ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ଭାରତ ବୁଧବାର ଦିନ ଆଫ୍‌ଗାନିସ୍ତାନ ବିପକ୍ଷରେ ବିରାଟ ବିଜୟ ହାସଲ କରିଛି। ଅତିଥି ଟିମ୍‌କୁ ଆୟୋଜକ ଭାରତ ୮ ୱିକେଟ୍‌ରେ ପରାସ୍ତ କରିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍‌-୨୦୨୩ରେ ଆଫଗାନିସ୍ତାନ ପକ୍ଷରୁ ମିଳିଥିବା ୨୭୩ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୩୫ ଓଭରରେ ୨ ୱିକେଟ ହରାଇ ପୂରା କରିଛି।

Advertisment

ଆଜି ଭାରତର ବିଜୟକୁ ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା ସହଜ କରି ଦେଇଥିଲେ। ସେ ୮୪ଟି ବଲ୍‌ ଖେଳି ୧୬ଟି ଚୌକା ଓ ୫ଟି ଛକା ସହିତ ବ୍ୟକ୍ତିଗତ ଭାବେ ୧୩୧ ରନ୍‌ ସଂଗ୍ରହ କରିଥିଲେ। ଏଥି ସହିତ ରୋହିତ ବିଶ୍ବକପ୍‌ ଇତିହାସରେ ସର୍ବାଧିକ ୭ଟି ଶତକ ପୂରା କରିଥିଲେ। ତାଙ୍କ ପରେ ବିଶ୍ବ ପ୍ରସିଦ୍ଧ କ୍ରିକେଟର ସଚିନ ତେନ୍ଦୁଲକର ୬ଟି ଶତକ ମାରିଛନ୍ତି। କେବଳ ଏତିକି ନୁହେଁ ବିଶ୍ବକପରେ ରୋହିତ ୧ ହଜାର ରନ୍‌ ପୂରା କରିଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା (୫୫୬) ମାରିବାରେ ରେକର୍ଡ କରିଥିଲେ।

ରୋହିତଙ୍କ ବ୍ୟତୀତ ଭାରତର ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର ଈଶାନ କିଶନ ବ୍ୟକ୍ତିଗତ ଭାବେ ୪୭ ରନ୍‌ ଯୋଗଦାନ ଦେଇଥିଲେ। ସେ ୪୭ଟି ବଲ୍‌ ଖେଳି ୫ଟି ଚୌକା ଓ ୨ଟି ଛକା ମାରିଥିଲେ। ଭାରତର ପାଳି ଶେଷ କରିଥିଲେ ବିରାଟ କୋହଲି ଓ ଶ୍ରେୟସ ଆୟର। ଉଭୟ ଖେଳାଳି ଅପରାଜିତ ପାଭିଲିୟନକୁ ଫେରିଥିଲେ। କୋହଲି ୫୬ଟି ବଲ୍‌ ଖେଳି ୬ଟି ଚୌକା ବଳରେ ୫୫ ରନ୍‌ ସଂଗ୍ରହ କରିଥିବା ବେଳେ ଶ୍ରେୟସ ୨୩ଟି ବଲ୍‌ରୁ ୨୫ ରନ୍‌ ସଂଗ୍ରହ କରିଥିଲେ।

ଭାରତ ଚଳିତ ବିଶ୍ବକପରେ ନିଜର ଦ୍ବିତୀୟ ମ୍ୟାଚ ଜିତିଛି। ଟିମ୍‌ ଇଣ୍ଡିଆ ଏହା ପୂର୍ବରୁ ଗତ ୮ ତାରିଖରେ ଚେନ୍ନାଇସ୍ଥିତ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ପରାସ୍ତ କରିଥିଲା। କଙ୍ଗାରୁ ଦଳ ୪୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୯୯ ରନ୍‌ ସଂଗ୍ରହ କରିଥିଲା। ଜବା‌ବରେ ଭାରତ ୪୧.୨ ଓଭରରେ ୪ଟି ୱିକେଟ ହରାଇ ୨୦୧ ରନ୍‌ କରି ମ୍ୟାଚ ଜିତିଥିଲା। ବିଶ୍ବକପରେ ଭାରତର ଆଗାମୀ ମୁକାବିଲା ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହିତ ହେବ। ଅକ୍ଟୋବର ୧୪ ତାରିଖରେ ଏହି ମ୍ୟାଚ ଅହମଦାବାଦ୍‌ ଠାରେ ଖେଳାଯିବ।

