ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୩ୟ ତଥା ଶେଷ ଦିନିକିଆରେ ବିରାଟ ବାହିନୀ୍ ଦମ୍ଦାର ପ୍ରଦର୍ଶନ କରିଛି। ଭାରତୀୟ କ୍ରିକେଟରମାନେ ରବିବାର ଇଂଲଣ୍ଡକୁ ୭ ରନ୍ରେ ପରାସ୍ତ କରି ନିଜର ପ୍ରଶଂସକମାନଙ୍କୁ ହୋଲି ଉପହାର ଦେଇଛନ୍ତି। ଭାରତୀୟ ବ୍ୟାଟ୍ସମ୍ୟାନ୍ ଓ ବୋଲରମାନେ ‘କର ବା ମର’ ମୁକାବିଲାରେ ରଣନୀତି ମୁତାବକ ପ୍ରଦର୍ଶନ କରିଛନ୍ତି। ଏଥି ସହିତ ଇଂଲଣ୍ଡ ବିରୋଧରେ ଭାରତ ୩ ମ୍ୟାଚର ସିରିଜକୁ ୨-୧ରେ ଜିତିନେଇଛି। ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ୍ ହରାଇ ୩୨୨ ରନ୍ ସଂଗ୍ରହ କରିଛି।
ଇଂଲଣ୍ଡ ପକ୍ଷରୁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ ସାମ୍ କରନ୍(ଅପରାଜିତ ୯୫ ରନ୍, ୮୩ ବଲ୍, ୯ ଚୌକା, ୩ ଛକା) । ସେ ଇଂଲଣ୍ଡକୁ ଯେତେବେଳେ ୨୪ ବଲ୍ରେ ୨୧ ରନ୍ ଦରକାର ଥିଲା, ସେହି ସମୟ ଠାରୁ ଲଢ଼େଇ ଜାରି ରଖିଥିଲେ। ସେ ମାର୍କ ଉଡ୍ଙ୍କ ସହିତ ୯ମ ୱିକେଟ୍ରେ ୬୦ ରନ୍ କରିଥିଲେ। ସେହିପିର ଡାଓ୍ୱିଡ୍ ମଲାନ୍ ୫୦ ରନ୍ ସଂଗ୍ରହ କରିଥିଲେ। ଏହି ଇନିଂସରେ ସେ ବ୍ୟକ୍ତିଗତ ଭାବେ ୫୦ଟି ବଲ୍ ଖେଳି ୬ଟି ଚୌକା ମାରିଥିଲେ। ଲିୟମ୍ ଲିଭିଂଷ୍ଟୋନ୍ ୩୧ଟି ବଲ୍ ଖେଳି ୩୬ ରନ୍, ବେନ୍ ଷ୍ଟୋକ୍ସ ୩୫ ରନ୍, ମୋଇନ୍ ଅଲି ୨୯ ରନ୍, ଆଦିଲ ରସିଦ୍ ୧୯ ରନ୍, ଜୋସ୍ ବଟଲର ୧୫ ରନ୍, ଜେସନ୍ ରୟ ୧୪ ରନ୍ ଓ ମାର୍କ ଉଡ୍ ୧୪ ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୪ଟି ୱିକେଟ୍ ନେଇଥିଲେ। ସେହିପରି ଭୁବନେଶ୍ବର କୁମାରଙ୍କ ହାତରେ ୩ ଜଣ ଓ ଟି ନଟରାଜନ୍ଙ୍କ ହାତରେ ଜଣେ ଇଂଲଣ୍ଡ ଖେଳାଳି ଆଉଟ୍ ହୋଇଥିଲେ।
/sambad/media/post_attachments/wp-content/uploads/2021/03/Exj5mM-UcAMh7kI-1024x683.jpg)
