ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଭାରତ ୨-୧ରେ ଜିତିଛି । ସ୍ଥାନୀୟ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ଅନ୍ତିମ ଦିନିକିଆରେ ଭାରତୀୟ ବ୍ୟାଟସ୍ମ୍ୟାନ୍ମାନେ ଦମଦାର ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆକୁ ପରାଜିତ କରିଛି ବିରାଟ ବାହିନୀ । ଓପନର ରୋହିତ ଶର୍ମା (୧୧୯ ରନ୍, ୧୨୮ ବଲ, ୮ ଚୌକା, ୬ ଛକା) ଓ ଅଧିନାୟକ ବିରାଟ କୋହଲି (୮୯ ରନ୍, ୯୧ ବଲ, ୮ ଚୌକା) ବିସ୍ଫୋରକ ବ୍ୟାଟିଂ କରି ଦର୍ଶକଙ୍କ ମନ ଜିଣିବା ସହ ଅଷ୍ଟ୍ରେଲିଆକୁ ଧୂଳି ଚଟାଇଛନ୍ତି । ହିଟ୍ ମ୍ୟାନ୍ ରୋହିତ ପ୍ରଥମେ ଶତକ ହାସଲ କରି ଟିମ୍ ଇଣ୍ଡିଆର ସ୍କୋରକୁ ମଜବୁତ ସ୍ଥିତିକୁ ପହଞ୍ଚାଇ ଆଉଟ୍ ହୋଇଯିବା ପରେ କୋହଲି ଓ ଯୁବ ବ୍ୟାଟସ୍ମ୍ୟାନ ଶ୍ରେୟସ ଆୟର ପରବର୍ତ୍ତୀ କାମ କରିଛନ୍ତି। ଦ୍ୱିତୀୟ ଇନିଂସରେ ଭାରତ ୪୭.୩ ଓଭରରେ ମାତ୍ର ୩ଟି ଓ୍ଵିକେଟ ହରାଇ ୨୮୯ ରନ୍ କରି ତୃତୀୟ ତଥା ଅନ୍ତିମ ଦିନିକିଆକୁ ଜିତିଛି।
ଟସ୍ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଏବଂ ୫୦ ଓଭରରେ ୯ଟି ଓ୍ଵିକେଟ୍ ହରାଇ ୨୮୬ ରନ୍ କରିବା ପରେ ଭାରତକୁ ବିଜୟ ପାଇଁ ୨୮୭ ରନ୍ ଲକ୍ଷ୍ୟ ମିଳିଥିଲା। ସୂଚନାଯୋଗ୍ୟ, ମୁମ୍ବାଇ ଦିନିକିଆରେ ଅଷ୍ଟ୍ରେଲିଆ ୧୦ ଓ୍ଵିକେଟରେ ବିଜୟ ହୋଇଥିଲା। ଭାରତ ଦ୍ୱିତୀୟ ଦିନିକିଆକୁ ୩୬ ରନ୍ରେ ଜିତି ଶୃଙ୍ଖଳାକୁ ଫେରିଥିଲା।
ଆରମ୍ଭରୁ ଭାରତୀୟ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ (୧୯ ରନ୍, ୨୭ ବଲ, ୨ ଚୌକା) ବିସ୍ଫୋରକ ବ୍ୟାଟିଂ କରିଥିଲେ। ରାହୁଲ ମନ୍ଥର ଗତିରେ ଆଗକୁ ବଢୁଥିବା ବେଳେ ରୋହତି ଦ୍ରୁତ ଗତିରେ ରନ୍ ହାସଲ କରୁଥିଲେ। ଭାରତ ପ୍ରଥମ ଓ୍ଵିକେଟ ଭାବେ ୧୨.୩ ଓଭରରେ ଲୋକେଶ ରାହୁଲଙ୍କୁ ହରାଇଥିଲା। ଆଷ୍ଟନ ଆଗରଙ୍କ ବଲ୍ରେ ଏଲବିଡବ୍ଲ୍ୟୁ ହୋଇ ରାହୁଲ ପାଭଲିଅନ୍ ଫେରିଥିଲେ।