ଭାରତ ନିଜର ଦ୍ବିତୀୟ ମ୍ୟାଚରେ ବୁଧବାର ଆଫ୍‌ଗାନିସ୍ତାନକୁ ଭେଟିଥିଲା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫ୍‌ଗାନିସ୍ତାନ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅତିଥି ଟିମ୍‌ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ୱକେଟ୍‌ ହରାଇ ୨୭୨ ରନ୍‌ ସଂଗ୍ରହ କରିଥିଲା।

ଆଫଗାନିସ୍ତାନ ଆରମ୍ଭରୁ ଉପସ୍ଥିତ ବୁଦ୍ଧି ଲଗାଇ ପାଳି ଆରମ୍ଭ କରିଥିଲା। ଅଧିନାୟକ ହାସମତୁଲା ସାହିଦି ଓ ଅଜମତୁଲ୍ଲା ଓମାରଜାଇ ଚତୁର୍ଥ ୱିକେଟ୍‌ରେ ୧୨୧ ରନ୍‌ର ଭାଗିଦାରୀ ହେବା ସହିତ ସ୍କୋର ଭଲ ସ୍ଥିତିରେ ପହଞ୍ଚାଇ ଥିଲେ। ଅଜମତୁଲ୍ଲା ୬୯ଟି ବଲ୍‌ର ସମ୍ମୁଖୀନ ହୋଇ ୨ଟି ଚୌକା ଓ ୪ଟି ଛକା ବଳରେ ୬୨ ରନ୍‌ କରିଥିଲେ। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ କ୍ଲିନ ବୋଲ୍ଡ ହୋଇଥିଲେ। ଏହା ପୂର୍ବରୁ ଆଫଗାନିସ୍ତାନ ୩ୟ ୱିକେଟରେ ରହମତ ଶାହ (୧୬ ରନ୍‌)ଙ୍କୁ ହରାଇଥିଲା। ହାସମତୁଲା ୮୮ଟି ବଲ୍‌ ଖେଲି ୮ଟି ଚୌକା ଓ ଗୋଟିଏ ଛକା ବଳରେ ୮୦ ରନ୍‌ କରି କୁଲଦୀପ ଯାଦବଙ୍କ ଦ୍ବାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

ଦଳ ୩୨ ରନ୍‌ରେ ନିଜର ପ୍ରଥମ ୱିକେଟ୍‌ ଭାବେ ଇବ୍ରାହିମ ଜଦ୍ରାନଙ୍କୁ ହରାଇଥିଲା। ସେ ୨୮ଟି ବଲ୍‌ ଖେଳି ୪ଟି ଚୌକା ସହାୟତାରେ ୨୨ ରନ୍‌ ସଂଗ୍ରହ କରିଥିଲେ। ଯଶପ୍ରୀତ ବୁମରାଙ୍କ ବଲ୍‌ରେ କେଏଲ୍‌ ରାହୁଲଙ୍କୁ କ୍ୟାଚ ଦେଇ ଆଉଟ୍‌ ହୋଇଥିଲେ। ସ୍କୋର ୬୩ ରନ୍‌ରେ ଭାରତକୁ ଦ୍ବିତୀୟ ସଫଳତା ମିଳିଥିଲା। ରହମାନୁଲ୍ଲା ଗୁରବାଜ ୨୮ଟି ବଲ୍‌ ଖେଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ଶାର୍ଦ୍ଦୁଲ ଠାକୁରଙ୍କୁ କ୍ୟାଚ ଦେଇଥିଲେ। ସେ ୩ଟି ଚୌକା ଓ ଗୋଟିଏ ଛକା ବଳରେ ୨୧ ରନ୍‌ କରିଥିଲେ।

ମହମ୍ମଦ ନବିଙ୍କ ବ୍ୟାଟ୍‌ରୁ ୧୯ ରନ୍‌,  ନଜିବୁଲ୍ଲା ଜଦ୍ରାନ ୨ରନ୍‌ କରିଥିବା ବେଳେ ରସିଦ ଖାନ ୧୬ ରନ୍‌, ମୁଜୀବ୍ ଉର ରହମାନ ଅପରାଜିତ ୧୦ ରନ୍‌ ଓ ନବୀନ ଉଲ ହକ୍‌ ଅପରାଜିତ ୯ ରନ୍‌ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ ୪ଟି ୱିକେଟ୍‌ ନେଇଥିଲେ।  ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ୍‌ ନେଇଥିଲା ବେଳେ ଶାର୍ଦ୍ଦୁଲ ଠାକୁର ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।