ଭାରତର ୧୦୦୦ତମ ଦିନିକିଆରେ ଓ୍ଵେଷ୍ଟଇଣ୍ଡିଜ୍‌ର ଶୋଚନୀୟ ପରାଜୟ, ୬ ଓ୍ଵିକେଟରେ ଜିତିଲା ଟିମ୍‌ ଇଣ୍ଡିଆ

ଅହମଦାବାଦ୍‌: ଭାରତ ଆଜି ନିଜର ୧୦୦୦ତମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌କୁ ସହଜରେ ଜିତିଛି। ଅତିଥି ୱେଷ୍ଟଇଣ୍ଡିଜ୍‌ ଟିମ୍‌କୁ ୬ ୱିକେଟ୍‌ରେ ପରାସ୍ତ କରିଛି। ରୋହିତ୍ ଶର୍ମାଙ୍କ ଅର୍ଦ୍ଧଶତକ ଓ ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡାଙ୍କ ଉପଯୋଗୀ ଇଂନିସ ବଳରେ ଭାରତ ପ୍ରଥମ ଦିନିକିଆ ଜତିବା ସହିତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି। ଅହମଦାବାଦ୍‌ର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଭାରତୀୟ ଓପନର ରୋହିତ୍ ଶର୍ମା ଓ ଈଶାନ୍‌ କିଶନ୍ ଚମତ୍କାର ବ୍ୟାଟିଂ ଆରମ୍ଭ କରି କରି ପ୍ରଥମ ଓ୍ଵିକେଟରେ ୧୩.୧ ଓଭରରେ ୮୪ ରନ୍ ଯୋଡ଼ିଥିଲେ।

ରୋହିତ୍ ଶର୍ମା ଏକ ଆକର୍ଷଣୀୟ ଇଂନିସ ଖେଳି ୫୧ଟି ବଲ୍‌ରୁ ୧୦ଟି ଚୌକା ଓ ଗୋଟିଏ ଛକା ସହ ୬୦ ରନ୍ କରି ଆଲଜାରି ଜୋସେଫଙ୍କ ବଲରେ ୧୩.୧ ଓଭରରେ ଆଉଟ ହୋଇଥିଲେ। ଏହାପରେ ଜୋସେଫଙ୍କ ସେହି ଓଭରରେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସି କ୍ରମାଗତ ୨ଟି ବଲରେ ୨ଟି ଚୌକା ମାରିଥିଲେ। ଏହାର ପରବର୍ତ୍ତୀ ବଲ୍ ଓ୍ଵାଇଡ୍ ହୋଇଥିଲା। ୧୩.୪ ଓଭରରେ କୌଣସି ରନ ହୋଇ ନଥିଲା। ୧୩.୫ ଓଭରରରେ ବିରାଟ କୋହଲି ଆଲଜାରି ଜୋସେଫଙ୍କ ବଲରେ ୮ ରନ୍ କରି କେମାର ରୋଚଙ୍କ ଦ୍ଵାରା କ୍ୟାଚ୍ ଆଉଟ୍ ହୋଇଥିଲେ।

୧୧୫ ରନ୍‌ର ସ୍କୋରରେ ଭାରତର ତୃତୀୟ ବ୍ୟାଟର୍ ଭାବେ ଈଶାନ୍ କିଶନ୍ ୩୬ଟି ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ସହ ୨୮ ରନ୍ କରି ଆଉଟ୍ ହୋଇଥିଲେ। ସ୍କୋର ୧୧୬ରେ ଋଷଭ୍ ପନ୍ତ୍ ୧୧ ରନ୍ କରି ଆଉଟ୍ ହୋଇଥିଲେ। ୧୧୬ ରନରେ ୪ଟି ଓ୍ଵିକେଟର ପତନ ପରେ ଭାରତ ଟିକେ ଅସୁବିଧାର ସମ୍ମୁଖୀନ ହୋଇଥିଲା। ତେବେ ସୂର୍ଯ୍ୟକୁମାର ଯାଦବ ଓ ଦିନିକିଆରେ ପଦାର୍ପଣ କରିଥିବା ଦୀପକ ହୁଡା ଆଉ ଓ୍ଵିକେଟ୍ ପଡିବାକୁ ନଦେଇ ୨୮ ଅଭରରେ ଭାରତର ସ୍କୋରକୁ ୧୭୮ ପହଞ୍ଚାଇ ପାରିଥିଲେ। ସୂର୍ଯ୍ୟକୁମାର ଯାଦବ ୩୬ଟି ବଲ୍ ଖେଳି ୫ଟି ଚୌକା ସହ ୪୨ ରନ୍ ଓ ଦୀପକ ହୁଡା ୩୨ଟି ବଲ୍ ଖେଳି ୨ଟି ଚୌକା ସହ ୨୬ ରନ କରି ଅପରାଜିତ ରହିଥିଲେ। ଏ ଦୁହେଁ ପଞ୍ଚମ ଓ୍ଵିକେଟରେ ୬୨ ରନ ଯୋଗ କରିଥିଲେ।

ଓ୍ଵେଷ୍ଟଇଣ୍ଡିଜ୍ ତରଫରୁ ଆଲଜାରି ଜୋସେଫ୍ ୨ଟି ଓ ଆକିଲ୍ ହୋସେନ୍ ଗୋଟିଏ ଓ୍ଵିକେଟ୍ ଅକ୍ତିଆର କରିଥିଲେ। ଏହି ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ସମସ୍ତ ମ୍ୟାଚ୍‌ ଅହମଦାବାଦରେ ଖେଳାଯିବ। ଦ୍ଵିତୀୟ ମୁକାବିଲା ଫେବ୍ରୁଆରି ୮ରେ ଖେଳାଯିବ। ଭାରତ ଚଳିତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି।

ସମ୍ବନ୍ଧିତ ଖବର