ଦ୍ୱିତୀୟ ଓ୍ଵିକେଟରେ ହିଟ୍ମ୍ୟାନ୍ ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲିଙ୍କ ୧୩୭ ରନ୍ ଭାଗିଦାରୀ ଦଳର ରନ୍କୁ ଏକ ମଜବୁତ୍ ସ୍ତରକୁ ନେଇଯାଇଥିଲେ। ୩୬.୪ ଓଭରରେ ଆଦାମ ଜାମ୍ପାଙ୍କ ବଲରେ ମିଚେଲ ଷ୍ଟାର୍କଙ୍କୁ କ୍ୟାଚ୍ ଦେଇ ରୋହିତ ଆଉଟ୍ ହୋଇଥିଲେ। ଭାରତୀୟ ଦଳର ବିଜୟ ସମୟରେ କ୍ରିଜରେ ଶ୍ରେୟସ ଆୟାର ୪୪ ରନ୍ କରି ଅପରାଜିତ ଥିବା ବେଳେ ମନୀଷ ପାଣ୍ଡେ ମଧ୍ୟ ୮ରନ୍ କରି ଅପରାଜିତ ରହିଥିଲେ।
ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ଓ୍ଵିକେଟ୍ ହରାଇ ୨୮୬ ରନ୍ କରିଥିଲା। ଏଥିରେ ଟିମ୍ର ଅଭିଜ୍ଞ ବ୍ୟାଟସ୍ମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ ଶତକ (୧୩୧ ରନ୍, ୧୩୨ ବଲ, ୧୪ ଚୌକା ଓ ୧ ଛକା) ଓ ମାର୍ନସ ଲବୁସାନେ(୫୪ ରନ୍, ୬୪ ବଲ, ୫ ଚୌକା)ଙ୍କ ଅର୍ଦ୍ଧଶତକ ସାମିଲ ଥିଲା।
/sambad/media/post_attachments/wp-content/uploads/2020/01/ind-aus-3rd-odi-cricket-match_2eae870a-3aac-11ea-92f9-d106e68aba9e.jpg)
ଅଷ୍ଟ୍ରେଲିଆର ସ୍କୋର ଆଜି ମନ୍ଥର ଗତିରେ ଆଗକୁ ବଢ଼ିଥିଲା। ବିସ୍ଫୋରକ ଓପନର ବ୍ୟାଟ୍ସମ୍ୟାନ ଡେଭିଡ୍ ଓ୍ଵାର୍ନର (୩ରନ, ୭ବଲ) ଓ ଅଧିନାୟକ ଆରେନ୍ ଫିଞ୍ଚ (୧୯ରନ, ୨୬ ବଲ, ୧ ଚୌକା, ୧ ଛକା) ୫୦ ରନ୍ ପୂର୍ବରୁ ପାଭଲିଅନ୍କୁ ଫେରି ଯାଇଥିଲେ। କଙ୍ଗାରୁ ଦଳ ୩.୨ ଓଭରରେ ୧୮ ରନ୍ରେ ପ୍ରଥମ ଓ୍ଵିକେଟ ଭାବେ ଓ୍ଵାର୍ନର ଓ ୮.୫ ଓଭରରେ ୪୬ ରନ୍ରେ ଦ୍ୱିତୀୟ ଓ୍ଵିକେଟ୍ ଭାବେ ଫିଞ୍ଚଙ୍କୁ ହରାଇଥିଲା।
