ପ୍ରଥମ ଦିନିକିଆ: ଶ୍ରୀଲଙ୍କା ବିପକ୍ଷରେ ଚମକିଲା ଭାରତ, ୭ ୱିକେଟରେ ବିଜୟୀ

ଶିଖର ଧୱନ, ଈଷନ କିଷନଙ୍କ ଅର୍ଦ୍ଧଶତକ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତ ସଫଳତାର ସହିତ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି । ଶ୍ରୀଲଙ୍କା ଗସ୍ତରେ ଅଧିନାୟକ ଶିଖର ଧୱନ୍ (ଅପରାଜିତ ୮୬ ରନ୍, ୯୫ ବଲ, ୬ ଚୌକା ଓ ୧ ଛକା), ଯୁବ କ୍ରିକେଟର ଈଷନ କିଷନ (୫୯ ରନ୍) ଓ ପୃଥ୍ୱୀ ସ(୪୩ ରନ୍)’ଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ୩ଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଶ୍ରୀଲଙ୍କାକୁ ୭ ୱିକେଟ୍ରେ ପରାସ୍ତ କରିଛି । କଲମ୍ବୋସ୍ଥିତ ଆର୍ ପ୍ରେମ୍ଦାସା ଷ୍ଟାଡିୟମ୍ରେ ଆୟୋଜକ ଶ୍ରୀଲଙ୍କା ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ ହରାଇ ୨୬୨ ରନ୍ କରିଥିଲା ।

ଭାରତ ୨ୟ ଇନିଂସରେ ୨୬୩ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା । ଟିମ୍ ୩୬.୪ ଓଭରରେ ୩ଟି ୱିକେଟ ହରାଇ ୨୬୩ ରନ୍ ସଂଗ୍ରହ କରିଥିଲା । ଯୁବ କ୍ରିକେଟର ପୃଥ୍ୱୀ ସ’ ଏବଂ ଶିଖର ଧ୍ୱାଓନ ଭାରତର ପାଳି ଆରମ୍ଭ କରିଥିଲେ । ଉଭୟ ଖେଳାଳି ପ୍ରଥମ ୱିକେଟରେ ୫୮ ରନ୍ ସଂଗ୍ରହ କରିଥିଲେ । ପୃଥ୍ୱୀ ଆଉଟ୍ ହୋଇ ପାଭଲିଅନ୍ ଫେରିବା ପୂର୍ବରୁ ୪୩ ରନ୍ ସଂଗ୍ରହ କରିଥିଲେ । ନିଜର ଏହି ବିସ୍ଫୋରକ ବ୍ୟାଟିଂ ବଳରେ ସେ ୨୪ଟି ବଲ ଖେଳି ୯ଟି ଚୌକା ମାରିଥିଲେ ।

ପୃଥ୍ୱୀ ପଡ଼ିଆରୁ ବିଦାୟ ନେବା ପରେ ଈଷନ କିଷନ ବ୍ୟାଟିଂ କରିବାକୁ ଆସିଥିଲେ । ସେ ଦ୍ୱିତୀୟ ୱିକେଟରେ ଧୱନଙ୍କ ସହିତ ୮୫ ରନ୍ର ଭାଗିଦାରୀ ହୋଇପାରିଥିଲେ । ୪୨ଟି ବଲର ସମ୍ମୁଖୀନ ହୋଇ ୮ଟି ଚୌକା ଓ ୨ଟି ଛକା ବଳରେ ୫୯ରନ୍ ସଂଗ୍ରହ କରିଥିଲେ । ଭାରତ ୩ୟ ୱିକେଟ ଭାବେ ମନୀଷ ପାଣ୍ଡେ(୨୬ ରନ୍)ଙ୍କୁ ହରାଇଥିଲା । ସୂର୍ଯ୍ୟକୁମାର ଯାଦବ ଅପରାଜିତ ୩୧ ରନ୍ କରିଥିଲେ ।

ଶିଖର ଧୱନଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଆଜି ଭଲ ବୋଲିଂ କରିଥିଲା । ଦଳରେ ଏକାଧିକ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଶ୍ରୀଲଙ୍କାକୁ ୨୬୨ ରନ୍ରେ ଅଟକାଇପାରିଥିଲା । ଦୀପକ ଚହର, ୟୁଜବେନ୍ଦ୍ର ଚହଲ ଓ କୁଳଦୀପ ଯାଦବଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁଣାଳ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଅଭିଶିକା ଫର୍ଣ୍ଣାଡୋଜ୍ ଓ ମିନୋଦ୍ ଭାନୁକା ଶ୍ରୀଲଙ୍କାର ଇନିଂସ ଆରମ୍ଭ କରିଥିଲେ । ଉଭୟ ଓପନର ପ୍ରଥମ ୱିକେଟରେ ୪୯ ରନ୍ କରିଥିଲେ । ଅଭିଶିକା ଫର୍ଣ୍ଣାଡୋଜ୍ ୩୫ଟି ବଲ୍ ସମ୍ମୁଖୀନ ହୋଇ ୩୨ ରନ୍ ସଂଗ୍ରହ କରିଥିଲେ । ସେ ୟୁଜବେନ୍ଦ୍ର ଚହଲଙ୍କ ବଲ ମନୀଷ ପାଣ୍ଡେଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ । ସେହିପିର ତାଙ୍କର ସାଥୀ ଖେଳାଳି ମିନୋଦ ୪୪ଟି ବଲ ଖେଳି ଦଳ ପାଇଁ ୨୭ ରନ୍ର ଯୋଗଦାନ ଦେଇଥିଲେ । କୁଳଦୀପ ଯାଦଙ୍କ ବଲ ପୃଥ୍ୱୀ ସ’ଙ୍କୁ କ୍ୟାଚ ଦେଇ ପାଭଲିଅନକୁ ଫେରିଥିଲେ । ଶ୍ରୀଲଙ୍କା ୮୫ ରନ୍ରେ ନିଜର ୨ୟ ୱିକେଟ୍ ହରାଇଥିଲା ।

ଶ୍ରୀଲଙ୍କା ପାଇଁ ଆଜି ଚାମିକା କରୁଣାରତ୍ନେ ସର୍ବାଧିକ ୪୩ (ଅପରାଜିତ) ରନ୍ ଯୋଡ଼ିଥିଲେ । ସେ ୩୫ଟି ବଲ୍ର ସମ୍ମୁଖୀନ ହୋଇ ଗୋଟିଏ ଚୌକା ଏବଂ ୨ଟି ଛକା ବଳରେ ଏହି ରନ୍ ସଂଗ୍ରହ କରିଥିଲେ । ସେହିପରି ଚରିଥ ଆସଲଙ୍କାଙ୍କ ୩୮ ରନ୍, ଦାସୁନ ଶନଙ୍କାଙ୍କ ୩୯ ରନ୍ ଓ ଭାନୁକା ରାଜପକ୍ଷେଙ୍କ ୨୪ ରନ୍ ବଳରେ ଶ୍ରୀଲଙ୍କାର ସ୍କୋର ୨୬୨ ରନରେ ପହଂଚିଥିଲା ।

ସମ୍ବନ୍ଧିତ ଖବର