ବେଙ୍ଗାଲୁରୁ: ଯୁବ ବ୍ୟାଟର ଶ୍ରେୟସ ଆୟରଙ୍କ ପରେ ବୋଲରଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ମୁକାବିଲାକୁ ଭାରତୀୟ ଟିମ୍‌ ୬ ରନ୍‌ରେ ଜିତିଛି। ବେଙ୍ଗାଲୁରୁସ୍ଥିତ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ରବିବାର ଭାରତୀୟ ଟିମ୍‌ ପକ୍ଷରୁ ମିଳିଥିବା ୧୬୧ ରନ୍‌ର ବିଜୟ ଲକ୍ଷ୍ୟକୁ କଙ୍ଗାରୁ ଦଳ ୨୦ ଓଭରରେ ୮ଟି ୱିକେଟ୍‌ ବିନିମୟରେ ୧୫୪ ରନ୍‌ ସଂଗ୍ରହ କରିପାରିଛି। ଏହି ମ୍ୟାଚରେ ଯୁବ ବୋଲର ମୁକେଶ କୁମାର ୩ଟି ୱିକେଟ୍‌ ନେଇଛନ୍ତି। ଅର୍ଶଦୀପ ସିଂହ ଓ ରବି ବିଷ୍ଣୋଇଙ୍କୁ ୨ଟି ଲେଖାଏଁ ୱିକେଟ୍‌ ମିଳିଥିବା ବେଳେ ଅକ୍ଷର ପଟେଲ ଗୋଟିଏ ୱିକେଟ୍‌ ନେଇଥିଲେ। ଏଥି ସହିତ ଭାରତୀୟ ଶୃଙ୍ଖଳାକୁ ୪-୧ରେ ଜିତିଛି।

Advertisment

publive-image

ଶେଷ ଟି-୨୦ ରୋମାଞ୍ଚକର ହୋଇଛି। ଶେଷ ଓଭରରେ ଅଷ୍ଟ୍ରେଲିଆକୁ ୧୦ ରନ୍‌ର ଆବଶ୍ୟକତା ଥିବା ବେଳେ ମାତ୍ର ୩ ରନ୍‌ ସଂଗ୍ରହ କରିପାରିଛି। କଙ୍ଗାରୁ ଦଳ ପାଇଁ ବେନ୍‌ ମ୍ୟାକଡର୍ମଟ ସର୍ବାଧିକ ୫୪ ରନ୍‌ ସଂଗ୍ରହ କରିଥିଲେ। ସେ ୩୬ଟି ବଲ୍‌ ଖେଳି ୫ଟି ଚୌକା ମାରିଥିଲେ। ଟ୍ରାଭିସ୍‌ ହେଡ୍‌ ୨୮ ଓ ମାଥ୍ୟୁ ୨୨ ରନ୍‌ କରିଥିଲେ। ସେହିପରି  ୱେଡ୍‌ ଟିମ୍‌ ଡାଭିଡ ୧୭ ଓ ମାଥ୍ୟୁ ସର୍ଟ ୧୬ ରନ୍‌ ‌ଯୋଡ଼ିଥିଲେ।

ଟସ୍‌ ଜିଣି କଙ୍ଗାରୁ ଦଳ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୬୦ ରନ୍‌ ସଂଗ୍ରହ କରିଥିଲା। ଭାରତ ପାଇଁ ଯଶସ୍ବୀ ଜୟସ୍ବାଲ ଓ ଋତୁରାଜ ଗାଏକ୍ବାଡ ପାଳି ଆରମ୍ଭ କରିଥିଲେ। ଜୟସ୍ବାଲ ବ୍ୟକ୍ତିଗତ ଭାବେ ୧୫ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ୨ଟି ଛକା ବଳରେ ୨୧ ରନ୍‌ ସଂଗ୍ରହ କରି କଙ୍ଗାରୁ ଦଳର ପ୍ରଥମ ଶିକାର ହୋଇଥିଲେ। ଏହା ପରେ ତାଙ୍କ ସ୍ଥାନ ପୂରଣ କରିବାକୁ ଶ୍ରେୟସ ଆୟର କ୍ରିଜ୍‌କୁ ଆସିଥିଲେ। ସେ ୩୭ଟି ବଲ୍‌ ଖେଳି ୫ଟି ଚୌକା ଓ ୨ଟି ଛକା ବଳରେ ୫୩ ରନ୍‌ ସଂଗ୍ରହ କରିଥିଲେ।

publive-image

ସେହିପରି ଅଲରାଉଣ୍ଡର ଅକ୍ଷର ପଟେଲ ୩୧, ଜିତେଶ ଶର୍ମା ୨୪ ଓ ଋତୁରାଜ ଗାଏକ୍ବାଡ ୧୦ ରନ୍‌ ସଂଗ୍ରହ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ରିଙ୍କୁ ସିଂହଙ୍କ ବ୍ୟାଟ୍‌ ଚାଲି ନଥିଲା। ଉଭୟ ବ୍ୟାଟର ଯଥାକ୍ରମେ ୫ ଓ ୬ ରନ୍‌ କରିଥିଲେ। ରବି ବିଷ୍ଣୋଇ ଓ ଅର୍ଶଦୀପ ସିଂହ ଅପରାଜିତ ରହି ୨-୨ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜାସନ୍ ବେହେରନଡର୍ଫ ଓ ବେନ୍ ଡ୍ବାରସୁଇସ୍‌ଙ୍କୁ ୨-୨ ୱିକେଟ ମିଳିଥିଲା। ସେହିପରି ଆରୋନ୍ ହାର୍ଡି, ନାଥନ୍ ଏଲିସ୍ ଓ ତନବୀର ସାଙ୍ଗା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।