ଭାରତୀୟ ବୋଲରଙ୍କ ଦ୍ୱାରା ଓ୍ଵାର୍ନର ଓ ଫିଞ୍ଚ ଶସ୍ତାରେ ଆଉଟ୍ ହୋଇଯିବା ପରେ ଅଷ୍ଟ୍ରେଲିଆ ଅତିରିକ୍ତ ଚାପରେ ପଡ଼ିଯାଇଥିଲା। ମାତ୍ର ତୃତୀୟ ଓ୍ଵିକେଟରେ ସ୍ମିଥ ଏବଂ ଲାବୁସାନେ ୧୧୭ ରନ୍ ଯୋଡ଼ି ଦଳର ସ୍କୋରକୁ ଭଲ ଦିଗ ଆଡ଼କୁ ନେଇଯାଇଥିଲେ। ଲାବୁସାନେ ଆଉଟ୍ ହୋଇ ପାଭଲିଅନ୍ ଫେରିଯିବା ପରେ ମିଚେଲ ଷ୍ଟାର୍କ ପଡ଼ିଆକୁ ପ୍ରବେଶ କରିଥିଲେ। ମାତ୍ର ସେ ୩ଟି ବଲ୍ ସମ୍ମୁଖୀନ ହୋଇ କୌଣସି ରନ୍ ନ କରି ଫେରି ଯାଇଥିଲେ।
/sambad/media/post_attachments/wp-content/uploads/2020/01/ravindra-jadeja_4d9263f0-3aaf-11ea-92f9-d106e68aba9e.jpg)
ଓ୍ଵିକେଟ୍ କିପର ବ୍ୟାଟସ୍ମାନ ଆଲେକ୍ସ କେରିଙ୍କ ଠାରୁ ଦର୍ଶକ ବହୁତ କିଛି ଆଶା କରିଥିଲେ। କିନ୍ତୁ କେରି ୩୬ଟି ବଲ ଖେଳି ୩୫ ରନ୍ ଦଳ ପାଇଁ ଯୋଡ଼ିଥିଲେ। ଏଥିରେ ୬ଟି ଚୌକା ସାମିଲ ଥିଲା। କେରି ଆଉଟ୍ ହେବା ବେଳକୁ ଦଳର ସ୍କୋର ୨୩୧ ରନ୍ ଥିଲା। କୁଲଦୀପ ଯାଦବଙ୍କ ବଲରେ କେରି ଆଉଟ୍ ହୋଇ ପାଭଲିଅନ୍ ଫେରିଯିବା ପରେ ତାଙ୍କ ସ୍ଥାନ ନେବା ପାଇଁ ପଡ଼ିଆକୁ ପ୍ରବେଶ କରିଥିଲେ ଆଷ୍ଟନ ଟର୍ନର।
ତେବେ ଅଷ୍ଟ୍ରେଲିଆର ସ୍କୋର ୨୩୮ ରନ୍ ଥିବା ବେଳେ ଟର୍ନର ଆଉଟ୍ ହୋଇଥିଲେ। ସେ ୧୦ଟି ବଲ ଖେଳି ୪ ରନ୍ ସଂଗ୍ରହ କରିବା ପରେ ନବଦୀପଙ୍କ ବଲରେ କେଏଲ୍ ରାହୁଲଙ୍କୁ କ୍ୟାଚ୍ ଦେଇ ପଡ଼ିଆରୁ ବିଦାୟ ନେଥିଲେ। ମାଇଲ ଖୁଣ୍ଟ ଭାବେ ଦୀର୍ଘ ସମୟ ପର୍ଯ୍ୟନ୍ତ ପଡ଼ିଆରେ ତିଷ୍ଠି ପାରିଥିବା ଷ୍ଟିଭେନ୍ ସ୍ମିଥ ୪୭.୧ ଓଭରରେ ଆଉଟ୍ ହେବା ବେଳକୁ ଅଷ୍ଟ୍ରେଲିଆର ସ୍କୋର ୨୭୩ ରନ୍ ଥିଲା। ପେଟ୍ କମିନ୍ସ କୌଣସି ରନ୍ କରି ନଥିବା ବେଳେ ଆଦାମ ଜାମ୍ପା ୧ ରନ୍ କରି ଆଉଟ୍ ହୋଇଥିଲେ।
ଭାରତୀୟ ବୋଲରମାନଙ୍କ ମଧ୍ୟରୁ ମହମ୍ମଦ ସାମି ଆଜି ପୁଣି ଚମତ୍କାର ବୋଲିଂ କରି ୪ ଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ପାଭଲିଅନ୍ ପଠାଇଥିଲେ। ରବୀନ୍ଦ୍ର ଜାଦେଜାଙ୍କୁ ୨ଟି ଓ୍ଵିକେଟ୍ ମିଳିଥିବା ବେଳେ ନଭଦୀପ ସଇନି ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।