ପୁଣେସ୍ଥିତ ମହାରାଷ୍ଟ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଭାରତ ୪୮.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୩୨୯ ରନ୍ ସଂଗ୍ରହ କରିବା ପରେ ଟିମ୍ ଇଣ୍ଡିଆ ଅତିଥି ଟିମକୁ ୩୩୦ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା।
ବିରାଟ କୋହଲିଙ୍କ ନେତୃତ୍ବରେ ଭାରତର ଇନିଂସ ଆରମ୍ଭ କରିଥିଲେ ରୋହିତ ଶର୍ମା ଓ ଶିଖର ଧୱନ୍। ରୋହିତ୍ ୩୭ଟି ବଲ ଖେଳି ୬ଟି ଚୌକା ସହ ୩୭ରନ୍ ସଂଗ୍ରହ କରିଥିବା ବେଳେ ଧୱନ୍ ୫୬ଟି ବଲ୍ ଖେଳି ୬୭ ରନ୍ ସଂଗ୍ରହ କରିଥିଲେ। ଧୱନ୍ ୧୦ଟି ଚୌକା ମାରିଥିଲେ। ଉଭୟ ରୋହିତ ଓ ଧୱନଙ୍କୁ ଆଦିଲ ରସିଦ୍ ଆଉଟ୍ କରିଥିଲେ। ଅଧିନାୟକ ବିରାଟ କୋହଲି ୧୦ଟି ବଲ୍ ଖେଳି ଶସ୍ତାରେ ଆଉଟ୍ ହୋଇଥିଲେ। ସେ ମାତ୍ର ୭ ରନ୍ ସଂଗ୍ରହ କରି ପାଭଲିଅନକୁ ଫେରି ଯାଇଥିଲେ। କୋହଲିଙ୍କ ଭଳି ଯୁବ ବ୍ୟାଟ୍ସମ୍ୟାନ୍ କେ ଏଲ୍ ରାହୁଲ ମଧ୍ୟ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ରାହୁଲ ୧୮ଟି ବଲ୍ ଖେଳି ମାତ୍ର ୭ ରନ୍ କରିବାକୁ ସକ୍ଷମ ହୋଇଥିଲେ।
କୋହଲି ଆଉଟ୍ ହୋଇଯିବା ପରେ ଟିମ୍ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ଇନିଂସ ସମ୍ଭାଳି ଥିଲେ। ପନ୍ତ ୬୨ଟି ବଲ୍ ଖେଳି ୭୮ ରନ୍ ଯୋଡ଼ିଥିଲେ। ଏଥିରେ ୫ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ଜୋସ୍ ବଟଲରଙ୍କ ବଲ୍ ସାମ୍ କରନଙ୍କୁ କ୍ୟାଚ୍ ଦେଇ ପନ୍ତ ଆଉଟ୍ ହୋଇଥିଲେ। ସେହିପରି ପାଣ୍ଡ୍ୟାଙ୍କ ବ୍ୟାଟରୁ ଭାରତକୁ ୬୪ ରନ୍ ମିଳିଥିଲା। ସେ ୪୪ଟି ବଲ ଖେଳି ୫ଟି ଚୌକା ଓ ୪ଟି ଛକା ମାରିଥିଲେ। ବେନ୍ ଷ୍ଟୋକ୍ସଙ୍କ ବଲରେ ପାଣ୍ଡ୍ୟା ଆଉଟ୍ ହୋଇଥିଲେ।
କ୍ରୁଣାଳ ପାଣ୍ଡ୍ୟା ୨୫ ରନ୍, ଶାର୍ଦ୍ଦୁଲ ଠାକୁର ୩୦ ରନ୍, ଭୁବନେଶ୍ବର କୁମାର ୩ ରନ୍ କରିଥିଲେ। ଇଂଲଣ୍ଡର ମାର୍କ ଉଡ୍ ୩ଟି ୱିକେଟ ନେଇଥିବା ବେଳେ ଆଦିଲ ରସିଦଙ୍କୁ ୨ଟି ୱିକେଟ ମିଳିଥିଲା। ସେହିପରି ସାମ୍ କରନ୍, ରେସେ ଟପ୍ଲେ ଓ ବେନ୍ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।