ବିଶାଖାପାଟଣା: ଆଇସିସି  ଦିନିକିଆ ପୁରୁଷ ବିଶ୍ବକପ୍‌-୨୦୨୩ ପରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ରୋମାଞ୍ଚକର ହୋଇଛି। ଭାରତ ଏହି ମ୍ୟାଚ୍‌କୁ ୨ ୱିକେଟ୍‌ରେ ବିଜୟ ହାସଲ କରିଛି। ବିଶାଖାପାଟଣାର ଡ. ୱାଇଏସ୍‌ ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ କ୍ରିକେଟ୍‌ ଷ୍ଟାଡିୟମରେ ଭାରତୀୟ ଟିମ୍‌ ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଷନଙ୍କ ଅର୍ଦ୍ଧଶତକ ବଳରେ ୨୦୯ ରନ୍‌ର ବିଜୟ ଲକ୍ଷ୍ୟକୁ ୧୯.୫ ଓଭରରେ ପୂରା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ ଟିମ୍‌ ୮ଟି ୱିକେଟ୍‌ ହରାଇ ୨୦୯ ରନ୍‌ ସଂଗ୍ରହ କରି ଏହି ମ୍ୟାଚ୍‌ ଜିତିଛି। ୫ଟି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପରବର୍ତ୍ତୀ ମ୍ୟାଚ୍‌ ଆସନ୍ତା ୨୬ ତାରିଖରେ କେରଳର ତିରୁଅନନ୍ତପୁରମରେ ଖେଳାଯିବ।

Advertisment

publive-image

ଭାରତର ପାଳି ଆରମ୍ଭ କରିଥିଲେ ଯଶସ୍ବୀ ଜୟସ୍ବାଲ ଓ ଋତୁରାଜ ଗାଏକ୍ବାର୍ଡ। ଜୟସ୍ବାଲ ୮ଟି ବଲ୍‌ ଖେଳି ୨ଟି ଚୌକା ଓ ୨ଟି ଛକା ବଳରେ ୨୧ ରନ୍‌ ସଂଗ୍ରହ କରିଥିଲେ। ଈଶାନ କିଶନଙ୍କ ବ୍ୟାଟରୁ ୨ଟି ଚୌକା ଓ ୫ଟି ଛକା ବଳରେ ୫୮ ରନ୍‌ ଅମଳ ହୋଇଥିଲା। ସେ ୩୯ଟି ବଲ୍‌ ସାମ୍ନା କରିଥିଲେ। ସୂର୍ଯ୍ୟକୁମାର ଯାଦବ ୪୨ଟି ବଲ୍‌ ଖେଳି ୯ଟି ଚୌକା ଓ ୪ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୮୦ ରନ୍‌ ସଂଗ୍ରହ କରିଥିଲେ। ତିଲକ ବର୍ମା ୧୨ ଓ ରିଙ୍କୁ ସିଂ ଅପରାଜିତ ୨୮ ରନ୍‌ ସଂଗ୍ରହ କରିଥିଲେ। ସେ ୧୫ଟି ବଲ୍‌ ଖେଳି ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଦ୍ରୁତ ଗତିରେ ରନ ସଂଗ୍ରହ କରିବା  ଆରମ୍ଭ କରିଥିଲା। ତେବେ ମାଥ୍ୟୁ ସର୍ଟ ମାତ୍ର ୧୩ ରନ କରି ଆଉଟ ହେବା ପରେ ଆସିଥିଲେ ଜସ୍ ଇଂଗଲିସ୍। ଷ୍ଟିଭେନ ସ୍ମିଥଙ୍କ ସହ ମିଶି ସେ ବିସ୍ଫୋରକ ବ୍ୟାଟିଂ କରିବା ସହ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ। ଇଂଗଲିସ୍ ମାତ୍ର ୫୦ଟି ବଲରୁ ୧୧୦ ରନ ସଂଗ୍ରହ କରିଥିଲେ। ନିଜର ଏହି ଇନିଂସରେ ସେ ୮ଟି ଛକା ଓ ୧୧ଟି ଚୌକା ମାରିଥିଲେ। ସ୍ମିଥ ୪୧ଟି ବଲ ଖେଳି ୫୨ରନ କରିଥିଲେ। ଟିମ୍ ଡେଭିଡ୍ ୧୯ ରନ କରିଥିଲେ। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୦୮ ରନ କରିଥିଲା। ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।