭଲ ଗ୍ରିପ୍ ଓ ନିୟନ୍ତ୍ରଣ ଦେଇଥାଏ’ ବୋଲି କୁଳଦୀପ ପ୍ରକାଶ କରିଛନ୍ତି।
ରୋହିତ ଖେଳିବା ନେଇ ଅସ୍ପଷ୍ଟତା ଜାରି
ଡିସେମ୍ବର ୨୨ ତାରିଖରୁ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍ ପାଇଁ ନିୟମିତ ଅଧିନାୟକ ରୋହିତ ଶର୍ମା ଉପଲବ୍ଧ ହେବେ କି ନା ସ୍ପଷ୍ଟ ହୋଇନାହିଁ। ରବିବାର ମ୍ୟାଚ୍ ପରେ କାମଚଳା ଅଧିନାୟକ କେଏଲ୍ ରାହୁଲ୍ କହିଛନ୍ତି, ଦିନେ ଦୁଇ ଦିନ ମଧ୍ୟରେ ରୋହିତ ଉପଲବ୍ଧ ହେବେ କି ନା ସ୍ପଷ୍ଟ ହୋଇଯିବ। ସୂଚନାଯୋଗ୍ୟ, ଦିନିକିଆ ଶୃଙ୍ଖଳା ବେଳେ ଆହତ ହୋଇ ରୋହିତ ଚିକିତ୍ସା ଲାଗି ଭାରତ ଫେରିଯାଇଛନ୍ତି। ଚଟ୍ଟୋଗ୍ରାମ ଟେଷ୍ଟ୍ ବିଜୟ ସମ୍ପର୍କରେ ରାହୁଲ କହିଥିଲେ, ‘ଏହା ଦଳଗତ ପ୍ରଦର୍ଶନର ଫଳ। ବ୍ୟାଟିଂ ଓ ବୋଲିଂରେ ଭଲ କରି ଦଳ ବିଜୟୀ ହୋଇଛି। ପ୍ରଥମ ପାଳିରେ ସିରାଜ ଓ କୁଲଦୀପ ଭଲ ବୋଲିଂ କରିଥିଲେ। ଦ୍ବିତୀୟ ପାଳିରେ ଅକ୍ଷର ପଟେଲ୍, କୁଲଦୀପ ଓ ଆଶ୍ (ଅଶ୍ବିନି) ପ୍ରଭାବ ପକାଇଥିଲେ। ଅନ୍ୟମାନଙ୍କଠାରୁ ବି ଭଲ ସହଯୋଗ ମିଳିଥିଲା। ଟେଷ୍ଟ କ୍ରିକେଟରେ କେବେ ବି ବିଜୟ ସହଜରେ ମିଳେନାହିଁ। ବ୍ୟକ୍ତିଗତ ନୁହେଁ, ଦଳଗତ ଆଭିମୁଖ୍ୟ ଆମ ଦଳର ସଂସ୍କୃତି। ଯେଉଁ ପିଚ୍ରେ ବୋଲରଙ୍କୁ ସହାୟତା ମିଳୁନଥିଲା ସେଠାରେ କୁଲଦୀପ ଦଳ ପାଇଁ ସମ୍ପତ୍ତି ଭଳି ପ୍ରମାଣିତ କରିଥିଲେ ବୋଲି ରାହୁଲ ପ୍ରକାଶ କରିଥିଲେ। ଦିନିକିଆ ଶୃଙ୍ଖଳାକୁ ଦଳ ୧-୨ରେ ହାରିବା ନିରାଶାଜନକ ବୋଲି ରାହୁଲ ସ୍ବୀକାର କରିଥିଲେ।